କନକ ବ୍ୟୁରୋ: ନିକଟରେ ତାମିଲ ଫିଲ୍ମ 'ଭେଟ୍ଟୁଭମ୍'ର ସୁଟିଂ ସେଟରେ ଷ୍ଟଣ୍ଟମ୍ୟାନ୍ ଏସଏମ ରାଜୁଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏହି ଘଟଣା ସମଗ୍ର ଭାରତୀୟ ଚଳଚ୍ଚିତ୍ର ଜଗତକୁ ସ୍ତବ୍ଧ କରିଦେଇଥିଲା । ଫିଲ୍ମ ସେଟରେ କାର୍ଯ୍ୟ କରୁଥିବା ଷ୍ଟଣ୍ଟ କଳାକାରଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଦୁଃଖଦ ଘଟଣା ପରେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ଷ୍ଟଣ୍ଟ କଳାକାରଙ୍କ ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବଲିଉଡ୍ର ପ୍ରାୟ ୬୫୦ରୁ ୭୦୦ ଷ୍ଟଣ୍ଟମ୍ୟାନ୍ ଏବଂ ଷ୍ଟଣ୍ଟୱିମେନଙ୍କ ପାଇଁ ବ୍ୟକ୍ତିଗତ ଭାବେ ଜୀବନ ବୀମା କରାଇଛନ୍ତି ଅକ୍ଷୟ ମାହାନ୍ତି । ଏହି ବୀମା ପଲିସିରେ ସ୍ୱାସ୍ଥ୍ୟ ଏବଂ ଦୁର୍ଘଟଣା ଜନିତ କଭରେଜ୍ ସାମିଲ ରହିଛି ।
ସୂଚନାମୁତାବକ, ଏକ ଫିଲ୍ମର ସୁଟିଂ ସମୟରେ ଏକ କାର୍ ଷ୍ଟଣ୍ଟ କରିବା ବେଳେ ଏସଏମ ରାଜୁଙ୍କ ଗାଡ଼ିଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଇଣ୍ଡଷ୍ଟ୍ରିରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ତୀବ୍ର ସମାଲୋଚନା ହୋଇଥିଲା । ଏହି ଘଟଣା ପରେ ଅକ୍ଷୟ କୁମାର, ଯିଏ ନିଜେ ଜଣେ ମାର୍ଶାଲ ଆର୍ଟିଷ୍ଟ ଏବଂ ଆକ୍ସନ ହିରୋ ଭାବରେ ପରିଚିତ, ଷ୍ଟଣ୍ଟ କର୍ମଚାରୀଙ୍କ ଦୁର୍ଦ୍ଦଶାକୁ ଗଭୀର ଭାବେ ଅନୁଭବ କରିଥିଲେ । ସେ ସଙ୍ଗେ ସଙ୍ଗେ ବଲିଉଡ୍ର ପ୍ରାୟ ୭୦୦ ଷ୍ଟଣ୍ଟମ୍ୟାନ୍ ଏବଂ ଷ୍ଟଣ୍ଟୱିମେନଙ୍କ ପାଇଁ ବ୍ୟକ୍ତିଗତ ଭାବେ ଜୀବନ ବୀମା କରାଇଛନ୍ତି ।