କରୋନା କାଳରେ ଯେତେବେଳେ ସ୍କୁଲ୍ ବନ୍ଦ ହୋଇଗଲା ପାଠ୍ୟକ୍ରମରେ ଯେମିତି ବାଧା ନ ଉପୁଜୁ ଏହା ଭାବି ସରକାର ଆଣିଥିଲେ ଅନଲାଇନ୍ ପାଠପଢାର ବ୍ୟବସ୍ଥା । ପିଲାମାନେ ଫୋନ୍ ମାଧ୍ୟମରେ ଅନଲାଇନ୍ ପାଠ ପଢିଲେ । ଜଟିଳ ସମସ୍ୟାକୁ ସେତେବେଳେ ସରଳ କରିଦେଇଥିଲା ମୋବାଇଲ୍ ଫୋନ୍ । କିନ୍ତୁ କରୋନାର ପ୍ରକୋପ ଥଣ୍ଡା ହେବା ପରେ ପୁଣି ସ୍ବାଭାବିକ ଭାବେ ଖୋଲିଥିଲା ସ୍କୁଲ୍ , ବନ୍ଦ ହୋଇଥିଲା ଅନଲାଇନ୍ ପାଠପଢା , ହେଲେ ପିଲାଙ୍କ ମନରେ ସେତେବେଳେ ଘର କରିସାରିଥିଲା ଫୋନ୍ ଅଭ୍ୟାସ । ପାଠପଢା ସଙ୍ଗେ ବାହାନାର ଜାଲ ବୁଣି ପିଲା ଚଲାଇଲେ ମୋବାଇଲ୍ । କିଏ ଗେମ୍ ଖେଳି ମାର୍ ମାର୍ ମାର୍ ବୋଲି କହିଲେ ତ ଆଉ କିଏ ରିଲ୍ସର ରଙ୍ଗୀନ୍ ଦୁନିଆରେ ନିଜକୁ ଘଣ୍ଟା ଘଣ୍ଟା ଧରି ହଜାଇଲେ । ଅଭିଭାବକ ଭାବିଲେ କ’ଣ , ଆମ ପିଲା ପାଠ ପଢୁଛି । ଆକଟ କଲେ ଚିଡଚିଡାପଣ , ରାଗରୁଷା , ନ ଖାଇବା ଜିଦ୍ .. ଏତେ ଅଶାନ୍ତିରେ ରହିଲେ ପିଲାର ମସ୍ତିଷ୍କରେ କ’ଣ ପ୍ରଭାବ ପଡ଼ିବ ଭାବି ଅଭିଭାବକ ପିଲାଙ୍କ ଆଗରେ ହାର୍ ମାନି ପୁଣି ଧରାଇଦେଲେ ମାୟାଜାଲର ଗ୍ୟାଜେଟ୍ ମୋବାଇଲ୍ ।
/kanak/media/media_files/2025/01/28/4BDiI86iqVWsvCDcSbnp.png)
ମୋବାଇଲ୍ ଯାହାକୁ କେହି କେହି ମଦ ସହ ବି ତୁଳନା କରନ୍ତି । ଯାହା ବେଳେବେଳେ ପିଇଲେ ତ ଠିକ୍ କିନ୍ତୁ ସବୁଦିନ ପିଇଲେ ଯମଦ୍ବାରର କବାଟ ଖୋଲିବାକୁ ବେଶୀ ସମୟ ଲାଗେନି । ପ୍ଲେ ଷ୍ଟୋରର ଗୋଦାମରେ ଅନେକ ଆପ୍ ର କଞ୍ଚାମାଲ୍ ଗଚ୍ଛିତ ହୋଇଥାଏ । ହେଲେ କେଉଁ ଆପ୍ ପିଲାଙ୍କ ପାଇଁ ଉପଯୁକ୍ତ ତାହା ବି ଅଭିଭାବକଙ୍କୁ ଜାଣିରଖିବା ଆବଶ୍ୟକ ।
/kanak/media/media_files/2025/01/28/19VaAqIiPtXvMmWW3EfJ.png)
ସୋସିଆଲ୍ ମିଡ଼ିଆର ମାର୍କେଟରେ ଏମିତି ଅନେକ ଆପ୍ ର ପ୍ରଦର୍ଶନ ହୁଏ ଯାହା କୋମଳମତୀ ପିଲାଙ୍କୁ ପଙ୍କର ରାସ୍ତା ଦେଖାଏ । ଟ୍ରେଣ୍ଡର ଚକ୍କରରେ ପିଲା ଇନଫ୍ଲୁଏନ୍ସରଙ୍କୁ ଫଲୋ କରନ୍ତି ତାଙ୍କ ଭଳି ପୋଷାକ ପିନ୍ଧିବାକୁ ଜିଦ୍ ଧରନ୍ତି । ନୂଆ ଆକାଉଣ୍ଟ୍ ଖୋଲିଲେ ଏହି ସବୁ ଆପ୍ (Age Restriction) ମାଗେ କିନ୍ତୁ ଅଭିଭାବକଙ୍କ ଆକାଉଣ୍ଟ୍ ପିଲା ଚଲାଉଥିଲେ ବୟସର ପ୍ରଶ୍ନ ହିଁ ଉଠୁନି । ସେତେବେଳେ ନା ଆପ୍ ଜାଣେ ଯେ ଫୋନ୍ ଚଲାଉଥିବା ଲୋକର ବୟସ କେତେ ନା ପିଲାର କାର୍ଯ୍ୟକଳାପ ଅଭିଭାବକଙ୍କ ଦୃଷ୍ଟିଗୋଚର ହୁଏ । କିନ୍ତୁ ଆପଣ ଜାଣି ଦୁଃଖିତ ହେବେ ଆଜ୍ଞା ଏହି ସବୁ ଆପ୍ ନଗ୍ନତାର ପ୍ରଦର୍ଶନକୁ ଖୋଲାଖୋଲି ଭାବେ ସମର୍ଥନ ଜଣାଉଛି । ଯିଏ ଯାହା ପାରୁଛନ୍ତି ଅପଲୋଡ୍ କରୁଛନ୍ତି । ଆଧୁନିକତାର ନାଁରେ କିଛି ଲାଇକ୍ସ , କମେଣ୍ଟ ଏବଂ ଫଲୋଅର୍ସ ପାଇବା ପାଇଁ ଯୁବପିଢୀ ଅଶ୍ଲିଳତାକୁ ଅସ୍ତ୍ର କରି ଫେମସର ମୁକୁଟ ପିନ୍ଧୁଛନ୍ତି । କିନ୍ତୁ ଏଥିରେ ପ୍ରଭାବିତ ହେଉଛନ୍ତି କିଏ କିଶୋରବସ୍ଥା ବୟସର ପିଲା । କମ୍ ବୟସ , ଚଞ୍ଚଳ ମନ ଏବଂ ଜିଜ୍ଞାସୁ ବୁଦ୍ଧିକୁ ଅଶ୍ଲୀଳତା ଆଉ ନଗ୍ନତାର ପାଠ ପଢାଉଛି ସୋସିଆଲ୍ ମିଡିଆର ଏହି ସବୁ ଆପ୍ ।
/kanak/media/media_files/2025/01/28/VB66zLfc3zmdsovizTqY.png)
ଅଷ୍ଟ୍ରେଲିଆରେ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ୍ ମିଡ଼ିଆ ବ୍ୟାନ୍ କରିବାକୁ ଏକ ବିଲ୍ ପାସ୍ କରାଯାଇଥିଲା ନିୟମ ନ ମାନିଲେ ୩୨.୫ ମିଲିୟନ୍ ଡଲାର୍ ଭାରତୀୟ ମୁଦ୍ରା ହିସାବରେ ୨୭୦ କୋଟି ଟଙ୍କାର ଜରିମାନା ଲାଗିବାର ମଧ୍ୟ ପ୍ରସ୍ତାବ ଉଠିଥିଲା । ଅଷ୍ଟ୍ରେଲିଆର ଏହି ପଦକ୍ଷେପ ସେତେବେଳେ ସୋସିଆଲ୍ ମିଡିଆର ଡିଜିଟାଲ୍ ମାର୍କେଟରେ କ୍ରାନ୍ତି ସୃଷ୍ଟି କରିଥିଲା । କେହି କେହି ଏହାକୁ ସମର୍ଥନ କରିଥିଲେ ଆଉ କେହି ତର୍କ ବାଢିଥିଲେ । କିନ୍ତୁ ଏହି ସବୁ ଆପର ଆତଙ୍କକୁ ବୁଝିପାରିଥିଲା ଅଷ୍ଟ୍ରେଲିଆ । ଏଭଳି କ୍ରାନ୍ତି ଭାରତରେ ମଧ୍ୟ ଆସିଥିଲା ଯେତେବେଳେ ଟିକଟକ୍ , ପବଜି ଭଳି କିଛି ଆପକୁ ବ୍ୟାନର ଚାପୁଡ଼ା ମାରିଥିଲେ ସରକାର । କିନ୍ତୁ ପ୍ରତିଟି ଅସଲିର ହଜାରେ ନକଲି ବାହାରିଲା ପରି ଅନେକ ଆପ୍ ର ଜନ୍ମ ହୋଇଗଲା । ଆପ୍ ର ନାଁ ସିନା ଅଲଗା ହେଲା କିନ୍ତୁ କାମ ଯଥା ପୂର୍ବମ୍ ତଥା ପରମ୍ । ଅନ୍ତରଙ୍ଗ ଶବ୍ଦଟି ଏହି ସବୁ ଆପରେ ଅଜସ୍ର ତାଳି ସାଉଁଟିଲା । ବର୍ତ୍ତମାନ ଡାର୍କ କମେଡିର ଡିଣ୍ଡିମ ପିଟି କିଏ ନର୍ଦ୍ଧମା ପାଣିର ବାନ୍ତି କଲାଣି ତ ଆଉ କିଏ GRWM (Get Ready With Me) ଟ୍ରେଣ୍ଡର ସାହାରାରେ ଉଲଗ୍ନତାକୁ ଉତ୍ସବ ଭଳି ପାଳିଲେଣି । କିନ୍ତୁ ଏଥିରେ ବଳି ପଡୁଛି କାହାର ଭବିଷ୍ୟତ, ଆପଣଙ୍କ ପାଠପଢୁଆ ସନ୍ତାନର ।
ତେଣୁ ଅଭିଭାବକଙ୍କୁ ଅନୁରୋଧ ସତର୍କ ରୁହନ୍ତୁ , ପିଲାଙ୍କୁ ମୋବାଇଲ୍ ଦେବାକୁ ମନା ନାହିଁ କିନ୍ତୁ ଛୁଆ ମୋବାଇଲରେ କ’ଣ ଦେଖୁଛି ଏହାର ନଜର ରଖିବା ଆପଣଙ୍କ ଦାୟିତ୍ବ । ଜିଦ୍ କଲେ ଆକଟ କରିପାରିବେ କିନ୍ତୁ ଡେରି କଲେ ନା ଆକଟର ମୂଲ୍ୟ ରହିବ ନା ବୁଝାଇବାର ..