କନକ ବ୍ୟୁରୋ: ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ । ବିଧାନସଭା କକ୍ଷରେ ଆରମ୍ଭ ହେଲା ଏହି ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ରହିଛନ୍ତି । ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ଓ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ସମେତ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ବୈଠକରେ ସାମିଲ ହୋଇଥିଲେ । ବିଧାନସଭାକୁ ସୁରୁଖୁରୁରେ ଚଲାଇବା ପାଇଁ ସମସ୍ତ ଦଳ ମାନଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି ।
ଏଥର ମୌସୁମୀ ଅଧିବେଶନ କାର୍ଯ୍ୟସୂଚୀ ଅନୁଯାୟୀ ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ୨୫ ତାରିଖ ଯାଏଁ ଅଧିବେଶନ ଚାଲିବ। ଏହି ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିବ । ଗୋଟିଏ ଦିନ ପ୍ରାଇଭେଟ ମେମ୍ବର ବିଲ୍ ଏବଂ ଗୋଟିଏ ଦିନ ନୋ ଅଫିସ ଡେ' ରହିଛି । ତେବେ ମୌସୁମୀ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଥିବା ବେଳେ କଡ଼ା ଜବାବ ରଖିବାକୁ ପ୍ରସ୍ତୁତ ହେଉଛି ଶାସକ ଦଳ ।
ଏହାପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘରେ ବସିଥିଲା ମନ୍ତ୍ରୀ ପରିଷଦ ବୈଠକ । ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା । ଏଥରେ ବିରୋଧୀଙ୍କ ପାଖରେ ଅଧିକ ପ୍ରସଙ୍ଗ ରହିଛି । ସମସ୍ତ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବେ ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟ । ତେଣୁ ସମସ୍ତ ପ୍ରଶ୍ନର ତଥ୍ୟ ସମ୍ମତ ଉତ୍ତର ଦେବାକୁ ପ୍ରସ୍ତୁତ ରହିଛନ୍ତି ଶାସକ ଦଳ ସଦସ୍ୟ ।