କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନସ୍ଥିତ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଧଳା କୁମ୍ଭୀର ଶ୍ୱେତା ବିତାଉଛି ନିସଙ୍ଗ ଜୀବନ । ଶ୍ୱେତାକୁ ୪ବର୍ଷ ଚାଲିଲାଣି, ୩ ଫୁଟରୁ ଅଧିକ ଲମ୍ବ ହେଲାଣି । କିନ୍ତୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଶ୍ୱେତା ମୁକ୍ତି ପାଇବ ନା ଗୋରୀ ଓ ମଲ୍ଲୀ ପରି ଆବଦ୍ଧ ଓ ନିସଙ୍ଗ ଜୀବନ ବିତାଇବ, ତାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି । ନିସଙ୍ଗ ଜୀବନ ବିତାଉଥିବାରୁ ୫୦ବର୍ଷର ଗୋରୀ ଓ ୨୦ ବର୍ଷର ମଲ୍ଲୀ ଆଜିଯାଏଁ ମାଆ ହୋଇ ପାରିନାହାନ୍ତି । ଏପରିକି ମଲ୍ଲୀ ସହିତ ପୁରୁଷ କୁମ୍ଭୀରର ମିଳନ ପ୍ରକ୍ରିୟା ହୋଇପାରିନି ।

Advertisment

କଣ ହେବ ୬ ଫୁଟିଆ କୁଣ୍ଡ ଭିତରେ ଆବଦ୍ଧ ଓ ନିସଙ୍ଗ ଧଳା କୁମ୍ଭୀର ଶ୍ଵେତାର ଭାଗ୍ୟ । ମୁକ୍ତି ପାଇବ ନା ଗୋରୀ ଓ ମଲ୍ଲି ପରି ବିତାଇବ ବନ୍ଦୀ ଜୀବନ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ । ଭିତରକନିକା ଡାଙ୍ଗମାଳଠାରେ ଥିବା ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛି ଧଳା କୁମ୍ଭୀର ଶ୍ୱେତା । ଶ୍ୱେତାକୁ ୩ ବର୍ଷ ପୁରି ସାରିଥିଲେ ବି ତାକୁ ଏ ଯାଏଁ ମୁକ୍ତ କରାଯାଇନି । କୁମ୍ଭୀର ଛୁଆ ୩ ଫୁଟରୁ ଅଧିକ ଲମ୍ବ କିମ୍ବା ୩ ବର୍ଷ ହେବା ପରେ ତାକୁ ନଦୀ ନାଳରେ ଛାଡିବାର ନିୟମ ରହିଛି । କିନ୍ତୁ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ସେମାନଙ୍କୁ ଛଡାଯାଉନାହିଁ ।

ଭାରତର ପ୍ରଥମ ଧଳା ବଉଳା କୁମ୍ଭୀର ଗୋରୀ ଜନ୍ମ ହେବାର ୫୦ ବର୍ଷ ପରେବି ଆଜିଯାଏଁ ମାଆ ହୋଇପାରିନି । ଗୋରୀ ଜନ୍ମ ହେବାର ୨୯ ବର୍ଷ ପରେ ୨୦୦୩ ମସିହାରେ ମଲ୍ଲୀ ଜନ୍ମ ହୋଇଥିଲା । ଗୋରୀ, ମଲ୍ଲୀ ଦୀର୍ଘଦିନ ଧରି ବନ୍ଦୀ ଜୀବନ ବିତାଉଛନ୍ତି । ଏବେ ଶ୍ୱେତାକୁ ନେଇ ପରିବେଶବିତ ଚିନ୍ତା ପ୍ରକଟ କରିବା ସହ ଏହି ବିରଳ ଧଳା କୁମ୍ଭୀରମାନଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି । ପିସିସିଏଫଙ୍କ ନିର୍ଦ୍ଦେଶ ପରେ ପଦକ୍ଷେପ ନିଆଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି।

ଗୋରୀ ବାର୍ଦ୍ଧକ୍ୟରେ ପାଦ ଦେଇଛି । ମଲ୍ଲୀ ଯୌବନ ଥିଲେ ମଧ୍ୟ ବନ୍ଦୀ ଯୋଗୁଁ ଆଜିଯାଏଁ ମା’ ହେବାର ସୌଭାଗ୍ୟ ପାଇନି । ଯେଉଁ ରୂପ ସୌନ୍ଦର୍ଯ୍ୟ ସ୍ୱତନ୍ତ୍ର ପରିଚୟ ଦେଇଥିଲା ତାହା ଆଜି ସେମାନଙ୍କ ପାଇଁ ଅଭିଶାପ ପାଲଟିଯାଇଛି ।