କନକ ବ୍ୟୁରୋ: ଗୁଜରାଟରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ । ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ହିଁ ବିସ୍ଫୋରଣ ସହ ଜଳିଗଲା ବିମାନ । ଗନ୍ତବ୍ୟସ୍ଥଳ ଲଣ୍ଡନରେ ପହଞ୍ଚିବା ପୂର୍ବରୁ ମୃତ୍ୟୁର ଫାଶରେ ଫଶିଗଲେ ଶତାଧିକ ଯାତ୍ରୀ ।
ଭାରତ ପାଇଁ ଅଶୁଭ ଗୁରୁବାର । ଗୁଜରାଟର ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଦୁର୍ଘଟଣାଗ୍ରସ୍ତ । ରନ୍ୱେରୁ ଟେକ୍ଅଫ୍ କରିବାର ୫ ମିନିଟ୍ ମଧ୍ୟରେ ଆକାଶରୁ ଖସିପଡ଼ିଥିଲା ଏହି ବିମାନ । ଆଉ ତାପରର ଦୃଶ୍ୟ ଥିଲା ବେଶ ଭୟାବହ । ପ୍ରଚଣ୍ଡ ଶବ୍ଦ ସହ ଭୟଙ୍କର ବିସ୍ଫୋରଣ । ନିଆଁପିଣ୍ଡୁଳା ପାଲଟି ଯାଇଥିଲା ପୂରା ବିମାନ । ହୁତୁହୁତୁ ହୋଇ ଜଳୁଥିଲା ବିମାନ । ଏହାପରେ ମେଘାନୀନଗର ଆକାଶରେ ଛାଇ ଯାଇଥିଲା କଳାଧୂଆଁର ବଳୟ । ଆଖପାଖ ଅଞ୍ଚଳ ବି ପୂରା ଧୂଆଁମୟ ହୋଇଯାଇଥିଲା । ବିମାନରେ କ୍ର୍ୟୁ ମେମ୍ବରଙ୍କ ସହ ୨୪୨ ଜଣ ଯାତ୍ରୀ ରହିଥିଲେ । ୧୬୯ ଭାରତୀୟ, ୫୩ ବ୍ରିଟିଶ, ୭ ପର୍ତ୍ତୃଗାଲ ଓ ଜଣେ କାନାଡା ନାଗରିକଙ୍କୁ ନେଇ ଉଡ଼ାଣ ଭରିଥିଲା ବିମାନ । କିନ୍ତୁ କେଇ ମିନିଟ ମଧ୍ୟରେ ଦେଖିବାକୁ ମିଳିଥିଲା ମୃତ୍ୟୁର ମହାତାଣ୍ଡବ । ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିମାନଟିର ଅଧିକାଂଶ ଅଂଶ ଜଳି ଯାଇଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ । ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଯାତ୍ରା କରୁଥିଲେ । ଦୁର୍ଘଟଣା ଖବର ଜଣାପଡ଼ିବା ପରେ ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠ କରିଛନ୍ତି ରୂପାଣୀଙ୍କ ପରିବାର ।
ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆର ବିମାନ ବିଜେ ମେଡିକାଲ କଲେଜର ଡାକ୍ତରଙ୍କ ହଷ୍ଟେଲ ବିଲ୍ଡିଂରେ ମାଡ଼ ହୋଇ ବିସ୍ଫୋରଣ ହୋଇଥିଲା । ଯେଉଁ ଚିତ୍ର ଏବେ ସବୁ ସାମ୍ନାକୁ ଆସିଛି ତାହା ହିଁ ବୟାନ କରୁଛି କେତେ ଭୟାବହ ଥିଲା ଦୁର୍ଘଟଣା । ବିମାନର କିଛି ଅଂଶ ବିଲ୍ଡିଂର ଛାତ ଫଟାଇ ଦେଇଛି । ସେହିଭଳି ବିମାନର ଚକ ବିଲ୍ଡିଂ କାନ୍ଥ ଭାଙ୍ଗି ଅଧା ଭିତରକୁ ପଶିଛି । ବିମାନଟି ଧକ୍କା ହେବା ପରେ ବିଲ୍ଡିଂଟି ପୂରା ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି । ଯେଉଁ ଛାତ ଉପରେ ବିମାନ ମାଡ ହୋଇଛି ତାହାର ତଳେ କ୍ୟାଣ୍ଟିନ ରହିଥିଲା । ଦୃଶ୍ୟ ହିଁ ବୟାନ କରୁଛି, ବିମାନ ମାଡ଼ ହେବା ସମୟରେ କିଭଳି ପ୍ରାଣ ବିକଳରେ ଖାଇବା ଛାଡ଼ି ଧାଇଁଥିବେ ଲୋକେ । ବିଲ୍ଡିଂରେ ବିମାନ ମାଡ଼ ହୋଇଥିବାରୁ ଅନେକ ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି ।
ବିସ୍ଫୋରଣ ସହ ନିଆଁ ପିଣ୍ଡୁଳା ପାଲଟିଲା ଏୟାର ଇଣ୍ଡିଆ ବିମାନ : ଉଡ଼ାଣର ୫ ମିନିଟ୍ ମଧ୍ୟରେ ଦୁର୍ଘଟଣା, ଶତାଧିକ ମୃତ !
ଦେଶର ସବୁଠୁ ବଡ ବିମାନ ଦୁର୍ଘଟଣା । ଜଳିଗଲା ଅହମଦାରୁ ଉଡାଣ ଭରିଥିବା ଏୟାର ଇଣ୍ଡିଆନ ବିମାନ । ବର୍ତ୍ତମାନ ସୁଦ୍ଧା ୨୦୪ ଜଣଙ୍କ ପ୍ରାଣହାନୀ ସୂଚନା, ବଢ଼ିପାରେ ମୃତ୍ୟୁ ସଂଖ୍ୟା । ଅହମଦାବାଦ ପୁଲିସ କମିସନର କହିଲେ, କେହି ଜିବିତ ଥିବା ସମ୍ଭାବନା କମ୍ ।
/kanak/media/media_files/2025/06/12/J17TtZ63umzVm95ey9qK.jpg)