ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ, ପରିବାର ସଦସ୍ୟମାନେ ଏବେ ଷଡ଼ଯନ୍ତ୍ରର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଅଜିତ ପାୱାରଙ୍କ ପୁତୁରା ତଥା ଏନସିପି ଶରଦ ପାୱାର ଗୋଷ୍ଠୀ ବିଧାୟକ ରୋହିତ ପାୱାର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦୁର୍ଘଟଣାକୁ ଏକ ଦୁର୍ଘଟଣା ନୁହେଁ ବରଂ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ସେ ମୁଖ୍ୟ ପାଇଲଟ୍ କ୍ୟାପ୍ଟେନ୍ ସୁମିତ କପୁରଙ୍କ ଭୂମିକାକୁ ବିଶେଷ ସନ୍ଦେହଜନକ ବୋଲି କହିଛନ୍ତି।
ଜାନୁଆରି ୨୮ ତାରିଖରେ, ବାରାମତି ବିମାନବନ୍ଦର ନିକଟରେ ଲିଅରଜେଟ୍-୪୫ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ପାଇଲଟ୍ ସୁମିତ କପୁର, କୋ-ପାଇଲଟ୍ ଶାମ୍ଭବୀ ପାଠକ, ପିଏସ୍ଓ ବିଦୀପ ଜାଧବ ଓ ବିମାନ ପରିଚାରିକା ପିଙ୍କି ମାଲି ଥିଲେ।
ପ୍ରାରମ୍ଭିକ ତଦନ୍ତରେ ଖରାପ ପାଗ ଓ ଅବତରଣ ତ୍ରୁଟିକୁ ଏହି ଘଟଣା ପାଇଁ ଦାୟୀ କରାଯାଇଥିଲା। କିନ୍ତୁ ରୋହିତ ପାୱାର ମଙ୍ଗଳବାର ଦିନ ମୁମ୍ବାଇରେ ଓ ବୁଧବାର ଦିନ ଦିଲ୍ଲୀରେ ପୁଣିଥରେ ସାମ୍ବାଦିକ ସମ୍ମିଳନୀରେ ଅନେକ ପ୍ରଶ୍ନ ଉଠାଇଛନ୍ତି। ଭାବପ୍ରବଣ ହୋଇ ପାୱାର କହିଛନ୍ତି, ମୋର କାକା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ବିଷୟରେ ଲୋକଙ୍କର ସନ୍ଦେହ ଅଛି। ମୋର ମଧ୍ୟ ସନ୍ଦେହ ଅଛି। ମୁଁ ମୋର ସୂତ୍ର ମାଧ୍ୟମରେ ସୂଚନା ସଂଗ୍ରହ କରିବାରେ ୧୩ ଦିନ ବିତାଇଛି। ଆମେ ଏହି ପ୍ରସଙ୍ଗ ବିଷୟରେ ବହୁତ ଭାବପ୍ରବଣ। ଆମେ ଜଣେ ପରିବାର ସଦସ୍ୟଙ୍କୁ ହରାଇଛୁ।
ମୁଖ୍ୟ ପାଇଲଟଙ୍କ ବିରୋଧରେ ଅଭିଯୋଗ
ସେ ଜୋର୍ ଦେଇ କହିଛନ୍ତି, ମୋର ପ୍ରମୁଖ ଆପତ୍ତି ମୁଖ୍ୟ ପାଇଲଟ୍ କପୁରଙ୍କ ପ୍ରତି ରହିଛି। ରୋହିତ ଦାବି କରିଛନ୍ତି ଯେ, ପାଇଲଟ୍ଙ୍କ ଅତୀତ ସନ୍ଦେହଜନକ। ପୂର୍ବରୁ ମଦ୍ୟପାନ ପାଇଁ ତାଙ୍କୁ ତିନି ବର୍ଷ ପାଇଁ ନିଲମ୍ବିତ କରାଯାଇଥିଲା। ହ୍ୱାଟ୍ସଆପ୍ ଚାଟ୍ ଓ ମେସେଜ୍ ଉଦ୍ଧୃତି ଦେଇ ସେ ପଚାରିଛନ୍ତି, ଉଡ଼ାଣ ପୂର୍ବରୁ ବ୍ରେଥ୍ ଆନାଲାଇଜର ପରୀକ୍ଷା କରାଯାଇଥିଲା କି? ହଂକଂରୁ ଫେରିବା ପରେ କପୁର ମଦ୍ୟପାନ କରିଥିଲେ କି? ରୋହିତ ପାୱାର ବିମାନ ପରିଚାଳକ ଭିଏସ୍ଆର୍ କମ୍ପାନି ବିରୋଧରେ ମଧ୍ୟ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି, କମ୍ପାନିର ବିମାନ ବେଆଇନ ଭାବେ ପଛ ଭାଗରେ ଅତିରିକ୍ତ ଇନ୍ଧନ ସଂରକ୍ଷଣ କରିଥିଲା ​। ସେମାନଙ୍କର ରକ୍ଷଣାବେକ୍ଷଣରେ ଅବହେଳା ଥିଲା।
ଶେଷ ମୁହୂର୍ତ୍ତରେ ପାଇଲଟ୍ଙ୍କୁ କରାଯାଇଥିଲା ପରିବର୍ତ୍ତନ
ସେ କହିଛନ୍ତି ଯେ ଭିଏସ୍ଆର୍ ସୁରକ୍ଷା ମାନଦଣ୍ଡ ପାଳନ କରୁନଥିବା ସୂଚନା ଆମକୁ ମିଳିଛି। ସେ କ୍ଲିୟରାନ୍ସ ଇଞ୍ଜିନିୟର, ଗୁଣବତ୍ତା ଇଞ୍ଜିନିୟର ଓ ରକ୍ଷଣାବେକ୍ଷଣ ଇଞ୍ଜିନିୟରଙ୍କୁ ଅଟକ ରଖି ପଚରାଉଚରା କରିବାକୁ ଦାବି କରିଛନ୍ତି। ଶେଷ ମୁହୂର୍ତ୍ତରେ ପାଇଲଟ୍ ପରିବର୍ତ୍ତନ କରିବା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ପ୍ରଥମେ ପାଇଲଟ୍ ସାହିଲ ମଦନ ଓ କୋ-ପାଇଲଟ୍ ଯଶଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ସୁମିତ କପୁର ଓ ଶାମ୍ଭବୀ ପାଠକଙ୍କୁ ବଦଳାଯାଇଥିଲା। ରୋହିତ ପଚାରିଛନ୍ତି, ଟ୍ରାଫିକ୍ ଭିଡ଼ ଯୋଗୁ ପ୍ରଥମ ପାଇଲଟ୍ କାହିଁକି ପହଞ୍ଚି ପାରିଲେ ନାହିଁ। କିନ୍ତୁ କପୁର କିପରି ପହଞ୍ଚିଗଲେ। ସେ ଶେଷ ମୁହୂର୍ତ୍ତରେ ଟ୍ରାନ୍ସପଣ୍ଡର୍ ବନ୍ଦ ହୋଇଯିବା, ଭଏସ୍ ରେକର୍ଡିଂର ଅଭାବ ଓ ଅନ୍ୟାନ୍ୟ ଯାନ୍ତ୍ରିକ ତ୍ରୁଟି ବିଷୟରେ ସେ ଉଲ୍ଲେଖ କରିଛନ୍ତି।
ଆଗକୁ ପଢ଼ନ୍ତୁ : ପ୍ରେମରେ ପଡ଼ିଥିଲେ ପାୱାର୍ : ମନ୍ତ୍ରୀଙ୍କ ଝିଅ ସହ ମିଶିଥିଲା ମନ,ଏମିତି ଥିଲା ଅଜିତଙ୍କ ଲଭ୍ ଷ୍ଟୋରି
ରାଜ୍ୟସ୍ତରୀୟ ତଦନ୍ତ ଉପରେ ବିଶ୍ୱାସ ନାହିଁ
ରାଜ୍ୟସ୍ତରୀୟ ତଦନ୍ତ ଉପରେ ତାଙ୍କର ବିଶ୍ୱାସ ନଥିବାରୁ ରୋହିତ ପାୱାର ତଦନ୍ତକୁ ଏକ କେନ୍ଦ୍ରୀୟ ଏଜେନ୍ସି ତଥା ଦୁଇଟି ଅନ୍ତର୍ଜାତୀୟ ଏଜେନ୍ସି ଯେପରିକି ୟୁକେର ଏଏଆଇବି କିମ୍ବା ଫ୍ରାନ୍ସର ବିଇଏ ଉପରେ ନ୍ୟସ୍ତ କରିବାକୁ ଦାବି କରିଛନ୍ତି।
୧୦୦% ଷଡ଼ଯନ୍ତ୍ର, ପାରିବାରିକ ମତଭେଦ ପଦାରେ
ସେ କହିଛନ୍ତି ଯେ ଏହା ଏକ ୧୦୦% ଷଡ଼ଯନ୍ତ୍ର। ଏକ ସାଧାରଣ ଦୁର୍ଘଟଣା ନୁହେଁ। ତାଙ୍କର ଏଭଳି ମନ୍ତବ୍ୟ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଏନ୍ସିପି(ଏସ୍ପି) ମୁଖ୍ୟ ଶରଦ ପାୱାର ପ୍ରଥମେ ଏହାକୁ ଏକ ଦୁର୍ଘଟଣା ବୋଲି କହିଥିଲେ। କିନ୍ତୁ ରୋହିତଙ୍କ ଅଭିଯୋଗ ପାରିବାରିକ ମତଭେଦକୁ ପଦାରେ ପକାଇଛି। ଏହି ମାମଲା ମହାରାଷ୍ଟ୍ର ରାଜନୀତିରେ ଏକ ନୂତନ ବିବାଦ ସୃଷ୍ଟି କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/11/rohit-pawar-2026-02-11-15-35-09.jpg)