କନକ ବ୍ୟୁରୋ: ରାଜ୍ୟରେ ବଢ଼ିବାରେ ଲାଗିଛି AIDS ରୋଗୀଙ୍କ ସଂଖ୍ୟା । ପ୍ରତିବର୍ଷ ନୂଆ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ, ଯୁବପିଢି଼ ଏବେ ଏହାର କବଳରେ । ଏବେ ଖୋଲାମେଲାରେ AIDS ରୋଗୀମାନେ ବୁଲୁଥିବାରୁ, ଏହି ରୋଗ କାହାକୁ କେତେବେଳେ ବ୍ୟାପିବ, ତାର ଠିକଣା ନାହିଁ ।
ରାଜ୍ୟରେ ପୁରୁଷଙ୍କ ସହ ପୁରୁଷଙ୍କର ଆପ୍ରାକୃତିକ ଯୌନ ସମ୍ପର୍କ ଯୋଗୁ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ରିପୋର୍ଟ ଆସିଛି । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ଏହି ସଂକ୍ରମିତଙ୍କ ଭିତରେ ସବୁଠୁ ଅଧିକ ଅଛନ୍ତି ଯୁବଗୋଷ୍ଠୀ । ରାଜ୍ୟ ସରକାର ୨୦୩୦ ସୁଦ୍ଧା ଓଡ଼ିଶାକୁ AIDS ମୁକ୍ତ କରିବାକୁ ଚାହୁଥିଲେ ବି, ଏହି ସଂଖ୍ୟା କିନ୍ତୁ କମିବାର ନା ଧରୁନି । ଯୁବଗୋଷ୍ଠୀ କୌଣସି ନା କୌଣସି ବାଟରେ AIDS କବଳରେ ଛନ୍ଦି ହେଉଥିବାବେଳେ, ସମଲିଙ୍ଗୀ ସମ୍ପର୍କ ଏହାର ଗୋଟିଏ ମୁଖ୍ୟ କାରଣ ବୋଲି ଜଣାପଡ଼ିଛି ।
ଜୁଲାଇ ମାସ ସୁଦ୍ଧା ୬୫ ହଜାର ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯା ଭିତରୁ ପାଖାପାଖି ୨୬ ହଜାର ସଂକ୍ରମିତଙ୍କ ବୟସ ୧୭ ବର୍ଷରୁ ୩୫ ବର୍ଷ ଭିତରେ । ଖାସ୍ କରି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ସମଲିଙ୍ଗୀ ସମ୍ପର୍କ ରଖୁଥିବା କାରଣରୁ ଏହି ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡ଼ିଛି । ତେବେ ଏବେ ସୁଦ୍ଧା ୧୩ ହଜାର ୧୭୭ AIDS ରୋଗୀଙ୍କ ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି ।
AIDS ରୋଗକୁ ନେଇ ବିପଦ ଏତିକିରେ କମିନି । ରାଜ୍ୟରେ ଏବେ ବି ୬୫ ହଜାରରୁ ଅଧିକ ଲୋକ ଏଚଆଇଭି ପଜିଟିଭ୍ ଥିବାବେଳେ, ସେମାନଙ୍କ ଭିତରୁ ପାଖାପାଖି ୪ ହଜାର ସଂକ୍ରମିତଙ୍କ ପତ୍ତା ମିଳୁନି । ଏମାନଙ୍କ ଭିତରୁ ଅନେକ ଲୋକ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି, ଆଉ କିଛି ଲୋକ ରାଜ୍ୟ ବାହାରୁ ଆସି ଟେଷ୍ଟିଂ କରିଥିବା ଜଣାପଡ଼ିଛି । ହେଲେ ଚିନ୍ତାର କଥା ହେଲା, ଏବେ ଖୋଲାମେଲାରେ ବୁଲୁଛନ୍ତି AIDS ରୋଗୀ । ଯେଉଁ କାରଣରୁ କେତେବେଳେ ଏ ରୋଗ କାହାକୁ ବ୍ୟାପିବ, ତାର ଠିକଣା ନାହିଁ ।