କନକ ବ୍ୟରୋ: ଏବେ ଉତ୍ତରପ୍ରଦେଶରେ ପୂଜା ପାଲଙ୍କୁ ନେଇ ରାଜନୀତି ସରଗରମ ହେଲା ଭଳି ମନେ ହେଉଛି । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବିଜେପି ଉପରେ ଅଭିଯୋଗ ଆଣିବା ସହ ବିଧାୟିକା ପୂଜା ପାଲଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି ବୋଲି କହିଛନ୍ତି । ଏନେଇ ଯାଞ୍ଚ କରିବାକୁ ମଧ୍ୟ ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
ଅଖିଳେଶ ଯାଦବ ବିଜେପି ଉପରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ପୂଜା ପାଲଙ୍କ ଜୀବନକୁ ବିପଦ ଅଛି। କିନ୍ତୁ ୟା ପଛରେ କାହା ହାତ ଅଛି ତାହାର ଯାଞ୍ଚ କରାଯିବା ଉଚିତ । ଦରକାର ପଡ଼ିଲେ ବିଜେପି ତାଙ୍କୁ ମାରିଦେବ କିନ୍ତୁ ଆମକୁ ଜେଲ ଯିବାକୁ ପଡ଼ିବ । ଏଥିପାଇଁ ଯାଞ୍ଚ ହେବା ନିହାତି ଜରୁରି ।
ଅଖିଳେଶ ଆହୁରି ମଧ୍ୟ କହିଛନ୍ତି, ’ଏବେ ରାଜ୍ୟ ସରକାରଙ୍କୁ ଭରସା ନାହିଁ । ଯଦି କେହି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ବି ନିଜକୁ ନିରାପଦ ଭାବୁନି ତାହେଲେ ଘଟଣା ଗମ୍ଭୀର । ପୂଜା ପାଲ୍ ଦୀର୍ଘ ସମୟ ଧରି ସମାଜବାଦୀ ପାର୍ଟି ସହ କାମ କରିଛନ୍ତି । ସେ ସମୟରେ ତାଙ୍କ ଜୀବନକୁ କୌଣସି ପ୍ରକାର ବିପିଦ ନଥିଲା । କିନ୍ତୁ ଏବେ ସ୍ଥିତି ବଦଳିଯାଇଛି ଏବଂ ଷଡ଼ଯନ୍ତ୍ର ରଚାଯାଉଛି ।
ସୂଚନା ମୁତାବକ, ୨ ଦିନ ପୂର୍ବରୁ ପୂଜା ପାଲ ସୋସିଆଲ ମିଡିଆରେ ଏକ ଲେଟର ଜାରି କରି ଅଖିଳେଶଙ୍କ ଉପରେ ଭାରୀ ଅଭିଯୋଗ ଆଣିଥିଲେ । ଲେଖିଥିଲେ, ଯଦି ମୋ ସ୍ବାମୀଙ୍କ ପରି ମୋତେ ହତ୍ୟା କରାଯାଏ ତେବେ ଏଥିପାଇଁ ଦାୟୀ ସମାଜବାଦୀ ପାର୍ଟି ହିଁ ହେବ । ଏହାକୁ ନେଇ ବିବାଦ ଦେଖାଯାଇଥିଲା । ଦ୍ବିତୀୟରେ ବିଧାନସଭା ଅଧିବେଶନ ସମୟରେ ପୂଜା ପାଲ ମୁଖ୍ୟମନ୍ତ୍ରୀ ଯାଗୀ ଆଦିତ୍ୟନାଥଙ୍କ ପ୍ରଶଂସା କରିବାକୁ ଯାଇ କହିଥିଲେ, ’ମୁଖ୍ୟମନ୍ତ୍ରୀ ମାଫିଆ ଅତିକ ଅହମ୍ମଦଙ୍କୁ ମାଟିରେ ମିଶାଇଦେଲେ’ । ଏହି ବିବାଦ ମଧ୍ୟରେ ଅଗଷ୍ଟ ୧୪ ତାରିଖରେ ପୂଜା ପାଲଙ୍କୁ ସମାଜବାଦୀ ପାର୍ଟିରୁ ବହିଷ୍କାର କରାଯାଇଥିଲା । ଟିପ୍ପଣୀ ଦେବାର ୮ ଘଣ୍ଟା ଭିତରେ ହିଁ ତାଙ୍କୁ ଦଳରୁ ବହିଷ୍କାର କରିଦିଆଗଲା ।
ଏବେ ପୂଜାଙ୍କୁ ନେଇ ଅଖିଳେଶଙ୍କ ବୟାନ ଉତ୍ତରପ୍ରଦେଶ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଏଠାରେ ବିଜେପି ଓ ସମାଜବାଦୀ ପାର୍ଟି ସାମନାସାମନି ହୋଇଥିବା ବେଳେ ରାଜନୀତି ଉଷ୍ମତା ଘନେଇବାରେ ଲାଗିଛି ।