କନକ ବ୍ୟୁରୋ: ପରିତ୍ୟକ୍ତ ହୋଇ ପଡ଼ିଛି ଜିଲ୍ଲାର ସମସ୍ତ ଚେକ୍ ପୋଷ୍ଟ ବା ନାକା ସ୍ଥଳୀ । ଉଭୟ ରାଜ୍ୟ ମଧ୍ୟରେ ବେଆଇନ ଚାଲାଣ ଓ ଅପରାଧୀକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ନିର୍ମାଣ କରଯାଇଥିଲା ନାକା ପଏଣ୍ଟ । ବିଶେଷ କରି ଯାନବାହାନ ଚଳାଚଳରେ ଉପଯୁକ୍ତ ଯାଞ୍ଚ୍ ହୋଇ ପାରୁଥିଲା, ଏବେ ଆଉ କାର୍ଯ୍ୟକ୍ଷମ ନହୋଇ ସମ୍ପୂର୍ଣ ନଷ୍ଟ ହେବାକୁ ଗଲାଣି ।
ପଡୋଶୀ ରାଜ୍ୟର ସୀମାବର୍ତ୍ତୀ ପ୍ରବେଶ ଦ୍ଵାରରେ କର୍ତ୍ତବ୍ୟରତ କର୍ମଚାରୀଙ୍କ ବିଶ୍ରାମ କକ୍ଷ ଠାରୁ ଆରମ୍ଭ କରି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସହ ନିର୍ମାଣ ହୋଇଥିଲା ଚେକ୍ ପୋଷ୍ଟ। ଶୟନ କକ୍ଷ, ଗଭୀର ନଳକୂପ, ଶୌଚାଳୟ ଓ ତନଖି ଫାଟକ ଉପଲବ୍ଧ ଥିବା ବେଳେ ସିସି କ୍ୟାମେରା ଖଞ୍ଜା ଯାଇଥିଲା। ଏହା ଦ୍ବାରା ବିଭିନ୍ନ ସମୟରେ ଅପରାଧିକ କାର୍ଯ୍ୟକଳାପ ସହ ଯାନବାହନର ଗତିବିଧିକୁ ନିୟନ୍ତ୍ରଣ କରିବା ପାଇଁ ବେଶ୍ ସହାୟକ ହେଉଥିଲା। କିନ୍ତୁ ଗତ କିଛି ବର୍ଷ ହେଲା ଏହା ବ୍ୟବହାର ନହୋଇ ଖତ ଖାଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।
ସେପଟେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଦିନକୁ ଦିନ ବଢି ଚାଲିଛି ଅପରାଧ। ଅନେକ କ୍ଷେତ୍ରରେ ଅପରାଧୀଙ୍କୁ ଧରିବାରେ ବିଫଳ ହେଉଛି ପୋଲିସ। ଜିଲ୍ଲାର ଅଧିକାଂଶ ଅଞ୍ଚଳ ଆନ୍ଧ୍ର ସୀମାବର୍ତ୍ତୀ ଥିବା ବେଳେ ବାହାର ରାଜ୍ୟରୁ ଅବାଧରେ ଅପରାଧୀଙ୍କ ଯାତାୟତ ହେଉଛି । ଜିଲ୍ଲାର ପ୍ରବେଶ ପଥରେ କୈାଣସି ଯାଞ୍ଚ ହେଉ ନଥିବାରୁ ପଡ଼ୋଶୀ ରାଜ୍ୟରେ ଅପରାଧ ଘଟାଇ ଅବାଧରେ ଜିଲ୍ଲା ମଧ୍ୟକୁ ପଶି ଆସୁଛନ୍ତି ଅପରାଧୀ । ଏଠି ମଧ୍ୟ ଅପରାଧ ଘଟାଇ ବାହାର ରାଜ୍ୟକୁ ସହଜରେ ଖସି ପଳାଇବାରେ ସମର୍ଥ ହେଉଛନ୍ତି ଅପରାଧୀ ।
ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଏହି ସବୁ ନାକା ପଏଣ୍ଟ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେଉଛି । ତେଣୁ ସିସି ଟିଭି ବ୍ୟବସ୍ଥା ସହ ୨୪ ଘଣ୍ଟିଆ ପ୍ରହରା ଦେଇ ଏସବୁ ନାକା ସ୍ଥଳୀକୁ କାର୍ଯ୍ୟକ୍ଷମ କରାଇବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ ।