କନକ ବ୍ୟୁରୋ : ମଥୁରାରେ କଂସ ଆୟୋଜନ କରିଛନ୍ତି ଧନୁଯାତ୍ରା । ଯାତ୍ରା ଦେଖିବା ପାଇଁ କୃଷ୍ଣ ଓ ବଳରାମଙ୍କୁ ଆମନ୍ତ୍ରଣ କରିଛନ୍ତି l କଂସଙ୍କ ଚିଟାଉ ନେଇ ଗୋପପୁର ଯାଇଛନ୍ତି ଅକ୍ରୂର । ଯମୁନା ବାଲିରେ ଶ୍ରୀକୃଷ୍ଣଙ୍କ ପାଦଚିହ୍ନ ଦର୍ଶନ, ଗୋପାଳ ବାଳକଙ୍କ ସହ ବଣଭୋଜି, ଶବରୀର ଅଇଁଠା କୋଳି ଖାଇବା ଓ ଅନ୍ଧ ବ୍ରାହ୍ମଣଙ୍କୁ ଶ୍ରୀକୃଷ୍ଣ ଚକ୍ଷୁଦାନ କରିବା ଦେଖି ଭାବବିହ୍ବଳ ହୋଇଉଠିଛନ୍ତି ଅକ୍ରୂର। ସମଗ୍ର ଗୋପପୁର ହୋଇପଡ଼ିଛି କୃଷ୍ଣମୟ। ମଧୁମଙ୍ଗଳ ସହ ସାକ୍ଷାତ ପରେ କୃଷ୍ଣ ଓ ବଳରାମଙ୍କ ସହିତ ନନ୍ଦରାଜା ଏବଂ ରାଣୀ ଯଶୋଦାଙ୍କୁ ଅକ୍ରୂର ଭେଟିଛନ୍ତି l
ସେପଟେ ମହାରାଜା କଂସ ମଥୁରା ଭ୍ରମଣ ସହ ଦିଗବିଜୟରେ ବାହାରିନ୍ତି । ସ୍ୱର୍ଗପୁରୀକୁ ଆକ୍ରମଣ କରି ଇନ୍ଦ୍ର ଓ ଯମରାଜଙ୍କୁ ପରାସ୍ତ କରି କରିଛନ୍ତି ବନ୍ଦୀ l ଏହି ଖୁସିରେ ରାଜ୍ୟ ତଥା ରାଜ୍ୟ ବାହାର କଳାକାରଙ୍କ ଦ୍ୱାରା ରଙ୍ଗମହଲରେ ନୃତ୍ୟଗୀତ ଆୟୋଜନ କରାଯାଇଛି l ଏହାସତ୍ତ୍ବେ ବିଜୁଳିକନ୍ୟାଙ୍କ ଦୈବୀବାଣୀ କଂସଙ୍କୁ ବ୍ୟଥିତ କରୁଥିବା ବେଳେ ସେ ଅପେକ୍ଷା କରିଛନ୍ତି, କେତେବେଳେ କୃଷ୍ଣ- ବଳରାମ ଆସିବେ ଏବଂ ଉଭୟଙ୍କୁ ହତ୍ୟା କରି ଦୌବୀବାଣୀକୁ ଭୁଲ ପ୍ରମାଣିତ କରିବେ l ଧନୁଯାତ୍ରାର ନବମ ଦିବସରେ କଂସଙ୍କ ନଗର ଭ୍ରମଣ ରହିଛି ।
ଆମ୍ବବନରେ ଆରାଧନାରତ ରୁଷିମୁନିଙ୍କ ଉପରେ କଂସଙ୍କ ଅତ୍ୟାଚାର, ଗୋପପୁରରୁ କୃଷ୍ଣ- ବଳରାମଙ୍କୁ ବିଦାୟ ବେଳେ ଗୋପାଙ୍ଗନା ତଥା ଗୋପପୁରବାସୀ ଦୁଃଖରେ ଭାଙ୍ଗି ପଡ଼ିବା ଏବଂ କୃଷ୍ଣ- ବଳରାମଙ୍କୁ ସାଙ୍ଗରେ ଆଣି ଅକ୍ରୂରଙ୍କ ମଥୁରା ପ୍ରତ୍ୟାବର୍ତ୍ତନର ଦୃଶ୍ୟ ନବମ ଦିନରେ ଅଭିନୀତ ହେବ l