କନକ ବ୍ୟୁରୋ: ପ୍ରଶାସନକୁ ଚଳଚଞ୍ଚଳ ଓ ପ୍ରଶାସନିକ ଅଧିକାରୀଙ୍କୁ ଦକ୍ଷ କରିବ AI  । ବିନା ଭୁଲରେ ଚୁଟକିରେ ହେବ ଲୋକଙ୍କ କାମ । ଏଥିପାଇଁ ସରକାରୀ ବ୍ୟବସ୍ଥା ସହ ଏଆଇକୁ ଯୋଡିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର , ଯାହାଦ୍ବାରା ଡବଲ ଇଞ୍ଜିନ ସରକାରରେ ଦ୍ରୁତ ବେଗରେ ବଢିବ ବିକାଶର ଗତି । 

Advertisment

ନିର୍ଭୁଲ ହେବ ସରକାରୀ ବ୍ୟବସ୍ଥା, ରକେଟ ବେଗରେ ହେବ ଲୋକଙ୍କ କାମ । ଦ୍ବନ୍ଦ୍ବ ରହିଲେ AI କରିବ ସମାଧାନ । ସୁଶାସନ ଓ ପ୍ରଶାସନିକ ସଂସ୍କାର ପାଇଁ ସରକାରୀ ବ୍ୟବସ୍ଥାରେ ଏଆଇର ବହୁଳ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ କମିଶନରଙ୍କୁ ଚିଠି ଲେଖି ଅବଗତ କରିଛି । ପ୍ରତିଦିନର ସରକାରୀ କାର୍ଯ୍ୟରେ AIର ହେବ ବ୍ୟବହାର । ଯାହା ସରକାରୀ କର୍ମଚାରୀଙ୍କ କାର୍ଯ୍ୟପ୍ରଣାଳୀକୁ ସୁଗମ ଓ କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବ । ପ୍ରଶାସନିକ ବ୍ୟବସ୍ଥାରେ ଦେଖାଦେଉଥିବା ଚ୍ୟାଲେଞ୍ଜକୁ ପ୍ରତିହତ କରିବାରେ AI ନେବ ବଡ ଭୂମିକା । 

ବିଭାଗ ଓ ବାବୁଙ୍କୁ କ୍ରିୟାଶୀଳ କରିବାକୁ ସରକାର ଏଆଇକୁ ଏବେ ଅସ୍ତ୍ର କରିଛନ୍ତି । ଆଗକୁ ପ୍ରତି ବିଭାଗ AI ଟୁଲ୍ କିଣିବେ । ଯାହାକୁ ବିଭାଗୀୟ କର୍ମଚାରୀ ବ୍ୟବହାର କରିବେ । ତେବେ ଏଆଇ ଟୁଲର ବ୍ୟବହାର ସମୟରେ ସରକାରଙ୍କ ଗୁପ୍ତ ଦସ୍ତାବିଜ ବାହ୍ୟ ପ୍ଲାଟଫର୍ମରେ ଅପଲୋଡ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ପ୍ରଶ୍ନ ଉଠୁଛି,  ବିଭାଗରେ AI ବ୍ୟବହାର ନେଇ ବାବୁଙ୍କୁ ମିଳିଛି ତ ଟ୍ରେନିଂ? ଏଆଇ ବ୍ୟବହାର ଦ୍ବାରା ମିଳିବ ତ ସୁଶାସନ ?