କନକ ବ୍ୟୁରୋ : ୨୧ ତାରିଖରୁ ସଂସଦରେ ଆରମ୍ଭ ହେବାକୁ ଯାଉଛି ଅଧିବେଶନ । ଏହା ପୂର୍ବରୁ ଆଜି ସରକାରଙ୍କ ନିମନ୍ତ୍ରଣରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିରୋଧୀ ବିହାରରେ ନାଗରିକତା ସଂଶୋଧନ, ଓଡ଼ିଶାରେ ଆଇନଶୃଙ୍ଖଳା ବ୍ୟବସ୍ଥା ଓ ଅପରେସନ ସିନ୍ଦୂର ଭଳି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି । ସଂସଦରେ ଶୃଙ୍ଖଳିତ ଆଲୋଚନା ପାଇଁ ସରକାର ବିରୋଧୀଙ୍କୁ ଅନୁରୋଧ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭାର ନେତା ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧୀ ଯୋଗ ଦେଇଥିଲେ । ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରେଣ ରିଜଜୁ ଓ ତାଙ୍କ କନିଷ୍ଠ ମନ୍ତ୍ରୀ ଅର୍ଜୁନ ରାମ ମେଘାବାଲ ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରିଥିଲେ । କଂଗ୍ରେସ ତରଫରୁ ଜୟରାମ ରମେଶ, ଗୌରବ ଗୋଗଇ, ଏନସିପି ତରଫରୁ ସୁପ୍ରିୟା ସୋଲେ, ଡିଏମକେ ତରଫରୁ ଟି.ଆର ବାଲୁ, ଆରପିଆଇ ତରଫରୁ ରାମଦାସ ଅଠାୱାଲେ ବୈଠକରେ ଭାଗ ନେଇଥିଲେ ।
ସର୍ବଦଳୀୟ ବୈଠକ ପରେ କଂଗ୍ରେସ ନେତା ଗୌରବ ଗୋଗଇ କହିଛନ୍ତି କି, ମୌସୁମୀ ଅଧିବେଶନରେ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ପହଲଗାମରେ ଯାହା ଘଟିଲା ତା'ର ଜବାବ ସରକାରଙ୍କୁ ଦେବାକୁ ପଡ଼ିବ, ଏହାସହ ଆମେରିକା ରାଷ୍ଟ୍ରପତି ବାରମ୍ବାର ଭାରତ ସରକାର ଓ ଭାରତୀୟ ସେନାକୁ ଯେଭଳି ଅପମାନିତ କରୁଛନ୍ତି ସେନେଇ ଭାରତ ସରକାର କ'ଣ ପଦକ୍ଷେପ ନେଇଛନ୍ତି ସେ ନେଇ ପ୍ରଶ୍ନ ଉଠିବ । ନିର୍ବାଚନ ଆୟୋଗ ଏବେ ଭୋଟ ପ୍ରସଙ୍ଗରେ କାହିଁକି ଭିନ୍ନ ଭିନ୍ନ ଦଳ ସହ ଆଲୋଚନା କରୁନାହାଁନ୍ତି ସେନେଇ ସରକାରଙ୍କୁ ଉତ୍ତର ଦେବାକୁ ପଡ଼ିବ ।
ଏବେ ଆସନ୍ତୁ ପଢିବା କେଉଁ ଦଳ ଉଠାଇଥିଲା କେଉଁ ପ୍ରସଙ୍ଗ
ଆମ୍ ଆଦମୀ ପାର୍ଟି: ରାଜ୍ୟସଭା ସାଂସଦ, ବିହାର ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ନେଇ ହେଉଥିବା ଦୁର୍ନୀତି, ଭାରତ-ପାକିସ୍ତାନ ଯୁଦ୍ଧ ବିରାମ ଭିତରେ ଆମେରିକାର ମଧ୍ୟସ୍ଥତା ପ୍ରସଙ୍ଗ ଉଠାଇଥିଲେ ।
ବିଜୁ ଜନତା ଦଳ: ସର୍ବଦଳୀୟ ବୈଠକରେ ବିଜେଡ଼ି ନେତା ସସ୍ମିତ ପାତ୍ର ଓଡ଼ିଶାର ଆଇନ ଶୃଙ୍ଖଳା ସ୍ଥିତି, ରାଜ୍ୟରେ ବିଜେପି ସରକାରର ବିଫଳତା, ମହିଳାଙ୍କ ଉପରେ ବଢୁଥିବା ଅତ୍ୟାଚାର ପ୍ରସଙ୍ଗ ଉଠାଇଥିଲେ ।
ଏନସିପି (ଶରଦ ଚନ୍ଦ୍ର ପାୱାର ଗୋଷ୍ଠୀ) : ସୁପ୍ରିୟା ସୋଲେ ଏହି ବୈଠକରେ ଯୋଗ ଦେଇଥିବା ବେଳେ ଏନସିପି ଅଜିତ୍ ପାୱାର ଗୋଷ୍ଠୀର କୌଣସି ସାଂସଦ ଯୋଗ ଦେଇନଥିଲେ । ଉଦ୍ଧବ ଠାକରେଙ୍କ ଦଳରୁ ଅରବିନ୍ଦ ସାୱନ୍ତ ସାମିଲ ଥିଲେ ।