କନକ ବ୍ୟୁରୋ: ଇସ୍ରାଏଲ ଉପରେ ଅଚାନକ ପ୍ରାୟ ୨୦୦ ରକେଟ୍‌ ମାଡ଼ କଲା ଇରାନ୍‌ । କେହି କିଛି ବୁଝିବା ଆଗରୁ ଆକାଶରୁ ବର୍ଷିଲା ମୃତ୍ୟୁର ନିଆଁ ।   ବିଶେଷ କରି ଇସ୍ରାଏଲର ତେଲ ଅଭିଭରେ ଥିବା ସେନା ଶିବିର, ରାଡାର ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲା ଇରାନ୍‌ । ବାଲିଷ୍ଟିକ ମିସାଇଲ ହୋଇଥିବାରୁ ୯୦ ପ୍ରତିଶତ ଟାର୍ଗେଟକୁ ହିଟ୍‌ କରିଥିବା ଦାବି କରିଛି 'ଇସ୍ଲାମିକ ରିଭୋଲ୍ୟୁସନାରି ଗାର୍ଡ କର୍ପ୍ସ' । 

Advertisment

ତେଲ ଅଭିଭ ସହ ଜେରୁସେଲମ ଓ ଜୋର୍ଡାନ ଯାଏଁ ଶୁଣିବାକୁ ମିଳିଛି ବିସ୍ଫୋରଣର ଶବ୍ଦ । କିନ୍ତୁ କୌଣସି କ୍ଷୟକ୍ଷତି ନେଇ ସ୍ପଷ୍ଟ କରିନାହିଁ ଇସ୍ରାଏଲ ।  ଗତ ଜୁଲାଇରେ ହମାସ ମୁଖ୍ୟ ଇସମାଇଲ ହାନିଆକୁ ହତ୍ୟାର ଏକପ୍ରକାର ପ୍ରତିଶୋଧ ନେଇଛି ତେହରାନ୍‌ । ହସନ ନସରଲ୍ଲା, ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ମୃତ୍ୟୁର ମଧ୍ୟ ପ୍ରତିଶୋଧ ନେଇଛି ଇରାନ ।

  • ଲେବାନନ ଲଢ଼େଇରେ ଇରାନ କେବଳ ସାଥୀକୁ ସହଯୋଗ କରିନାହିଁ
  • ବରଂ ଇସ୍ରାଏଲକୁ ସହଯୋଗ କରୁଥିବା ଦେଶଗୁଡ଼ିକୁ ଚେତାବନୀ ଦେଇଛି
  • ଯୁଦ୍ଧକୁ ଓହ୍ଲାଇଲେ, ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଇଛି ତେହରାନ୍‌

ଇରାନର ମିସାଇଲ ଆକ୍ରମଣକୁ କଡ଼ା ନିନ୍ଦା କରିଥିଲା ଆମେରିକା । ଏପରିକି ଇରାନ ମିସାଇଲକୁ ମାରି ଖସାଇ ଦେବାପାଇଁ ସେନାକୁ ଦେଇଥିଲା ନିର୍ଦ୍ଦେଶ । ଇରାନ-ଇସ୍ରାଏଲ ଯୁଦ୍ଧରେ ଇସ୍ରାଏଲ ସହ ଆମେରିକା ଛିଡ଼ା ହୋଇଥିବାରୁ ପରୋକ୍ଷରେ ଚେତାଇ ଦେଇଛି ଇରାନ୍‌ ।

ଇରାନ୍‌ ଆକ୍ରମଣ ପରେ ପ୍ରତିଶୋଧ ପରାୟଣ ହୋଇ ପାଲଟା ଆକ୍ରମଣ କରିଛି ଇସ୍ରାଏଲ । ଲେବାନନର ଦକ୍ଷିଣ ପ୍ରାନ୍ତ ବେରୁଟ୍‌ରେ ଆକ୍ରମଣ କରିଛି ଇସ୍ରାଏଲ ସେନା । ଏହି ଅଞ୍ଚଳରେ ହିଜବୁଲ୍ଲାର ଉପସ୍ଥିତି ରହିଛି । ତେଣୁ ବେଞ୍ଜାମିନ ନେତନ୍ୟାହ୍ୟୁ ଜୋରଦାର ଏୟାର ଷ୍ଟ୍ରାଇକ କରିଛନ୍ତି । ଇରାନକୁ ଖୋଲା ଚେତାବନୀ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହ୍ୟୁ, କହିଛନ୍ତି, "ମସ୍ତବଡ଼ ଭୁଲ କରିଦେଇଛି ଇରାନ, ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ । ପ୍ରତିଆକ୍ରମଣ ପାଇଁ ଯୋଜନା ସରିଛି, କେଉଁଠି ଓ କେବେ ଆକ୍ରମଣ ହେବ ଆମେ ସ୍ଥିର କରିବୁ । ଇରାନ ଆକ୍ରମଣ ପରେ ଆମେରିକା ମଧ୍ୟ କଠୋର ଆଭିମୁଖ୍ୟ ଦେଖାଇଛି ।"

ଗତକାଲି ଇରାନ ମିସାଇଲକୁ ମାରି ଖସାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ରାଷ୍ଟ୍ରପତି ଜୋ’ ବାଇଡେନ୍‌ । ହ୍ୱାଇଟ୍ ହାଉସ୍ ରୁମରେ ବସି ପୁରା ସ୍ଥିତି ନୀରିକ୍ଷଣ କରୁଥିଲେ ବାଇଡେନ୍‌ ଓ କମଲା ହାରିସ ।  ଆମେରିକା ରାଷ୍ଟ୍ରପତି କହିଛନ୍ତି, ''ଇରାନର ବାଲିଷ୍ଟିକ ମିସାଇଲ ଆକ୍ରମଣକୁ ଆମେରିକା ଓ ଇସ୍ରାଏଲ ବିଫଳ କରିଛି । ମଧ୍ୟ-ପ୍ରାଚ୍ୟରେ ଅଶାନ୍ତି ସୃଷ୍ଟି କରୁଥିବାରୁ ଇରାନକୁ ପରିଣାମ ଭୋଗିବାକୁ ପଡ଼ିବ ।"

ଲେବାନନ ଲଢ଼େଇରେ ଇରାନ ଓ ଇସ୍ରାଏଲ ମୁହାଁମୁହିଁ ହେବା ପରେ ମଧ୍ୟ-ପ୍ରାଚ୍ୟରେ ଭୟଙ୍କର ପରିସ୍ଥିତି ଉପୁଜିଛି । ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ପୃଥିବୀ ମୁହାଁଉଥିବାବେଳେ ଯୁଦ୍ଧର ପ୍ରଭାବ ଭାରତ ଉପରେ ପଡ଼ିବା ଆଶଙ୍କା କରାଯାଉଛି । ଏବଠାରୁ ଅଶୋଧିତ ତୈଳଦର ବୃଦ୍ଧି ହେଲାଣି । ଆଗକୁ ଦରଦାମ ଆହରୁ ବଢିବା ଆଶଙ୍କା କରାଯାଉଛି । ଏପଟେ ଇରାନ ଓ ଲେବାନନେ ଥିବା ଭାରତୀୟଙ୍କ ପାଇଁ ଜାରି ହୋଇଛି ଆଡଭାଇଜରୀ । ଆବଶ୍ୟକ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।