କନକ ବ୍ୟୁରୋ: ଦିଲ୍ଲୀରୁ ବଳି ଗଲାଣି ଅନୁଗୁଳ ଓ ତାଳଚେର ରେ ପ୍ରଦୂଷଣ ସ୍ତର । ଅନୁଗୁଳ ଓ ତାଳଚେର ସହର ବାୟୁ ପ୍ରଦୂଷଣର ମାନ କେବଳ ଓଡ଼ିଶା ନୁହେଁ ଭାରତର ସବୁଠାରୁ ଖରାପ ସ୍ଥିତି । ଦିଲ୍ଲୀକୁ ବି ବଳି ପଡୁଛି । ଦ୍ରୁତ ଶିଳ୍ପାୟନ ଓ କୋଇଲା ଉତ୍ତୋଲନ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ବୃହତ୍ ଶିଳ୍ପ, ଇସ୍ପାତ କାରଖାନା, ତାପଜ ବିଦ୍ୟୁତ କେନ୍ଦ୍ର ଓ ଶକ୍ତି ପ୍ରକଳ୍ପ ଉତ୍ସରୁ ପ୍ରତିଦିନ ହଜାର ହଜାର ଗାଡ଼ି ଚଳାଚଳ କରୁଛି । କୋଇଲା ପରିବହନ ବେଳେ କୋଇଲା ୱାଗନ ଓ ଗାଡ଼ିରେ ପାଲ ଭିଡ଼ାଯାଉନଥିବାରୁ ଧୂଳି କଣା ଉଡ଼ି ବାୟୁମଣ୍ଡଳରେ ମିଶୁଛି । ତା'ଛଡା ଶିଳ୍ପାୟନ ଗୁଡ଼ିକ ପରିବେଶ ନିୟମକୁ ମଧ୍ୟ ସଠିକ୍ ଭାବରେ ପାଳନ କରୁନଥିବା ଅଭିଯୋଗ ହୋଇଛି ।
ଗତ ସପ୍ତାହର କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ରିପୋର୍ଟ ଅନୁସାରେ, ଦେଶର ଦ୍ୱିତୀୟ ସର୍ବାଧିକ ପ୍ରଦୂଷିତ ସହର ଭାବେ ଦୁର୍ନାମ ଅର୍ଜନ କରିଛି ଅନୁଗୁଳ ସହର । ବାୟୁରେ ଏକ୍ୟୁଆଇ ଥିଲା ୩୨୩, ଏଥିସହ ପିଏମ୍ ୨.୫ ସ୍ତର, ଯାହା ସର୍ବାଧିକ । ଅନୁଗୁଳ ଭଳି ତାଳଚେର ସହରର ସ୍ଥିତି ମଧ୍ୟ ଗମ୍ଭୀର । ତାଳଚେର ବାୟୁମଣ୍ଡଳରେ ପିଏମ୍ ସ୍ତର ୧୦ ଅଧିକ ରହିଥିବା ବେଳେ ଏକ୍ୟୁଆଈ ୩୦୨ରେ ପହଞ୍ଚିଥିଲା । ଅତି କ୍ଷୁଦ୍ର କଣିକା ବାୟୁ ମଣ୍ଡଳରେ ରହୁଥିବାରୁ ଗୁରୁତର ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖାଦେବାର ଆଶଙ୍କା ଦେଖାଦେଇଛି । ତେଣୁ ଏବେଠୁ ପ୍ରତିକାର ଦିଗରେ ଧ୍ୟାନ ଦିଆନଗଲେ ପରିସ୍ଥିତି ସାଙ୍ଘାତିକ ହେବ ବୋଲି ଚେତାଇ ଦେଇଛନ୍ତି ପରିବେଶବିତ୍ । ଅନ୍ୟପଟେ ଜିଲ୍ଲା ପ୍ରଦୂଷଣ ବିଭାଗ, ଏଥିପ୍ରତି ରଣନୀତି ପ୍ରସ୍ତୁତ ନକରି କେବଳ ପ୍ରଦୂଷଣ ତଥ୍ୟ ଦେଇ ଭଗବାନଙ୍କ ଭରସାରେ ବସିଥିବା ଏଭିଯୋଗ ହୋଇଛି ।