କନକ ବ୍ୟୁରୋ : ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ ବା ଏମ୍ସରେ ଡାକ୍ତରଙ୍କ ପଳାୟନ ଏବେ ଚିନ୍ତାର କାରଣ ପାଲଟିଛି । ଏବେ ଏବେ ସଂସଦରେ ଦିଆଯାଇଥିବା ସୂଚନା ମୁତାବକ ୨୦୨୨ ରୁ ୨୪ ମଧ୍ୟରେ ସାରା ଦେଶର ୨୦ ଟି ଏମ୍ସରୁ ୪୨୯ ଜଣ ଡାକ୍ତର ଏମ୍ସ ଛାଡିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତର ଏମ୍ସ ଛାଡିବାର କାରଣ ଭାବେ ଘରୋଇ ହସ୍ପିଟାଲରେ ନିଯୁକ୍ତି ବୋଲି ଦର୍ଶାଇଛନ୍ତି । 

Advertisment

ସବୁଠାରୁ ଅଧିକ ୫୨ ଜଣ ଡାକ୍ତର ଦିଲ୍ଲୀ ଏମ୍ସ ଛାଡିଛନ୍ତି । ଏହାପରେ ଋଷିକେଶ ଓ ରାୟପୁର ଏମ୍ସରୁ ସର୍ବାଧିକ ଡାକ୍ତର ଛାଡ଼ିଛନ୍ତି । ଏହି କାରଣରୁ ଏମ୍ସରେ ଏବେ ବିଶେଷ କରି ଶିକ୍ଷକ ଅଭାବ ଲାଗିରହିଛି । 

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏମ୍ସରୁ ଯେଉଁ ଡାକ୍ତରମାନେ ଇସ୍ତଫା ଦେଇଛନ୍ତି ସେମାନଙ୍କ ମଧ୍ୟରୁ ସର୍ବାଧିକ ଉଚ୍ଚ ପଦରେ ଥିବା ଡାକ୍ତରଙ୍କ ନାମ ରହିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ବିଭାଗୀୟ ମୁଖ୍ୟ, ମେଡିକାଲର ପ୍ରମୁଖ ବରିଷ୍ଠ ପ୍ରଫେସର । ସବୁଠାରୁ ରୋଚକ କଥା ଏମ୍ସର ପୂର୍ବ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା ନିଜର କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ଦେଇଥିଲେ । ଏବେ ସେ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲ ପାଇଁ କାମ କରୁଛନ୍ତି । 

କାର୍ଡିଓଲୋଜି ବିଭାଗର ପୂର୍ବ ପ୍ରମୁଖ ଡାକ୍ତର ଶଶାଂକ ଶାରଦ ଏମ୍ସରୁ ଇସ୍ତଫା ଦେଇ ଆପୋଲ ହସ୍ପିଟାଲ ପାଇଁ କାମ କରୁଛନ୍ତି । ସେହିଭଳି ଅର୍ଥପେଡ଼ିକ ବିଭାଗର ପୂର୍ବ ପ୍ରମୁଖ ଡାକ୍ତର ରାଜେଶ ମାଲହୋତ୍ରାଙ୍କ ଭଳି ଅନେକ ବଡ଼ ନାମ ଏସ୍ସ ଛାଡିସାରିଛନ୍ତି । 

ଏତେ ସଂଖ୍ୟାରେ ବରିଷ୍ଠ ଡାକ୍ତର ଏମ୍ସ ଛାଡୁଥିବାରୁ ଏମ୍ସରେ ବରିଷ୍ଠ ଡାକ୍ତରଙ୍କ ପଦ ଖାଲି ପଡିଛି । ଏନେଇ ଏକ ପ୍ରମୁଖ ବିଭାଗର ଜଣେ ପୂର୍ବତନ ମୁଖ୍ୟ କହିଛନ୍ତି କି, ଏହା ଫଳରେ କନିଷ୍ଠ ଡାକ୍ତରମାନଙ୍କୁ ଶିଖିବାର ଅନେକ ସୁଯୋଗ ମିଳିବ, ହେଲେ ରୋଗୀଙ୍କୁ ବରିଷ୍ଠ ଡାକ୍ତରଙ୍କ ଅନୁଭବର ଚିକିତ୍ସା ମିଳିପାରିବ ନାହିଁ । ସେ କହିଛନ୍ତି କି, ଏମ୍ସର ୨୫ ବର୍ଷ ସେବା ଦେବା ପରେ ବି ତାଙ୍କୁ ସମ୍ମାନ ମିଳିନଥିଲା ଓ ଏମ୍ସରେ ଚାଲିଥିବା ରାଜନୀତି ତାଙ୍କୁ ହତାଶ କରିଥିଲା । 

ସେପଟେ ନୂଆ ଏମ୍ସରୁ ଡାକ୍ତର ପଳାୟନ ପଛରେ ଅନେକ କାରଣ ରହିଛି । ପ୍ରଥମ କାରଣ ଭାବେ ଡାକ୍ତରମାନଙ୍କୁ ରହିବା ପାଇଁ । କିଛି ଏମ୍ସ ଗ୍ରାମାଞ୍ଚଳରେ ଥିବା କାରଣରୁ ଗମନାଗମନରେ ଅସୁବିଧା, ସରକାରୀ ଘର ନମିଳିବା, ଘର ବାବଦରେ କମ୍ ଟଙ୍କା ସରକାର ପ୍ରଦାନ କରିବା ଭଳି ସମସ୍ୟା ଦର୍ଶାଯାଇଛି । ଏସବୁ କାରଣରୁ ଏବେ ୧୨ ଟି ଏମ୍ସରେ ଅଧାରୁ ଅଧିକ ପ୍ରଫେସର ପଦ ଖାଲି ପଡିଛି । 

ସରକାର ଦେଇଥିବା ସୂଚନା ମୁତାବକ ଦିଲ୍ଲୀ ଏମ୍ସରେ ୨୦୨୨-୨୩ ବର୍ଷରେ ମୋଟ ୧୧୯୧ ସ୍ୱୀକୃତ ଫ୍ୟାକୁଏଲ୍ଟି ପଦରୁ ୩୬୪ ଖାଲି ଥିଲା, ୨୦୨୩-୨୪ ରେ ୧୨୦୭ ଫ୍ୟାକୁଏଲ୍ଟି ପଦରୁ           ୩୫୭ ଖାଲିଥିଲା, ୨୦୨୪-୨୫ ରେ ମୋଟ ୧୨୩୫ ଫ୍ୟାକୁଏଲ୍ଟି ପଦରୁ ୪୩୨ ଖାଲିଥିଲା । ୨୦୨୫-୨୬ ରେ ୧୩୦୬ ଫ୍ୟାକୁଏଲ୍ଟି ପଦରୁ ୪୬୨ ପଦ ଖାଲି ରହିଛି ।