କନକ ବ୍ୟୁରୋ : କେନ୍ଦ୍ର କୃଷିମନ୍ତ୍ରୀଙ୍କୁ କ୍ଷମା ମାଗିଲା ଏୟାର ଇଣ୍ଡିଆ, ଖରାପ କାଚ ଓ ଭଙ୍ଗା ସିଟକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଶିବରାଜ ସିଂ ଚୌହାନ । ଭୋପାଳରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ସମୟରେ ଏୟାର ଇଣ୍ଡିଆର ବିମାନରେ ଥିବା ଆସନ ଗୁଡ଼ିକରେ ଅବ୍ୟବସ୍ଥା ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ସହ ଅସନ୍ତୋଷ ଜାହିର କରିଥିଲେ କେନ୍ଦ୍ରମନ୍ତ୍ରୀ । ବିମାନରେ ତାଙ୍କୁ ସିଟ୍ ନମ୍ବର ୮ସି ଆବଣ୍ଟନ କରାଯାଇଥିଲା, ତେବେ କେନ୍ଦ୍ରମନ୍ତ୍ରୀ ସିଟ ପାଖକୁ ଯିବା ସମୟରେ ଏହା ଭାଙ୍ଗିଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ବିମାନ କର୍ମଚାରୀଙ୍କୁ ଅବଗତ ମଧ୍ୟ କରାଇଥିଲେ।
ବିମାନରେ ଯାଉଥିବା ଅନ୍ୟ ଯାତ୍ରୀ ମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସିଟ୍ ବଦଳାଇ ଭଲ ସିଟରେ ବସିବାକୁ ଅନୁରୋଧ କରିଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ସେହି ଭଙ୍ଗା ସିଟରେ ବସି ଯାତ୍ରା କରିଥିଲେ । ବିମାନରେ ଅନେକ ସିଟର ଅବସ୍ଥା ସମାନ ରହିଥିବା ବେଳେ କର୍ତ୍ତୃପକ୍ଷ କାହିଁକି ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଥିଲେ । ବିମାନ ଯାତ୍ରୀଙ୍କ ସହ ଏଭଳି ବ୍ୟବହାର କାହିଁକି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଥିବା ବେଳେ ସୋସିଆଲ ମିଡ଼ିଆରେ ଏୟାର ଇଣ୍ଡିଆ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି । ଆଗାମୀ ଦିନରେ ଏସବୁ ଅବ୍ୟବସ୍ଥା ଉପରେ ଧ୍ୟାନ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।