କନକ ବ୍ୟୁରୋ: ଦିବଂଗତ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ଅନ୍ତିମ ସଂସ୍କାର ଗୁରୁବାର ବାରାମତିରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ କରାଯାଇଛି । ପୁଅ ପାର୍ଥ ମୁଖାଗ୍ନି ଦେଇଥିଲେ । ପଞ୍ଚଭୂତରେ ବିଲୀନ ହୋଇଛି ଅଜିତ ପାୱାରଙ୍କ ପାର୍ଥିବ ଶରୀର । ଏହାସହିତ ଶେଷ ହୋଇଛି ମହାରାଷ୍ଟ୍ର ରାଜନୀତିର ଏକ ଯୁଗ । ନିଜର ପ୍ରିୟ ନେତାଙ୍କୁ ଶେଷ ବିଦାୟ ଦେବାକୁ ବାରାମତି ବିଦ୍ୟା ପ୍ରତିଷ୍ଠାନ ପଡ଼ିଆ ଲୋକାରଣ୍ୟ ପାଲଟିଥିଲା । ଅଜିତ ପାୱାରଙ୍କ ଦୁଇ ପୁଅ ଜୟ ଓ ପାର୍ଥ, ପତ୍ନୀ ତଥା ରାଜ୍ୟସଭା ସାଂସଦ ସୁନେତ୍ରା ପାୱାର, ଏନ୍ସିପି-ଏସ୍ପି ନେତ୍ରୀ ତଥା ଅଜିତଙ୍କ ଦାଦା ଝିଅ ଭଉଣୀ ସୁପ୍ରିଆ ସୁଲେ ଉପସ୍ଥିତ ଥିଲେ । ଅନ୍ତ୍ୟେଷ୍ଟିରେ ଯୋଗ ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ପ୍ରମୁଖ ବାରାମତିରେ ପହଞ୍ଚି ଥିଲେ ।
ଅଧିକ ପଢନ୍ତୁ: ସରକାର ଯାହାର ବି ହେଉ, ଉପ-ମୁଖ୍ୟମନ୍ତ୍ରୀ ଅଜିତ୍ ପାଓ୍ୱାର
ଗୁରୁବାର ପାୱାର ପରିବାର ଦ୍ବାରା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବିଦ୍ୟା ପ୍ରତିଷ୍ଠାନଠାରେ ଦଳୀୟ କର୍ମୀ, ନେତା, ସମର୍ଥକ ଓ ରାଜନେତାଙ୍କ ଭିଡ଼ ଲାଗି ରହିଥିଲା । ‘ଅଜିତ ଦାଦା ଅମର ରହେ’ ସ୍ଲୋଗାନରେ ବିଦ୍ୟା ପ୍ରତିଷ୍ଠାନ ପଡ଼ିଆ ଗୁଞ୍ଜି ଉଠିଥିଲା । ଗୁରୁବାର ସକାଳ ୯ଟା ପର୍ଯ୍ୟନ୍ତ ଶେଷ ଦର୍ଶନ ପାଇଁ ଅଜିତଙ୍କ ମୃତଦେହ ତାଙ୍କ କାଟେବାଡ଼ି ବାସଭବନରେ ରଖାଯାଇଥିଲା । ସକାଳ ୯ ଟା ୪୫ମିନିଟରେ ଶୋଭାଯାତ୍ରା ମଧ୍ୟରେ ମୃତଦେହକୁ ବିଦ୍ୟା ପ୍ରତିଷ୍ଠାନ ପଡ଼ିଆକୁ ନିଆଯାଇଥିଲା । ମହାରାଷ୍ଟ୍ରରେ ସର୍ବାଧିକ ସମୟ ଉପମୁଖ୍ୟମନ୍ତ୍ରୀ ରହିଥିବା ଅଜିତ ପାୱାରଙ୍କ ମୃତଦେହ ତ୍ରିରଙ୍ଗା ପତାକାରେ ଗୁଡ଼ା ହୋଇ ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିଲା ।
ରାସ୍ତାର ଦୁଇ ପାର୍ଶ୍ବରେ ହଜାର ହଜାର ସଂଖ୍ୟାରେ ଲୋକ ଉପସ୍ଥିତ ରହି ନିଜ ପ୍ରିୟ ନେତାଙ୍କ ଶେଷ ଦର୍ଶନ କରିଥିଲେ। ସୂଚନାଯୋଗ୍ୟ, ବୁଧବାର ସକାଳେ ବିମାନ ଦୁର୍ଘଟଣାରେ ୬୬ ବର୍ଷୀୟ ଅଜିତ ପାୱାରଙ୍କ ପରଲୋକ ଘଟିଥିଲା । ବିମାନରେ ତାଙ୍କ ସହିତ ଉପସ୍ଥିତ ଦୁଇ ପାଇଲଟ ସୁମିତ କପୁର ଓ ସମ୍ଭାବୀ ପାଠକ, ଫ୍ଲାଇଟ ଆଟେଡାଣ୍ଟ ପିଙ୍କି ମାଲି ଓ ଅଜିତ ପାୱାରଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ବିଧିତ୍ ଜାଧବଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ମହାରାଷ୍ଟ୍ର ସରକାର ତିନିଦିନିଆ ଶୋକ ଘୋଷଣା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/29/ajit-pawar-passes-away-2026-01-29-14-41-33.jpg)