କନକ ବ୍ୟୁରୋ : ପାକିସ୍ତାନକୁ ବଡ଼ ଝଟକା ଲାଗିଛି । ସୀମାରେ ଥିବା ରାୱଲପିଣ୍ଡିର ନୁର ଖାନ ସାମରିକ ଘାଟି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଘାଟି ଉପରେ ତାଲିବାନ ପକ୍ଷରୁ ଏୟାର୍ ଷ୍ଟ୍ରାଇକ୍ କରାଯାଇଛି । ଫଳରେ ବ୍ୟାପକ ଧ୍ୱଂସ ଘଟିଛି । ଆଫଗାନିସ୍ତାନର ତାଲିବାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବରେ ଦାବି କରିଛି ଯେ, ସେମାନେ ପାକିସ୍ତାନର ସମ୍ପ୍ରତିକ ବିମାନ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ରାୱଲପିଣ୍ଡିର ନୁର ଖାନ ଏୟାରବେସ ଉପରେ ଆକ୍ରମଣ କରିଛନ୍ତି । ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ କ୍ୱେଟାସ୍ଥିତ ୧ କର୍ପ୍ସ ଏବଂ ଅନ୍ୟାନ୍ୟ ପ୍ରମୁଖ ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ମଧ୍ୟ ଟାର୍ଗେଟ କରାଯାଇଛି ।

Advertisment

ତାଲିବାନ ଅନୁଯାୟୀ, ଏହି ପ୍ରତିଶୋଧମୂଳକ ଆକ୍ରମଣ ଆବଶ୍ୟକ ଥିଲା କାରଣ ପାକିସ୍ତାନୀ ସେନା ପୂର୍ବରୁ କାବୁଲ ତଥା ବାଗ୍ରାମ ଭଳି ନିରାପଦ ଆଶ୍ରୟସ୍ଥଳଗୁଡ଼ିକୁ ଟାର୍ଗେଟ କରିବାକୁ ସାହସ କରିଥିଲା । ତାଲିବାନ କହିଛି ଯେ ସେମାନଙ୍କର ବାୟୁସେନା ଖାଇବର ପଖତୁନଖ୍ୱାର ମହମ୍ମଦ ଏଜେନ୍ସି ଓ ଘେଲାନି ସାମରିକ ଘାଟି ଉପରେ ମଧ୍ୟ ଅତ୍ୟନ୍ତ ସଠିକ ଏବଂ ସଫଳ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣଗୁଡ଼ିକ ରାୱଲପିଣ୍ଡି ଭଳି ସୁରକ୍ଷିତ ବିବେଚିତ ଅଞ୍ଚଳଗୁଡ଼ିକରେ ମଧ୍ୟ ସାମରିକ କମାଣ୍ଡ କେନ୍ଦ୍ରଗୁଡ଼ିକୁ ଯଥେଷ୍ଟ କ୍ଷତି ପହଞ୍ଚାଇଛି ।

ଅଧିକ ପଢନ୍ତୁ : ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ : ଆମେରିକା–ଇସ୍ରାଏଲ ଓ ଇରାନ ମଧ୍ୟରେ ସାରାରାତି ଆକ୍ରମଣ

ତାଲିବାନ ଏବେ ଏକ ସ୍ପଷ୍ଟ ଚେତାବନୀ ଦେଇଛି ଯେ, ଯଦି ପାକିସ୍ତାନୀ ବାୟୁସେନା ପୁନର୍ବାର ଦୁଃସାହସ କରେ ତେବେ ଆମେ ଅଧିକ ଘାତକ ଏବଂ କଠୋର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଆଫଗାନିସ୍ତାନ ରାଜଧାନୀ କାବୁଲରେ ବିସ୍ଫୋରଣ ଏବଂ ପାକିସ୍ତାନୀ ଜେଟ୍‌ର ଅନୁପ୍ରବେଶ ସମଗ୍ର ଦକ୍ଷିଣ ଏସିଆରେ ଏକ ବଡ଼ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି । ତେବେ ତାଲିବାନ ଦାବି ଉପରେ ପାକିସ୍ତାନ ପକ୍ଷରୁ କୌଣସି ସରକାରୀ ସ୍ପଷ୍ଟୀକରଣ ଦିଆଯାଇନାହିଁ । ସମଗ୍ର ଅଞ୍ଚଳରେ ଉତ୍ତେଜନା ଜାରି ରହିଛି ।