କନକ ବ୍ୟୁରୋ: କୁମ୍ଭମେଳା ଲାଗି ଅସମ୍ଭବ ପ୍ରକାର ଭିଡ଼ ହେଲାଣି ପ୍ରୟାଗରାଜରେ । ଦେଶର ଭିନ୍ନଭିନ୍ନ ସ୍ଥାନରୁ ଧର୍ମ ଓ ଆସ୍ଥାର ବୁଡ଼ ପକାଇବାକୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ସମାଗନ ବି ହେଉଛି । ଆଉ ଏଥିରୁ ବାଦ ପଡ଼ିନାହାନ୍ତି ନେତା । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କୁମ୍ଭମେଳାରେ ବୁଡ଼ ପକାଇବା ସହିତ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଇଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଦେଖିବାକୁ ମିଳିଛି କି, ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀଙ୍କୁ ସାକ୍ଷାତ କରିବା ସହ ଆଶିଷ ନେଉଛନ୍ତି ଅଖିଳେଶ ।
ଭାଇରାଲ ହେଉଛି ଅଖିଳେଶଙ୍କ ଫଟୋ
ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳିଛି କି, ଅଖିଳେଶ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଅନେକ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି । ସୂଚନା ଅନୁସାରେ, ଗଙ୍ଗାରେ ସ୍ନାନ କରିବା ପରେ ସିଧା ଶଙ୍କରାଚାର୍ଯ୍ୟଙ୍କ ଆଶ୍ରମରେ ପହଞ୍ଚିଥିଲେ ଅଖିଳେଶ। ଆଶୀର୍ବାଦ ନେବା ସହିତ ରାଜ୍ୟର ଅନେକ ପ୍ରସଙ୍ଗରେ ସ୍ବାମୀଙ୍କ ସହ ଆଲୋଚନା କରିଥିଲେ । କେବଳ ଏତିକି ନୁହେଁ ଶଙ୍କରାଚାର୍ଯ୍ୟଙ୍କ ଆଶ୍ରମରେ ସେ ଶ୍ରମ ଦାନ କରିଥିବା ଜଣାପଡ଼ିଛି । ଏହି ସମୟରେ ଅଖିଳେଶଙ୍କ ପୁଅ ମଧ୍ୟ ସାଙ୍ଗରେ ଥିବା ଦେଖାଯାଇଥିଲା।
ସ୍ନାନ ପୂର୍ବରୁ ବାପାଙ୍କ ମୂର୍ତ୍ତିରେ କଲେ ମାଲ୍ୟାର୍ପଣ
ରବିବାର ଅପରାହ୍ନରେ ଅଖିଳେଶ ପ୍ରୟାଗରାଜରେ ପହଞ୍ଚିବା ପରେ ସ୍ବର୍ଗତ ବାପା ମୁଲାୟମ ସିଂ ଯାଦବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପରେ କୁମ୍ଭରେ ସ୍ନାନ କରିଥିଲେ । ଏହାପରେ ସେଠାରେ ଥିବା କିନ୍ନର ଆଖାଡ଼ାରେ ପହଞ୍ଚି ସେମାନଙ୍କ ଆଶୀର୍ବାଦ ନେବା ସହିତ କୁମ୍ଭରେ ଥିବା ସାଧୁ ଓ ସନ୍ନ୍ୟାସୀଙ୍କର ଆଶୀର୍ବାଦ ବି ନେଇଥିଲେ । ଅଖିଳେଶ କହିଛନ୍ତି,ମହାକୁମ୍ଭକୁ ଦେଶର କୋଟି କୋଟି ଶ୍ରଦ୍ଧାଳୁ ଆସୁଛନ୍ତି । ତେଣୁ ମୁଁ ଏଥିରୁ ବାଦ ପଡ଼ିବି ବା କେମିତି । ଧର୍ମ ଓ ଆସ୍ଥାର ବୁଡ଼ ପକାଇବାର ସୁଯୋଗ ଭାଗ୍ୟ ଥିଲେ ମିଳେ ବୋଲି ସେ କହିଛନ୍ତି । ତେବେ ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳୁଛି କି, ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବା ପରେ ଅଧିଳେଶ ଭାରି ଖୁସି ଅଛନ୍ତି । ମନଖୋଲି ଅନେକ ପ୍ରସଙ୍ଗରେ ଆଲୋଚନା ବି କରୁଛନ୍ତି । ସୂଚନା ଅନୁସାରେ, ଅଧିଳେଶଙ୍କୁ ପ୍ରସାଦ ଆକାରରେ ଶଙ୍କରାଚାର୍ଯ୍ୟ ଲଡୁ ଦେଇଛନ୍ତି ।
ଗଙ୍ଗାରେ ପକାଇଲେ ୧୧ ବୁଡ଼
ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଅଖିଳେଶ କହିଛନ୍ତି, ଦେଶୀ ଗାଈଙ୍କ ସୁରକ୍ଷାକୁ ନେଇ ଶଙ୍କରାଚାର୍ଯ୍ୟ ଗୁରୁତ୍ବାରୋପ କରିଛନ୍ତି । ଗୋମାତାଙ୍କ ସୁରକ୍ଷାକୁ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ଗଙ୍ଗାରେ ୧୧ ଥର ସେ ବୁଡ଼ ପକାଇଥିବା କହିଛନ୍ତି । ଶାସ୍ତ୍ର ଅନୁସାରେ ଯେଉଁମାନେ ଗଙ୍ଗାରେ ୧୧ ଥର ବୁଡ଼ ପକାନ୍ତି ସେମାନେ ପୂଣ୍ୟ ଫଳ ପାଆନ୍ତି । ତେଣୁ ସେ ୧୧ ଥର ବୁଡ଼ ପକାଇଛନ୍ତି ।
ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ୧୪୪ ବର୍ଷ ପରେ ଏଥର ମହାକୁମ୍ଭ ମେଳା ପଡ଼ିଛି । ମକର ସଂକ୍ରାନ୍ତିରେ ପ୍ରାୟ ସାଢେ ତିନିକୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଥିବା ବେଳେ ଆଗାମୀ ମୌନୀ ଅମାବାସ୍ୟାରେ ପ୍ରାୟ ୧୦ କୋଟି ଲୋକ ବୁଡ଼ ପକାଇବେ ବୋଲି ଆକଳନ କରାଯାଇଛି । ଆଉ ଏହାରି ଭିତରେ ନେତାଏ ବି କୁମ୍ଭରେ ବୁଡ଼ ପକାଉଥିବା କାରଣରୁ ଏବେ ଭାରି ଚର୍ଚ୍ଚା ଚାଲିଛି ।