କନକ ବ୍ୟୁରୋ: ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଲାଣି ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ । ରଙ୍ଗ ବେରଙ୍ଗର ଆଲୋକମାଳା ଓ ଫୁଲରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ବରର ଆରାଧ୍ୟ ତଥା ଏକାମ୍ର କ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପ୍ରାଙ୍ଗଣ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନଠାରୁ ଆରମ୍ଭ କରି ସଠିକ ସମୟରେ ସମସ୍ତ ନୀତି ସମ୍ପାଦନ ଓ ମହାଦୀପ ଉଠିବା ନେଇ ନୀତିନିର୍ଘଣ୍ଟ ଧାର୍ୟ୍ୟ ହୋଇଛି । ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସହମତି ହୋଇଛି । ମହାଶିବରାତ୍ରୀରେ କଡ଼ା ସୁରକ୍ଷାବଳୟରେ ରହିବ ଏକାମ୍ରକ୍ଷେତ୍ର । ମୋଟ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ, ସୁରକ୍ଷା ଦାୟିତ୍ବରେ ମୁତୟନ ହେବେ ୧୦୦ ଅଧିକାରୀ ।
ପଙ୍କୋଦ୍ଧାର ଏକାଦଶୀ ଠାରୁ ସ୍ବତନ୍ତ୍ର ବେଶରେ ଦର୍ଶନ ଦେଉଛନ୍ତି ବାବା ଲୋକନାଥ । ମହାଶିବରାତ୍ରୀ ଅବସରରେ ଭିତରକାଠ ଦର୍ଶନର ବ୍ୟବସ୍ଥା କରାଯାଇଛି, ଭୋର ୪ଟାରେ ଉଠିବ ମହାଦୀପ । ଆଠଗଡ଼ର ଆରାଧ୍ୟ ବାବା ଧବଳେଶ୍ବରଙ୍କ ପୀଠରେ ଭୋର ୪ରୁ ଦ୍ଵାର ଫିଟାଯାଇ ମହାସ୍ନାନ କରାଯିବ । ପାଖରେ ଲାଗି ହେବ ପ୍ରସିଦ୍ଧ ମାଣ୍ଡୁଅ ଭୋଗ । କେତକୀ ଫୁଲରେ ସଜେଇ ହୋଇ ବଡ଼ସିଂହାର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ବାବା ଧବଳେଶ୍ବର । ବଲାଙ୍ଗୀରର ହରିଶଙ୍କର, ଢେଙ୍କାନାଳର କପିଳାସ, ଆରଡ଼ିର ଆଖଣ୍ଡଳମଣି, କୋରାପୁଟର ଗୁପ୍ତେଶ୍ବର ପୀଠ ସମେତ ରାଜ୍ୟର ସମସ୍ତ ଶୈବପୀଠରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ।
ଜାଗର ପାଇଁ ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ । ଲିଙ୍ଗରାଜରେ ରାତି ୧୦ଟାରେ ଉଠିବ ମହାଦୀପ
ରାତି ପାହିଲେ ଜାଗର । ଲିଙ୍ଗରାଜଙ୍କ ଠାରୁ ଆରମ୍ଭ କରି ସଜେଇ ହେଲାଣି ସାରାରାଜ୍ୟର ଶୈବପୀଠ । ମହାଶିବରାତ୍ରୀ ପାଳନ ପାଇଁ ସବୁଠି ସ୍ବତନ୍ତ୍ର ନୀତିକାନ୍ତି । ଅଧିକାଂଶ ସ୍ଥାନରେ ରାତି ୧୦ଟା ପରେ ଉଠିବ ମହାଦୀପ ।
/kanak/media/media_files/2025/02/25/0APNhgbh6nyXlurdUxVO.jpg)