କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଥମିଛି । ଉଭୟ ଦେଶ ପାଇଁ ଆମେରିକା ମଧ୍ୟସ୍ଥତା କରି ଅସ୍ତ୍ରବିରତି ଘୋଷଣା କରାଯାଇଛି । ହେଲେ ଏପର୍ଯ୍ୟନ୍ତ ପହଲଗାମରେ ଆକ୍ରମଣ କରି ୨୮ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିବା ବର୍ବର ଆତଙ୍କୀଙ୍କ ଖବର ମିଳିନାହିଁ । କେତେବେଳେ ଜାତୀୟ ଗଣମାଧ୍ୟମ କହୁଛି ସେମାନେ ଶ୍ରୀଲଙ୍କା ପଳାଇଛନ୍ତି । ହେଲେ ଏହି ଯୁଦ୍ଧ ଖବର ଭିତରେ ପ୍ରକୃତ ଅପରାଧୀ ଓ ପ୍ରକୃତ ଷଡଯନ୍ତ୍ରକାରୀଙ୍କ କଥା ଭୁଲି ଯାଇଛନ୍ତି ସରକାର । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏଆଇଏମଆଇଏମର ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦଦ୍ଦୁନି ୱବେସୀ । ସେ କହିଛନ୍ତି କି, ଭାରତ ସରକାର ସେହି ୬ ଆତଙ୍କବାଦୀଙ୍କୁ ଧରିବା ଅପରେସନ ଜାରି ରଖିବା ଦରକାର । ଏହାସହ ଯେପର୍ଯ୍ୟନ୍ତ ପାକିସ୍ତାନ ନିଜ ମାଟିରୁ ଆତଙ୍କବାଦୀଙ୍କୁ ନିପାତ ନକରିଛି ସେପର୍ଯ୍ୟନ୍ତ ଶାନ୍ତି ଆଶା କରିବା ଠିକ୍ ନୁହେଁ ।
ହାଇଦ୍ରାବାଦ ସାଂସଦ ୱବେସୀ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି କି, ଅସ୍ତ୍ରବିରତି ଘୋଷଣା କୌଣସି ବିଦେଶୀ ରାଷ୍ଟ୍ରପତିଙ୍କ ବଦଳରେ ଭାରତର ପ୍ରଧାନମନ୍ତ୍ରୀ କରିବା ଉଚିତ୍ ଥିଲା । ଏହାସହ ସେ କହିଛନ୍ତି କି, ଆମେରିକା ଗ୍ୟାରେଣ୍ଟି ଦେଇପାରିବ କି, ପାକିସ୍ତାନ ନିଜ ମାଟିରୁ ଆତଙ୍କବାଦୀଙ୍କୁ ନିପାତ କରିବ ।
କେବଳ ସେତିକି ନୁହେଁ ପାକିସ୍ତାନ ପାଖରେ ଥିବା ପରମାଣୁ ଅସ୍ତ୍ରକୁ ନେଇ ୱବେସୀ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି କି, ଏବେ ବିଶ୍ୱ ସମୁଦାୟ ବିଚାର କରିବା ଦରକାର କି, ପାକିସ୍ତାନ ପାଖରେ ପରମାଣୁ ଅସ୍ତ୍ର ରଖିବାକୁ ଅନୁମତି ଦିଆଯିବା ଉଚିତ୍ କି ନୁହେଁ । ପାକିସ୍ତାନ ପାଖରେ ଥିବା ପରମାଣୁ ଅସ୍ତ୍ରକୁ ନଷ୍ଟ କରିବାର ସମୟ ଆସିଛି ।
ଆଇଏମଏଫ୍ ଯେଭଳି ଭାବେ ଏଭଳି ପରିସ୍ଥିତିରେ ପାକିସ୍ତାନକୁ ଏତେ ପରିମାଣର ଅର୍ଥ ଋଣ ଦେଲା ତାକୁ ନେଇ ମଧ୍ୟ ୱବେସୀ ସମାଲୋଚନା କରିଛନ୍ତି । ସେ କହିଛନ୍ତି କି, ଏହା ପ୍ରମାଣ କରୁଛି କି, ଆଇଏମଏଫ୍ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ।