କନକ ବ୍ୟୁରୋ: ରିଲାଏନ୍ସ ଜିଓ ପରେ ଏବେ ଏୟାରଟେଲ ମଧ୍ୟ ନିଜର ଏକ ଲୋକପ୍ରିୟ ପ୍ରିପେଡ୍ ରିଚାର୍ଜ ପ୍ଲାନକୁ ବନ୍ଦ କରିଛି । ଜିଓ ନିକଟରେ ନିଜର ୨୪୯ ଟଙ୍କିଆ ପ୍ଲାନକୁ ବନ୍ଦ କରିଦେଇଥିବା ବେଳେ ଏବେ ଏୟାରଟେଲ ମଧ୍ୟ ସମାନ ପଦକ୍ଷେପ ନେଇଛି । କମ୍ପାନି ନିଜର ୨୪୯ ଟଙ୍କିଆ ଏଣ୍ଟ୍ରି-ଲେଭଲ ରିଚାର୍ଜ ପ୍ଲାନକୁ ବନ୍ଦ କରିଦେଇଛି । ଏହି ପ୍ଲାନ୍ ଚଳିତ ମାସ ଅଗଷ୍ଟ ୨୦ ମଧ୍ୟରାତ୍ରିରୁ ଆଉ ଉପଲବ୍ଧ ନାହିଁ ବୋଲି ଏୟାରଟେଲ ଥ୍ୟାଙ୍କସ ଆପ୍ରେ ସୂଚନା ଦିଆଯାଇଛି ।
ଜିଓ ଭଳି ଏୟାରଟେଲ୍ର ଏହି ଲୋକପ୍ରିୟ ୨୪୯ ଟଙ୍କିଆ ପ୍ଲାନରେ ଗ୍ରାହକମାନଙ୍କୁ ଦୈନିକ ହାଇ-ସ୍ପିଡ୍ ଇଣ୍ଟରନେଟ, ଅନ୍ଲିମିଟେଡ୍ କଲିଂ ଏବଂ ପ୍ରତିଦିନ ୧୦୦ ଏସଏମଏସ ଭଳି ଅନେକ ସୁବିଧା ମିଳୁଥିଲା । ଏହା ଗ୍ରାହକଙ୍କ ମଧ୍ୟରେ ସବୁଠାରୁ ଅଧିକ ବ୍ୟବହୃତ ପ୍ଲାନମାନଙ୍କ ମଧ୍ୟରୁ ଗୋଟିଏ ଥିଲା ।
ଏବେ ଦେବାକୁ ପଡ଼ିବ ୫୦ ଟଙ୍କା ଅଧିକ
୨୪୯ ଟଙ୍କିଆ ପ୍ଲାନ ବନ୍ଦ ହେବାପରେ, ଗ୍ରାହକମାନଙ୍କୁ ଏବେ ସେସବୁ ସୁବିଧା ପାଇବା ପାଇଁ ଅତିକମରେ ୫୦ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ବର୍ତ୍ତମାନ ଏୟାରଟେଲର ସବୁଠାରୁ ଶସ୍ତା ଦୈନିକ ଡାଟା ପ୍ଲାନ ହେଉଛି ୨୯୯ ଟଙ୍କା । ଏହି ପ୍ଲାନରେ ଗ୍ରାହକମାନଙ୍କୁ ୨୮ ଦିନର ବୈଧତା ସହିତ ପ୍ରାୟ ଦୈନିକ ହାଇ-ସ୍ପିଡ୍ ଇଣ୍ଟରନେଟ, ଅସୀମିତ କଲିଂ ଏବଂ ପ୍ରତିଦିନ ୧୦୦ ଏସଏମଏସ ଭଳି ଅନେକ ସୁବିଧା ମିଳିବ ।
ଏହି ପରିବର୍ତ୍ତନ ପରେ ଟେଲିକମ୍ କମ୍ପାନିଗୁଡ଼ିକ ଗ୍ରାହକମାନଙ୍କୁ ଅଧିକ ମୂଲ୍ୟର କିମ୍ବା ଅଧିକ ଦିନର ବୈଧତା ଥିବା ପ୍ଲାନ ଆଡ଼କୁ ନେବାକୁ ଚେଷ୍ଟା କରୁଥିବା ଅନୁମାନ କରାଯାଉଛି । ବର୍ତ୍ତମାନ କେବଳ ଭୋଡାଫୋନ ଆଇଡିଆ (Vi) ଏକମାତ୍ର ପ୍ରମୁଖ ଟେଲିକମ୍ କମ୍ପାନି ଭାବରେ ୨୪୯ ଟଙ୍କିଆ ପ୍ରିପେଡ୍ ରିଚାର୍ଜ ପ୍ଲାନ ଗ୍ରାହକ ପାଇଁ ରଖିଛି ।
କିଛି ଦିନ ପୂର୍ବରୁ ଜିଓ ମଧ୍ୟ ତାର ୨୪୯ ଟଙ୍କିଆ ରିଚାର୍ଜ ପ୍ଲାନ୍କୁ ବନ୍ଦ କରିଛି । ଜିଓ ଏହି ପ୍ଲାନ୍ ବନ୍ଦ କରିବାର କୌଣସି ଅଫିସିଆଲ କାରଣ କହିନାହିଁ, କିନ୍ତୁ ଅନୁମାନ କରାଯାଉଛି ଯେ କମ୍ପାନୀ ନିଜର ଲାଭ ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପ ନେଇଛି । ଏହି ପ୍ଲାନ୍ ହଟିଯିବା ପରେ ଏବେ ଗ୍ରାହକମାନଙ୍କୁ ଅନ୍ୟ ବିକଳ୍ପ ବାଛିବାକୁ ପଡ଼ିବ, ଯାହାକି ଅଧିକ ମହଙ୍ଗା କିମ୍ବା କମ୍ ବୈଧତା ସହିତ ଆସୁଛି ।
ଯଦି ଆପଣ ଏବେବି ଏକ ବଜେଟ୍-ଫ୍ରେଣ୍ଡଲି ପ୍ଲାନ୍ ଖୋଜୁଛନ୍ତି, ତେବେ ଜିଓର ୨୩୯ ଟଙ୍କିଆ ପ୍ଲାନ୍ ଏକ ବିକଳ୍ପ ହୋଇପାରେ। ତେବେ, ଏଥିରେ କିଛି ବଡ଼ ପରିବର୍ତ୍ତନ କରିଛି ଜିଓ । ଏଥିରେ ଆପଣଙ୍କୁ ଦୈନିକ ୧.୫ GB ଡାଟା ମିଳିବ । ଅନ୍ଲିମିଟେଡ୍ କଲିଂ ଏବଂ ଦୈନିକ ୧୦୦ SMSର ସୁବିଧା ବି ଦିଆଯାଇଛି । କିନ୍ତୁ, ଏହାର ବୈଧତା ମାତ୍ର ୨୨ ଦିନ, ଯାହା ୨୮ ଦିନର ପ୍ଲାନ୍ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ସମସ୍ୟା ସୃଷ୍ଟି କରିପାରେ ।