କନକ ବ୍ୟୁରୋ : ମଦ ମୃତ୍ୟୁର ଅନ୍ୟ ନାମ । ମଦ ପାଇଁ ନିୟମିତ ଯାଉଛି ଶହ ଶହ ଜୀବନ । ଆଉ ଛାରଖାର ହୋଇଯାଉଛି ପରିବାର । ଟୋପେ ମଦ ପେଟରେ ପଡ଼ିଗଲେ ମଣିଷ ଆଉ ଇନ୍ଦ୍ର ଚନ୍ଦ୍ର ମାନେନା । ଯାବତୀୟ ଅପରାଧର ମୂଳ କାରଣ । କେତେବେଳେ ମଦ ଅନ୍ୟର ଜୀବନ ନିଏ । ତ ଆଉ କେତେବେଳେ ମଦ ହିଁ ମଣିଷକୁ ଭିତରୁ କୋରି ଖାଇଯାଏ । ଫଳରେ ଅସମୟରେ ଚାଲିଯାଏ ଜୀବନ । ଆଉ ଘରର ମୁରବି ଯଦି ମଦ ପାଇଁ ପ୍ରାଣ ହରାଏ, ତାପରେ ପରିବାରର ଅବସ୍ଥା ଯେ କଣ ହେଉଥିବ ତାହା ବୋଧେ କହିବାର ଆବଶ୍ୟକତା ନାହିଁ ।

Advertisment

ଓଡ଼ିଶାର ଅନେକ ଯୁବପିଢ଼ି, ବୟୋଜ୍ୟେଷ୍ଠ, ଏମିତିକି ଶିଶୁ ବି ଆଜି ମଦ କବ୍ଜାରେ । ମଦ ପିଉଥିବା ମଣିଷର କେବଳ ଜୀବନ ନଷ୍ଟ ହୁଏନି । ପରିବାର ଲୋକ ବି ସେହି ଦୁଃଖରେ ଭାଗୀଦାର ହୁଅନ୍ତି । ସେମିତି ମଦ ପାଇଁ ଏକ ଗାଁ ହୋଇଯାଇଛି ପୁରୁଷଶୂନ୍ୟ । ମଦ ନେଇଛି ଗାଁର ପୁରୁଷଙ୍କ ପ୍ରାଣ । ମଦ ପାଇଁ ଅଭିଶପ୍ତ ଜୀବନ କାଟୁଛି ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ଅଧୀନ ବନ୍ଧସାହି, ନୂଆସାହି, ସରଳିଆ ଗାଁ । ପୂରା ଗାଁ ପୁରୁଷ ଶୂନ୍ୟ । କିଏ ଅନାଥ ହୋଇଯାଇଛି, କାହା ମଥାରୁ ସିନ୍ଦୂର ପୋଛି ହୋଇଯାଇଛି । ଆଉ କୋଉ ବାପା ମା’ ନିଜ ପୁଅକୁ ହରାଇ ଝୁରି ଝୁରି କାନ୍ଦୁଛନ୍ତି । ଘରର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ପ୍ରତିଦିନ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ମହିଳା । ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି । ତଥାପି ଗାଁରେ ମଦ ବ୍ୟବସାୟ କମୁନି! ଆଜି ବି ବେପାର ଚାଲିଛି, ଜୀବନ ନେଉଛି ମଦ ।

ଅଧିକ ପଢ଼ନ୍ତୁ : ନୂଆବର୍ଷରେ ନୂଆ ନିୟମ ଆଣିଲେ ଗାଁ ମହିଳା; ମଦ ବିକିଲେ ୧୦ ହଜାର ଓ ପିଇଲେ ୨ ହଜାର ଟଙ୍କା ଜରିମାନା

ଗାଁରେ ବଢ଼ୁଛି ବେଆଇନ ନିଶା କାରବାର । ଏବେ ବି ଚାଲିଛି ୮ରୁ ଅଧିକ ଚୋରା ମଦଭାଟି । ଗାଁରେ ପ୍ରତିବର୍ଷ ୧୦ରୁ ଅଧିକ ଲୋକ ମଦ୍ୟପାନ କରି ପ୍ରାଣ ହରାଉଛନ୍ତି ! ଏହା ସତ୍ତ୍ବେ ବେପାର କମୁନି । ଛତୁ ଫୁଟିଲା ଭଳି ଖୋଲୁଛି ବେଆଇନ ମଦଭାଟି । ବନ୍ଧସାହି ଗାଁରେ ୮ରୁ ଅଧିକ ଚୋରା ମଦ ଦୋକାନ ଅଛି । କେବଳ ପୁରୁଷ କାହିଁକି, ମହିଳା ଓ ନାବାଳକମାନେ ମଧ୍ୟ ସଂଧ୍ୟା ହେବା କ୍ଷଣି ମଦ ପିଇବାକୁ ଧାଡ଼ି ଲଗାଉଛନ୍ତି । ଚୋରା ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବା ସହ ସ୍ବାସ୍ଥ୍ୟ ଶିବିର କରି ରୋଗାକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଦାବି ହେଉଛି । ସେପଟେ ସୋର ଅବକାରୀ ଥାନା ଅଧିକାରୀ ପ୍ରଜ୍ଞାପ୍ରିୟା ନାୟକ କୁହନ୍ତି, ମୁଁ ଅଳ୍ପ ଦିନ ହେବ ଏଠାକୁ ଆସିଛି । ବେଆଇନ ମଦ କାରଖାନା ଉପ‌ରେ ନିୟମିତ ଚଢ଼ଉ କରାଯାଉଛି । ଆଗକୁ ବନ୍ଧସାହି ଗାଁରେ ମଧ୍ୟ ଜୋର୍‌ଦାର ଚଢ଼ାଉ ହେବ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଆଉ କେତେ ଜୀବନ ଗଲେ ଚୋରା ମଦ କାରବାର ଉପରେ ଲାଗିବ ରୋକ୍‌ ? କାହିଁକି ମଦ ବେପାର ଉପରେ ହେଉନି ଜୋରଦାର ଚଢ଼ାଉ ? ସମ୍ପୂର୍ଣ୍ଣ ମଦ ବନ୍ଦ କରିବାକୁ ସରକାରଙ୍କୁ ଆଉ କେତେ ଦିନ ଲାଗିବ ? ମଦ ପାଇଁ ବରବାଦ ହେଉଥିବା ପରିବାରର ଦୁଃଖ ବୁଝିବ କିଏ ? କିଏ ହେବ ଉତ୍ତରଦାୟୀ ?