କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ନିର୍ବାଚନ ଆୟୋଗ ମଧ୍ୟ ତାରିଖ ଘୋଷଣା କରିସାରିଛନ୍ତି । ହେଲେ ରାଜନୈତିକ ଦଳମାନେ ୬ ମାସ ଆଗରୁ ପ୍ରସ୍ତୁତ ଥିବା ନେଇ ଦୃଶ୍ୟମାନ ହେଉଥିବା ବେଳେ ଏବେ ସବୁଦଳ ପ୍ରାର୍ଥୀ ଚୟନକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି । ଇଣ୍ଡିଆ ମେଣ୍ଟ, ଏନଡିଏ ମେଣ୍ଟର ସହଯୋଗୀ ଦଳମାନଙ୍କ ଭିତରେ ଆସନ ବୁଝାମଣା ହୋଇପାରୁନି । ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ କଂଗ୍ରେସ ଓ ବାମଦଳ ଆସନ ବୁଝାମଣାକୁ ନେଇ ସ୍ପଷ୍ଟ ଚିତ୍ର ଆସିପାରୁନି । ଏନଡିଏ ମେଣ୍ଟରେ ଏଲଜେପି ଓ ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚା ଅଡ଼୍ରୁଆ ତିଆରି କରି ବସିଛନ୍ତି । ଏସବୁ ଭିତରେ ଅସଦୁଦ୍ଦିନ ଓବେସୀଙ୍କ ଏଆଇଏମଆଇଏମ୍ ନୂଆ ଗେମ୍ ଖେଳିବା ଆରମ୍ଭ କରିଛି । ଦଳ ତରଫରୁ ବିହାରରେ ୧୦୦ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି । ୨୦୨୦ ନିର୍ବାଚନରେ ଏହି ଦଳ ମାତ୍ର ୨୦ ଆସନରେ ନିର୍ବାଚନ ଲଢ଼ିଥିଲା । ପାର୍ଟିର ବିହାର ଅଧ୍ୟକ୍ଷ ଅଖତରୁଲ ହମାନ କରିଛନ୍ତି କି, କେବଳ ୧୦୦ ଆସନରେ ଲଢ଼ିବୁ ନାହିଁ, ବିହାରରେ ତୃତୀୟ ସାମୁଖ୍ୟ ଗଠନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛୁ । ଆମ ବିଚାରଧାରା ସହ ମେଳ ଖାଉଥିବା ପାର୍ଟିମାନଙ୍କୁ ସାଥୀରେ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବୁ । 

Advertisment

ଏକ ସାମ୍ବାଦିକ ସମ୍ମିଳନୀରେ ହମାମ କହିଛନ୍ତି କି, ଆମେ ନିର୍ବାଚନରେ ସଫଳ ହେବୁ । ଇଣ୍ଡିଆ ମେଣ୍ଟ ହେଉ କି ଏନଡିଏ ମେଣ୍ଟ ଯିଏ ବି ସରକାର ଗଠନ କରିବାକୁ ଯିବ ସେ ନିଶ୍ଚିତ ଭାବେ ଆମର ସହଯୋଗ ଲୋଡ଼ିବ । ସୂଚନା ଥାଉ କି, କିଛିଦିନ ତଳେ ଏଆଇଏମଆଇଏମ୍ ଇଣ୍ଡିଆ ମେଣ୍ଟରେ ସାମିଲ ହେବାକୁ ଲାଲୁ ପ୍ରସାଦ ଯାଦବ ଓ ତେଜସ୍ୱୀ ଯାଦବଙ୍କୁ ଚିଠି ଲେଖିଥିଲେ । ଏହାସହ ଦଳୀୟ କର୍ମୀ ଓ ନେତାମାନେ ଆରଜେଡି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରି ମେଣ୍ଟରେ ସାମିଲ କରିବାକୁ ଦାବି କରିଥିଲେ । 

୨୦୨୦ ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ୍ ବହୁଜନ ସମାଜବାଦୀ ପାର୍ଟି, ଉପେନ୍ଦ୍ର କୁଶୱାହାଙ୍କ ଆରଏଲଏସପି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା । ଏଆଇଏମଆଇଏମ ୫ ଟି ଆସନରେ ବିଜୟୀ ହୋଇଥିଲା । ହେଲେ ୨୦୨୨ ମସିହାରେ ୫ ବିଧାୟକଙ୍କ ମଧ୍ୟରୁ ୪ ବିଧାୟକ ଆରଜେଡିରେ ସାମିଲ ହୋଇଥିଲେ । 

ରାଜନୈତିକ ବିଶ୍ଳେଷକଙ୍କମତରେ ବିହାରର ପୁର୍ଣ୍ଣିଆ, କିଶନଗଞ୍ଜ, ଅରରିଆ ଓ କଟିହାର ଆଦି ଅଞ୍ଚଳରେ ଏଆଇଏମଆଇଏମର ସର୍ବାଧିକ ସମର୍ଥକ ରହିଛନ୍ତି । ଏଠାରେ ପାଖାପାଖି ୧୭ ପ୍ରତିଶତ ମୁସଲିମ୍ ଭୋଟ ରହିଛି ।