କନକ ବ୍ୟୁରୋ: ମୋବାଇଲ ୟୁଜର୍ସଙ୍କ ଉପରେ ପୁଣି ଦାଉ ସାଧିଲା ଟେଲିକମ୍‌ କମ୍ପାନୀ । ଟ୍ରାଇର ସ୍ପଷ୍ଟ ନିର୍ଦ୍ଦେଶକୁ ଖାତିର କରୁନାହାନ୍ତି କୌଣସି ଟେଲିକମ୍‌ ନେଟ୍‌ୱାର୍କ । ରିଚାର୍ଜ ପ୍ଲାନ୍ ଶସ୍ତା କରିବାକୁ ନିର୍ଦ୍ଦେଶ ଥିବା ସତ୍ତ୍ୱେ ପୁଣି ରିଚାର୍ଜ ଦାମ ବୃଦ୍ଧି କରିଛି ଟେଲିକମ୍‌ କମ୍ପାନୀ । ଯାହାର ପ୍ରଭାବ ସାଧାରଣ ମୋବାଇଲ ୟୁଜର୍ସଙ୍କ ପକେଟ୍ ଉପରେ ପଡ଼ିବ । ଡାଟା ନଥିବା ପ୍ୟାକ୍‌ ଶସ୍ତା କରିବା ଉପରେ ଫୋକସ କରୁଛି ଟ୍ରାଇ । ଏହାକୁ ନେଇ ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ଜାରି ହୋଇଥିଲେ ବି ଏହାକୁ ନେଇ ଟେଲିକମ୍‌ କମ୍ପାନୀଗୁଡ଼ିକ ମାନୁ ନାହାନ୍ତି । 

Advertisment

ବର୍ଦ୍ଧିତ ଟାରିଫ୍‌ ଅନୁଯାୟୀ ଏୟାରଟେଲ ନିଜର ରିଚାର୍ଜ ପ୍ଲାନ୍‌ଗୁଡ଼ିକରେ ୧୦ରୁ ୧୨ ପ୍ରତିଶତ ବୃଦ୍ଧି କରିଛି । ଫଳରେ ପୂର୍ବରୁ ଯେଉଁ  ୬ ଜିବି ଡାଟା ପାଇଁ ୫୦୯ ଟଙ୍କା ଖର୍ଚ୍ଚ  କରିବାକୁ ପଡ଼ୁଥିଲା, ଏଥିପାଇଁ ଏବେ ୫୫୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ସେହିଭଳି  ୨୪ ଜିବି ଡାଟା ପାଇଁ ଏଥର ୟୁଜର୍ସଙ୍କୁ ୨୨୪୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏଥିପାଇଁ ପୂର୍ବରୁ ୧୯୯୯ ଟଙ୍କା ରିଚାର୍ଜ କରିବାକୁ ପଡ଼ୁଥିଲା । ଏୟାରଟେଲ୍‌ର ବର୍ଦ୍ଧିତ ଦର ଏବେ ତାର ୟୁଜର୍ସଙ୍କ ପାଇଁ ଚିନ୍ତାର କାରଣ ପାଲଟିବ ତାହା ନୁହେଁ ବରଂ ଅନ୍ୟ ୟୁଜର୍ସଙ୍କ ଉପରେ ବି ଏହାର ପ୍ରଭାବ ପଡ଼ିବାକୁ ଯାଉଛି । କାରଣ ଏୟାରଟେଲ୍‌ ପରେ ଅନ୍ୟ ଟେଲିକମ୍‌ କମ୍ପାନୀଗୁଡ଼ିକ ମଧ୍ୟ ଶୀଘ୍ର ଟାରିଫ୍‌ ମୂଲ୍ୟ ବୃଦ୍ଧି କରିବେ । 

ଫଳରେ ଏୟାରଟେଲ୍‌ ପରେ ଜିଓ ଓ ଭୋଡ଼ାଫୋନ୍‌ ୟୁଜର୍ସ ମଧ୍ୟ ରିଚାର୍ଜ୍ ପାଇଁ ଅଧିକ ୧୦ରୁ ୧୨ ପ୍ରତିଶତ ଅଧିକ ଟଙ୍କା ଖର୍ଚ୍ଚ କରିବେ । ରିଚାର୍ଜ ପ୍ଲାନ୍ ଶସ୍ତା କରିବାକୁ ନିର୍ଦ୍ଦେଶ ସତ୍ତ୍ୱେ ମହଙ୍ଗା ହେଉଛି ଭଏସ୍‌ ପ୍ୟାକ୍‌ । ସାଧାରଣ ଲୋକଙ୍କ ପାଇଁ ରିଚାର୍ଜ ପ୍ଲାନ୍ ଶସ୍ତା କରିବାକୁ ଟ୍ରାଇର ଫୋକସ୍ ରହିଛି । ଏଣୁ ୨ଜି ପ୍ୟାକ୍‌ଗୁଡ଼ିକରୁ ଡାଟା ହଟାଇ ଟାରିଫ୍‌ ହ୍ରାସ କରିବାକୁ ନିର୍ଦ୍ଦେଶ ରହିଥିଲା । ଖାଲି ସେତିକି ନୁହେଁ କେବଳ ଭଏସ୍‌ ପ୍ଲାନ୍‌ ଆରମ୍ଭ କରିବାକୁ ଟେଲିକମ୍ କମ୍ପାନୀଗୁଡ଼ିକୁ କହିଥିଲା ଟ୍ରାଇ । 

ନିର୍ଦ୍ଦେଶ ମୁତାବକ ସମସ୍ତ ଟେଲିକମ୍‌ କମ୍ପାନୀଗୁଡ଼ିକ କେବଳ ଭଏସ୍ ପ୍ୟାକ୍‌ ଆରମ୍ଭ କରିଛନ୍ତି । କିନ୍ତୁ ଏଥିରୁ ୟୁଜର୍ସଙ୍କୁ କୌଣସି ଲାଭ ମିଳିବ ନାହିଁ । ରିଚାର୍ଜ୍‌ ପ୍ଲାନ୍‌ ମୂଲ୍ୟରେ ୧୦ରୁ ୧୨ ପ୍ରତିଶତ ବୃଦ୍ଧି ହୋଇଛି । ଯଦି ସଠିକ ଢଙ୍ଗରେ ଟ୍ରାଇ ନିର୍ଦ୍ଦେଶର ଅନୁପାଳନ ହୋଇଥାଆନ୍ତା ତେବେ ଦେଶର ୧୫ କୋଟି ୨ଜି  ମୋବାଇଲ ୟୁଜର୍ସ ଉପକୃତ ହୋଇପାରନ୍ତେ । ଯେଉଁମାନେ ଦୁଇଟି ସିମ୍‌ ବ୍ୟବହାର କରୁଛନ୍ତି ଓ ଗୋଟିଏ ସିମ୍‌ କେବଳ କଲିଂ ଓ ଏସଏମ୍‌ଏସ୍‌ ପାଇଁ ବ୍ୟବାହାର କରୁଛନ୍ତି । ଏୟାରଟେଲ୍‌ ପରେ ଅନ୍ୟ ଟେଲିକମ୍‌ କମ୍ପାନୀଗୁଡ଼ିକ ରିଚାର୍ଜ୍ ପ୍ଲାନ୍‌ କେତେ ବୃଦ୍ଧି କରୁଛନ୍ତି ତାହାରି ଉପରେ ସଭିଙ୍କ ନଜର ରହିଛି ।