କନକ ବ୍ୟୁରୋ: ଆମେରିକାର ବର୍ଦ୍ଧିତ ବାଣିଜ୍ୟ ଶୁଳ୍କକୁ ନେଇ ଚାପ ମଧ୍ୟରେ ଭାରତ ଏବଂ ରୁଷ ନିଜର "ରଣନୈତିକ ଭାଗିଦାରୀ"କୁ ଆହୁରି ମଜଭୁତ କରିଛନ୍ତି । ଗତ ଗୁରୁବାର(ଅଗଷ୍ଟ ୭) ଦିନ କ୍ରେମଲିନରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକ ସମ୍ପର୍କରେ ଋଷର ସରକାରୀ ସମ୍ବାଦ ସଂସ୍ଥା ଆରଆଇଏ (RIA) ଖବର ପ୍ରକାଶ କରିଛି ।
ଭାରତ ଋଷଠାରୁ ଲଗାତାର ତେଲ କିଣୁଥିବାରୁ ଆମେରିକା ଭାରତୀୟ ଆମଦାନୀ ଉପରେ ଅତିରିକ୍ତ ଶୁଳ୍କ ଲଗାଉଥିବା ବେଳେ ଋଷ ସହ ସମ୍ପର୍କକୁ ମଜଭୁତ କରୁଛି ଭାରତ । ବୁଧବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କାର୍ଯ୍ୟକାରୀ ଆଦେଶରେ ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ଯାହାଫଳରେ ମୋଟ ଆମଦାନୀ ଶୁଳ୍କ ୫୦ ପ୍ରତିଶତରେ ପହଞ୍ଚିଛି । ଏହି ନୂଆ ଶୁଳ୍କ ବ୍ୟବସ୍ଥା ଦୁଇଟି ପର୍ଯ୍ୟାୟରେ ଲାଗୁ ହେବ: ପ୍ରଥମ ୨୫ ପ୍ରତିଶତ ବୃଦ୍ଧି ଅଗଷ୍ଟ ୭ରୁ ଲାଗୁ ହୋଇଥିବାବେଳେ, ଦ୍ୱିତୀୟ ପର୍ଯ୍ୟାୟ ୨୧ ଦିନ ପରେ ଲାଗୁ ହେବ । ୪ ବର୍ଷ ଧରି ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବାକୁ ମସ୍କୋ ରାଜି ନହେବାରୁ, ଋଷଠାରୁ ଅଶୋଧିତ ତେଲ କିଣୁଥିବା ଦେଶମାନଙ୍କ ଉପରେ ମଧ୍ୟ ଆମେରିକା କଟକଣା ଲଗାଇବାକୁ ଧମକ ଦେଇଛି ।
ୱାଶିଂଟନର ଏହି ପଦକ୍ଷେପକୁ ନୂଆଦିଲ୍ଲୀ "ଦୁର୍ଭାଗ୍ୟଜନକ" ବୋଲି କହିବା ସହ ନିଜର ସ୍ୱାର୍ଥ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ଶୁଳ୍କକୁ "ଅନ୍ୟାୟ, ଅଯୌକ୍ତିକ ଏବଂ ଅହେତୁକ" ବୋଲି କହିଛନ୍ତି ଏବଂ ନୂଆଦିଲ୍ଲୀ ନିଜର ଅର୍ଥନୈତିକ ସାର୍ବଭୌମତ୍ୱର ସୁରକ୍ଷା ପାଇଁ "ସମସ୍ତ ଆବଶ୍ୟକୀୟ ପଦକ୍ଷେପ" ନେବ ବୋଲି ଚେତାବନୀ ଦେଇଛନ୍ତି । ସମାଲୋଚକମାନେ ୱାଶିଂଟନର ଦୋମୁହାଁ ନୀତିକୁ ମଧ୍ୟ ସମାଲୋଚନା କରିଛନ୍ତି, କାରଣ ଆମେରିକା ନିଜେ ଋଷଠାରୁ ୟୁରାନିୟମ୍ ହେକ୍ସାଫ୍ଲୋରାଇଡ୍, ପାଲାଡିୟମ୍ ଏବଂ ସାର ଆମଦାନୀ ଜାରି ରଖିଛି ।
ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଏମଏସ ସ୍ୱାମୀନାଥନ ଶତବାର୍ଷିକୀ ଆନ୍ତର୍ଜାତୀୟ ସମ୍ମିଳନୀରେ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆମେରିକାର ନାମ ନ ନେଇ ମୋଦୀ କହିଛନ୍ତି ଯେ ଭାରତ ବାହ୍ୟ ଚାପରେ ନଇଁବ ନାହିଁ, ଏଥିପାଇଁ ଯେତେ ମୂଲ୍ୟ ଦେବାକୁ ପଡ଼ିଲେ ମଧ୍ୟ ଭାରତ ପ୍ରସ୍ତୁତ ଅଛି ।
ଅନ୍ୟପଟେ, ଡୋଭାଲ ନିଶ୍ଚିତ କରିଛନ୍ତି ଯେ ଋଷ ରାଷ୍ଟ୍ରପତି ପୁଟିନ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଗସ୍ତରେ ଆସିବେ ଏବଂ ଏହାର ତାରିଖ ଚୂଡ଼ାନ୍ତ କରାଯାଉଛି । ୨୦୨୨ରେ ଋଷ-ୟୁକ୍ରେନ ସଂଘର୍ଷ ଆରମ୍ଭ ହେବା ପରଠୁ ଏହା ପୁଟିନଙ୍କ ପ୍ରଥମ ଭାରତ ଗସ୍ତ ହେବ । ଋଷ ସୁରକ୍ଷା ପରିଷଦର ସଚିବ ସର୍ଗେଇ ଶୋଇଗୁଙ୍କ ସହ ଏକ ପୃଥକ ବୈଠକରେ ଡୋଭାଲ କହିଛନ୍ତି ଯେ ଆଗାମୀ ଏହି ଗସ୍ତକୁ ନେଇ ନୂଆଦିଲ୍ଲୀ "ଉତ୍ସାହିତ ଏବଂ ଆନନ୍ଦିତ" ଅଛି ।