କନକ ବ୍ୟୁରୋ: ଆଜି ସନ୍ଧ୍ୟା ୫ରୁ ସକାଳ ୯ ଯାଏଁ ବିମାନ ସେବା ବନ୍ଦ । ଭୁବନେଶ୍ୱର ବିମାନ ବନ୍ଦରରେ ବନ୍ଦ ରହିବ ବିମାନ ଚଳାଚଳ । କାଲି ସକାଳେ ପୁଣି ସମୀକ୍ଷା କରିବେ ବିମାନ ବନ୍ଦର କର୍ତ୍ତୃପକ୍ଷ । ତେବେ ଏନେଇ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି, ଏଥିରେ ୪୦ ବିମାନର ସେବା ପ୍ରଭାବିତ ହେବ । ଯେଉଁଥିରେ କିଛି ବନ୍ଦ ରହିବ, କିଛି ବିଳମ୍ବ ହେବ, କିଛି ରିସିଡ୍ୟଲ ହେବ କି ଟିକେଟ କ୍ୟାନସଲ ହେବ । ହେଲେ ଯାତ୍ରୀଙ୍କ ସୁରକ୍ଷା ବଡ଼ । ଏବେ ଦିଲ୍ଲୀ ହେଡ଼କ୍ୱାର୍ଟର ଓ ବେସାମାରିକ ବିମାନ ଚଳାଚଳ ମନ୍ତ୍ରାଳୟ ମନିଟରିଂ କରୁଛନ୍ତି । ସେମାନେ ଆମକୁ ବୈଷୟିକ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ପର ଗାଇଡ଼ଲାଇନ ଅନୁସାରେ ପୁଣି ବିମାନ ସେବା ନେଇ ନିଷ୍ପତ୍ତି ନିଆଯିବ । ଅନ୍ତର୍ଜାତୀୟ ବିମାନ ଭାବେ ଆଜି କୁଆଲାମପୁର ବିମାନ ସେବା ବି ବନ୍ଦ ରହିବ । ଯେଉଁମାନେ ଟିକେଟ କରିଛନ୍ତି, ବିମାନ କମ୍ପାନୀ ସମ୍ପୂର୍ଣ୍ଣ ରିଫଣ୍ଡ ଦେବେ କି ରିସ୍ୟୁଡୁଲ କରିବେ ଫ୍ଲାଇଟ, ଯାହା ଡିଜିସିଏ ନିୟମ ରହିଛି ।