କନକ ବ୍ୟୁରୋ; ବହୁ ପ୍ରତୀକ୍ଷିତ ଫିଲ୍ମ 'ଜଲି ଏଲଏଲବି ୩'ର ଟିଜର ରିଲିଜ୍ ହେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି । ଫିଲ୍ମର ମୁଖ୍ୟ କଳାକାର ଅକ୍ଷୟ କୁମାର ଏବଂ ଅରଶଦ ୱାରସୀଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ଫିଲ୍ମର ଟିଜରରେ ଓକିଲ ଏବଂ ବିଚାରପତିମାନଙ୍କୁ ଅସମ୍ମାନଜନକ ଭାବେ ଚିତ୍ରଣ କରାଯାଇଥିବା ଅଭିଯୋଗରେ ଏକ ପିଟିସନ ଦାଖଲ କରାଯିବା ପରେ କୋର୍ଟ ଉଭୟ ଅଭିନେତାଙ୍କୁ ସମନ ଜାରି କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ଆଇନଜୀବୀ ୱାଜେଦ ଖାନ ଏବଂ ଗଣେଶ ମସ୍କେ ଏକ ପିଟିସନ ଦାଖଲ କରି ଦର୍ଶାଇଛନ୍ତି ଯେ ଫିଲ୍ମର ଟିଜରରେ ଆଇନଜୀବୀ ଏବଂ ବିଚାରପତିଙ୍କୁ ଅପମାନିତ କରାଯାଇଛି । ଏହାକୁ ନେଇ ଆଜମେର ଜିଲ୍ଲା ବାର ଆସୋସିଏସନର ସଭାପତି ଚନ୍ଦ୍ରଭାନ ମଧ୍ୟ ଫିଲ୍ମର ନିର୍ମାତା, ନିର୍ଦ୍ଦେଶକ ଏବଂ ଅଭିନେତାମାନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗରେ କୁହାଯାଇଛି ଯେ ଫିଲ୍ମରେ ଓକିଲ ଏବଂ ବିଚାରପତିମାନଙ୍କୁ ଏକ "ଅନୁଚିତ" ଢଙ୍ଗରେ ଉପସ୍ଥାପନ କରାଯାଇଛି, ଯାହା ହାସ୍ୟାସ୍ପଦ ଏବଂ ଅଶାଳୀନ ଅଟେ ।
ସୂଚନାଯୋଗ୍ୟ ଯେ, 'ଜଲି ଏଲଏଲବି' ଫ୍ରାଞ୍ଚାଇଜର ପୂର୍ବ ଦୁଇଟି ଫିଲ୍ମକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ପ୍ରଥମ ଭାଗରେ ଅରଶଦ ୱାରସୀ ଏବଂ ଦ୍ୱିତୀୟ ଭାଗରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଥିଲେ । ଏହି ତୃତୀୟ ଭାଗରେ ଦୁହେଁ ଏକାଠି ନଜର ଆସୁଛନ୍ତି, ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଥିଲା । କିନ୍ତୁ ଏବେ ଫିଲ୍ମଟି ଆଇନଗତ ବିବାଦରେ ଫସିଯାଇଛି ।