Photograph: (kanaknews)
କନକବ୍ୟୁରୋ : ଓଡ଼ିଶାର ବାୟୁ ପ୍ରଦୂଷଣ ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ପ୍ରଦୂଷଣ ମାମଲାରେ ଓଡ଼ିଶାର କିଛି ସହର ଏବେ ଦେଶର ରାଜଧାନୀ ଦିଲ୍ଲୀକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ମିଳିଥିବା ବାୟୁ ମାନ ସୂଚକାଙ୍କ (AQI) ରିପୋର୍ଟ ଅନୁଯାୟୀ, ଦେଶର ୫ଟି ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ୩ଟି ସହର ସ୍ଥାନ ପାଇଛନ୍ତି ।
ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି, ୩୩୬ AQI ସହ ଓଡ଼ିଶାର ବାଲେଶ୍ବର ଆଜି ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଶିଳ୍ପ ସହର ତାଳଚେର, ଯେଉଁଠାରେ AQI ୩୨୪ ରହିଛି । ସେହିପରି ୩୦୪ AQI ସହ ବାରିପଦା ସହର ଦେଶର ପଞ୍ଚମ ପ୍ରଦୂଷିତ ସହର ଭାବେ ଚିହ୍ନଟ ହୋଇଛି। ଏହି ତିନୋଟି ସହରରେ ବାୟୁର ମାନ ଅତି ଖରାପ ସ୍ତରରେ ରହିଛି,
ଅଧିକ ପଢନ୍ତୁ... ପ୍ରଦୂଷଣରେ ଦିଲ୍ଲୀକୁ ପଛରେ ପକାଇଲା ଓଡ଼ିଶା ; ଦେଶର ୫ ପ୍ରଦୂଷିତ ସହର ମଧ୍ୟରେ ରାଜ୍ୟର ୩ ସହର
ଯାହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ । ଅନ୍ୟପକ୍ଷରେ, ଯେଉଁ ଦିଲ୍ଲୀ ପ୍ରଦୂଷଣ ପାଇଁ ସବୁବେଳେ ସାରା ଦେଶରେ ଚର୍ଚ୍ଚାରେ ଥାଏ, ସେଠାରେ ଆଜି AQI ମାତ୍ର ୨୧୮ ରେକର୍ଡ କରାଯାଇଛି । ଅର୍ଥାତ ଦିଲ୍ଲୀ ତୁଳନାରେ ଓଡ଼ିଶାର ଏହି ସହରଗୁଡ଼ିକର ବାୟୁ ଅଧିକ ବିଷାକ୍ତ ହୋଇପଡ଼ିଛି । ଦେଶର ଅନ୍ୟ ଦୁଇ ପ୍ରଦୂଷିତ ସହର ମଧ୍ୟରେ ପଶ୍ଚିମବଙ୍ଗର ହଳଦିଆ (୩୧୯ AQI) ଏବଂ ପଞ୍ଜାବର ରୂପନଗର (୩୧୧ AQI) ରହିଛନ୍ତି ।
ଏହା କୌଣସି ଗୋଟିଏ ଦିନର ଘଟଣା ନୁହେଁ । ଗତକାଲି ମଧ୍ୟ ଦେଶର ୫ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ଅନୁଗୁଳ ଓ ତାଳଚେର ରହିଥିଲା । ଗତକାଲି ତାଳଚେରର AQI ୩୩୬ ଥିବା ବେଳେ ଅନୁଗୁଳର ୩୦୩ ଥିଲା । କ୍ରମାଗତ ଭାବେ ବଢୁଥିବା ଏହି ପ୍ରଦୂଷଣ ଏବେ ପରିବେଶବିତ ଏବଂ ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ଯଦି ସମୟ ଥାଉ ଥାଉ ଏଥିପ୍ରତି ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ଦିନରେ ସ୍ଥିତି ଅଧିକ ଭୟଙ୍କର ହୋଇପାରେ।
Follow Us