କନକ ବ୍ୟୁରୋ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପରିବାର ଏବେ ଏୟାରଇଣ୍ଡିଆ ଏୟାରଲାଇନ୍ସ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି । ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି କି କ୍ଷତିପୂରଣ ଦେବାକୁ ଏୟାରଲାଇନ୍ସ ପକ୍ଷରୁ ସଠିକ ଭାବେ କାର୍ଯ୍ୟ କରାଯାଉନି । କ୍ଷତିପୂରଣ ରାଶି ଦେବାକୁ ଏୟାରଇଣ୍ଡିଆ ପକ୍ଷରୁ ଏଭଳି କିଛି ପ୍ରଶ୍ନର ଉତ୍ତର ଦେବାକୁ କୁହାଯାଉଛି ଯାହା ଆଦୌ ଗ୍ରହଣୀୟ ନୁହେଁ । ବ୍ୟକ୍ତିଗତ ଓ ଆର୍ଥିକ ତଥ୍ୟ ରଖିବାକୁ ବାଧ୍ୟ କରାଯାଉଛି । ଏୟାରଲାଇନ୍ସ ମୁତାବକ ଯଦି ଫର୍ମରେ ତଥ୍ୟ ପୂରଣ କରାନଯାଏ ତେବେ କ୍ଷତିପୂରଣ ନଦେବାକୁ ଧମକ ମଧ୍ୟ ଦିଆଯାଉଛି । କେବଳ ସେତିକି ନୁହେଁ ଏଭଳି କିଛି ଦସ୍ତାବିଜ ଉପରେ ହସ୍ତାକ୍ଷର କରିବାକୁ କୁହାଯାଇଛି ଯେଉଁଥିରେ କିଛି ସତ୍ୟତା ନାହିଁ । ତେବେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ଏୟାରଇଣ୍ଡିଆ ଏୟାରଲାଇନ୍ସ । ଯେଉଁ ଅଭିଯୋଗ ଆସିଛି ସେଥିରେ କୌଣସି ସତ୍ୟତା ନାହିଁ । ମୃତକଙ୍କ ପରିବାରକୁ ଘୋଷଣା ମୁତାବକ କ୍ଷତିପୂରଣ ରାଶି ଯଥାଶୀଘ୍ର ଦେବାକୁ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ।
ଏୟାରଇଣ୍ଡିଆ ନାଁରେ ବଡ଼ ଅଭିଯୋଗ
-ଏୟାରଇଣ୍ଡିଆ ନାଁରେ ମୃତକଙ୍କ ପରିବାରର ବଡ଼ ଅଭିଯୋଗ
-କ୍ଷତିପୂରଣ ରାଶି ଦେବାକୁ ଆବଶ୍ୟକୀୟ ଫର୍ମ ପୂରଣ ସମୟରେ ଚାପ ପକାଯାଉଛି
-ପରିବାରଠୁ ଜୋରଜବରଦସ୍ତ ଗୋପନୀୟ ତଥ୍ୟ ମଗାଯାଉଛି
-ମୃତକଙ୍କ ଉପରେ ପରିବାର ବିଶେଷ ନିର୍ଭରଶୀଳ ନଥିବା ଲେଖିବାକୁ କୁହାଯାଉଛି
-ମିଛ କଥା ଲେଖାଯାଇଥିବା ଫର୍ମରେ ଦସ୍ତଖତ କରିବାକୁ କୁହାଯାଉଛି
-କଥା ନମାନିଲେ କ୍ଷତିପୂରଣ ରାଶି କାଟି ଦେବାକୁ ଧମକ ମିଳୁଛି
-୪୦ଟି ପରିବାର ସମାନ ଅଭିଯୋଗ ଆଣି କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି
ଗତ ଜୁନ ୧୨ ତାରିଖରେ ଅହମ୍ମଦାବାଦ ଏୟାରପୋର୍ଟରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିଥିଲା ଏୟାର ଇଣ୍ଡିଆର ବିମାନ । ତେବେ ଉଡ଼ାଣ ଭରିବାର କିଛି ସମୟ ପରେ ହିଁ ସ୍ଥାନୀୟ ଏକ ମେଡିକାଲ୍ କଲେଜ ହଷ୍ଟେଲ୍ ଛାତ ଉପରେ ଖସି ପଡ଼ିଥିଲା ବିମାନ । ଫଳରେ କ୍ର୍ୟୁ ମେମ୍ବରଙ୍କ ସହ ମୋଟ ୨୪୧ ଜଣଙ୍କ ମୃତ୍ୟୁ ହୋଇଛି । କେବଳ ଜଣଙ୍କ ଜୀବନ କୌଣସି ମତେ ଏହି ଦୁର୍ଘଟଣାରେ ବଞ୍ଚି ଯାଇଥିଲା । ସାରା ବିଶ୍ୱକୁ ଏହି ଦୁର୍ଘଟଣା ସ୍ତବ୍ଧ କରିଦେଇଥିଲା । ଏହାପରେ ଏୟାର ଇଣ୍ଡିଆ ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ଯୋଗାଇ ଦେବାକୁ ଘୋଷଣା କରିଥିଲା । ଏବେ ଏହି କ୍ଷତିପୂରଣ ରାଶି ଦେବାକୁ ନେଇ ସଙ୍ଗିନ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ।