କନକ ବ୍ୟୁରୋ: ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି । ଏୟାରପୋର୍ଟରେ ଇନ୍ଧନ ଭରିବା ପରେ ଆଉ ଉଡ଼ି ପାରିଲାନି । ଦିଲ୍ଲୀରୁ ୱାସିଂଟନ ଯାଉଥିବା ଏୟାର୍ ଇଣ୍ଡିଆର ଏକ ବିମାନ ଇନ୍ଧନ ଭର୍ତ୍ତି କରିବା ପାଇଁ ଭିଏନାରେ ଅଟକିଥିଲା । ଏହି ସମୟରେ ନିୟମିତ ଯାଞ୍ଚ କରାଯିବା ପରେ ଏଥିରେ ସମସ୍ୟା ଥିବା ଜଣାପଡ଼ିବା ପରେ ବୁଧବାର ଭିଏନାରେ ଏହି ବିମାନର ଉଡ଼ାଣ ରଦ୍ଦ କରାଯାଇଛି ।
ଜୁଲାଇ ୨ ତାରିଖରେ ଦିଲ୍ଲୀରୁ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆର ବିମାନ ଏଆଇ୧୦୩ ଭିଏନାରେ ଅବତରଣ କରିଥିଲା । ଏୟାର୍ ଇଣ୍ଡିଆର ଜଣେ ମୁଖପାତ୍ରଙ୍କ କହିବା ଅନୁସାରେ, ଷ୍ଟପ୍ଓଭର୍ ସମୟରେ ନିୟମିତ ଯାଞ୍ଚରେ ଏକ ସମସ୍ୟା ସାମ୍ନାକୁ ଆସିଥିଲା, ଯେଉଁଥିପାଇଁ ଅତିରିକ୍ତ ରକ୍ଷଣାବେକ୍ଷଣର ଆବଶ୍ୟକତା ଥିଲା । ଫଳରେ ଯାତ୍ରୀଙ୍କୁ ଭିଏନାରେ ଓହ୍ଲାଇ ଦିଆଯାଇଥିଲା । ଭିସାମୁକ୍ତ ପ୍ରବେଶ ପାଇଁ ଯୋଗ୍ୟ କିମ୍ବା ବୈଧ ଶେଙ୍ଗେନ୍ ଭିସାଧାରୀମାନଙ୍କୁ ପରବର୍ତ୍ତୀ ଉପଲବ୍ଧ ବିମାନ ପର୍ଯ୍ୟନ୍ତ ହୋଟେଲରେ ରହିବା ବ୍ୟବସ୍ଥା କରାଯାଇଥିଲା ।
ବିନା ପ୍ରବେଶ ଅନୁମତିରେ ଯାତ୍ରୀଙ୍କ ପାଇଁ ଅଷ୍ଟ୍ରିଆ ଇମିଗ୍ରେସନ୍ ଓ ସୁରକ୍ଷା କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ବ୍ୟବସ୍ଥା କରାଯାଉଛି ବୋଲି ଏୟାର୍ ଇଣ୍ଡିଆର ମୁଖପାତ୍ର କହିଛନ୍ତି । ପ୍ରଭାବିତ ଯାତ୍ରୀମାନଙ୍କୁ ବିକଳ୍ପ ବିମାନରେ ପୁନଃ ବୁକିଂ କରାଯାଇଛି କିମ୍ବା ସମ୍ପୂର୍ଣ୍ଣ ରିଫଣ୍ଡ୍ ପ୍ରଦାନ କରାଯାଇଛି ବୋଲି ଏୟାର୍ ଇଣ୍ଡିଆ କହିଛି ।