କନକ ବ୍ୟୁରୋ: ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ କ୍ର୍ୟୁ ମେମ୍ବରଙ୍କ ସହ ମୋଟ ୨୪୨ ଜଣ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରେ ୧୬୯ ଭାରତୀୟ ଯାତ୍ରୀ ଓ ୫୩ ଜଣ ବ୍ରିଟିସ ନାଗରିକ ରହିଥିଲେ । ଏହି ଦୁର୍ଘଟଣା ପରେ ହେଲ୍ପଲାଇନ୍‌ ନମ୍ବର ଜାରି କରିଛି ଏୟାର ଇଣ୍ଡିଆ । ପ୍ରାଥମିକ ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ୧୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।

Advertisment

ଏୟାର ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଯାତ୍ରୀଙ୍କ ବାବଦରେ କିଛି ଜାଣିବାକୁ ଚାହୁଥିଲେ ୧୮୦୦୫୬୯୧୪୪୪ ନମ୍ବରରେ ଯୋଗାଯୋଗ କରିପାରିବେ । ସୋସିଆଲ ମିଡିଆ ସାଇଟ୍‌ ଏକ୍ସ ହ୍ୟାଣ୍ଡେଲ୍‌ରେ ଏୟାର ପକ୍ଷରୁ କୁହାଯାଇଛି ଯେ, ଆହତମାନଙ୍କୁ  ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । 

ଆଜି(ଗୁରୁବାର) ଅହମ୍ମଦାବାଦ ବିମାନ ବନ୍ଦରରୁ ଲଣ୍ଡନ ଅଭିମୁଖେ ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନ ଉଡ଼ାଣ ଭରିଥିଲା । ଏହି ବିମାନରେ ମୋଟ କ୍ର୍ୟୁ ମେମ୍ବରକୁ ମିଶାଇ ମୋଟ ୨୪୨ ଜଣ ଯାତ୍ରୀ ରହିଥିଲେ । ସେମାନଙ୍କ ମଧ୍ୟରେ ୧୬୯ ଭାରତୀୟ ନାଗରିକ, ୫୩ ବ୍ରିଟିସ ନାଗରିକ, ୭ ପର୍ତ୍ତୁଗାଲ ନାଗରିକ ଓ ଜଣେ କାନାଡାର ନାଗରିକ ଯାତ୍ରା କରୁଥିଲେ । ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଯାଞ୍ଚ ଅଧିକାରୀଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି । ଏହି ବଡ଼ ଧରଣର ଦୁର୍ଘଟଣା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏକ କଣ୍ଟ୍ରୋଲ୍‌ ରୁମ୍‌ ଆରମ୍ଭ ହୋଇଛି । ୦୧୧-୨୪୬୧୦୮୪୩ ଓ ୯୬୫୦୩୯୧୮୫୯ ନମ୍ବରରେ ସମ୍ପର୍କ କରି ନିଜ ସମ୍ପର୍କୀୟଙ୍କ ବିଷୟରେ ସୂଚନା ପାଇପାରିବେ ପରିବାର ଓ ପରିଜନ ।  ସେପଟେ ଜରୁରୀକାଳୀନ ସେବା ଏବଂ ସୂଚନା ପାଇଁ ଅହମ୍ମଦାବାଦ ସିଟି ପୁଲିସ ମଧ୍ୟ ହେଲ୍ପଲାଇନ୍ ନମ୍ବର ୦୭୯୨୫୬୨୦୩୫୯ ଜାରି କରିଛି ।

ଏହାକୁ ନେଇ ସ୍ଥାନୀୟ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ପ୍ରଥମେ ଆମେ ଜାଣିବାକୁ ପାଇଲୁ ଯେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଡାକ୍ତରମାନେ ରହୁଥିବା ଏକ  ହଷ୍ଟେଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ମାତ୍ର ଦୁଇରୁ ତିନି ମିନିଟ୍ ମଧ୍ୟରେ ପୁଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ପ୍ରାୟ ୭୦ରୁ ୮୦ ପ୍ରତିଶତ ଅଞ୍ଚଳରୁ ବିମାନର ଭଗ୍ନାବଶେଷ ହଟାଯାଇଛି । ସମସ୍ତ ଏଜେନ୍ସି ଏଠାରେ ଆହତମାନଙ୍କୁ ଉଦ୍ଧାର କରିବା ସହ ଭଗ୍ନାବଶେଷ ହଟାଇବା କାର୍ଯ୍ୟରେ ଲାଗିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।