କନକ ବ୍ୟୁରୋ: AIIMS ଡାକ୍ତର ଚାକିରି ଛାଡ଼ିବା ଏବେ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଛି । ସଂସଦରେ ପ୍ରକାଶ ପାଇଥିବା ତଥ୍ୟ ମୁତାବକ, ୨୦୨୨ରୁ ୨୪ ମଧ୍ୟରେ ଦେଶର ବିଭିନ୍ନ AIIMSରୁ ୪୨୯ ଜଣ ଡାକ୍ତର ଇସ୍ତଫା ଦେଇସାରିଳେଣି । ସବୁଠୁ ପ୍ରତିଷ୍ଠିତ ଦିଲ୍ଲୀ AIIMS ରୁ ସର୍ବାଧିକ ଡାକ୍ତର ଚାକିରି ଛାଡ଼ିଥିବା ଜଣାପଡ଼ିଛି । ଏହାପରେ ରହିଛନ୍ତି ଋଷିକେଶ ଓ ରାୟପୁର AIIMS ।

Advertisment

୨୦୨୨ରୁ ୨୪ ଭିତରେ ଦେଶରେ ଥିବା ୨୦ଟି AIIMSରୁ ୪ଶହରୁ ଅଧିକ ଡାକ୍ତର ଚାକିରି ଛାଡ଼ିଥିବାବେଳେ କେବଳ ଦିଲ୍ଲୀରୁ ୫୨ଜଣ ଡାକ୍ତର ଚାକିରି ଛାଡ଼ିଛନ୍ତି । ଦେଶର ସବୁଠୁ ପ୍ରତିଷ୍ଠିତ  ଦିଲ୍ଲୀ AIIMS  ହୋଇଥିବାବେଳେ ସେଠାରୁ ଏତେ ସଂଖ୍ୟକ ଡାକ୍ତର ଚାକିରି ଛାଡ଼ିବା  ପୂରା ଦେଶର ସ୍ବାସ୍ଥ୍ୟବସ୍ଥା ପ୍ରତି ଚିନ୍ତା ସୃଷ୍ଟି କରିଛି । ଏହାପରେ ଋଷିକେଶ AIIMSରୁ ୩୮ ଜଣ, ରାୟପୁର AIIMS ରୁ ୩୫, ବିଲାସପୁରରୁ ୩୨, ମଙ୍ଗାଗିରି AIIMS ରୁ ୩୦ ଜଣ ଡାକ୍ତର ଇସ୍ତଫା ଦେଇଛନ୍ତି । ଦେଶର ପ୍ରତିଷ୍ଠିତ ସ୍ବାସ୍ଥ୍ୟସେବା  ଯୋଗାଉଥିବା AIIMSରୁ ଯଦି ଏତେ ସଂଖ୍ୟକ ଡାକ୍ତର ଚାକିରି ଛାଡ଼ିବେ ତେବେ ସାଧାରଣ ଜନତା ଭରଷା କରିବେ କାହା ଉପରେ ?  ଏହା ସବୁଠୁ ବଡ଼ ପ୍ରଶ୍ନ ।

AIIMS ରାୟବରେଲି  ସ୍ଥିତି କ’ଣ? 
ରାୟବରେଲି AIIMS ରେ ଡାକ୍ତରଙ୍କ ଘୋର ଅଭାବ ରହିଛି । ଏଠାରେ ୨୦୦ ସିନିୟର ରେସିଡେଣ୍ଟ ଡାକ୍ତରଙ୍କ ସ୍ବୀକୃତ ପଦରୁ ୮୦ ପଦ ଖାଲି ପଡ଼ିଛି ମେଡିକାଲ ଫ୍ୟାକଲ୍ଟିଙ୍କ ୨୦୦ ସ୍ବୀକୃତ ପଦରୁ ଅଧାଅଧି ପଦବୀ ଖାଲି ପଡ଼ିଛି । ଏହି ଅଭାବ କାରଣରୁ  ହସ୍ପିଟାଲରେ ସ୍ବାସ୍ଥ୍ୟସେବା ଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ । । ଜଣେ ରୋଗୀକୁ କୌଣସି ଗୁରୁତ୍ବପୂର୍ଣ୍ଣ ସର୍ଜରି ପାଖାପାଖି  ବର୍ଷେ ଅପେକ୍ଷା  କରିବାକୁ ପଡ଼ୁଛି ।

ଦେଶର ୧୨ଟି AIIMSରେ ଅଧାରୁ ଅଧିକ  ପ୍ରଫେସର ପଦ ଖାଲି ପଡ଼ିଛି  । AIIMS ଜମ୍ମୁରେ ୩୩ରୁ ୨୯ ପଦ ଖାଲି  , ରାୟବରେଲିରେ ୨୦ ପ୍ରଫେସର ପଦ ଖାଲି ପଡ଼ିଛି । ଆଡିସନାଲ ଓ ଆସୋସିଏଟ୍ ପଫ୍ରେସର ପଦ କଥା ନକହିବା ଭଲ । ଡାକ୍ତରଙ୍କ କହିବା ଅନୁସାରେ, ଘରୋଇ ସେକ୍ଟରରେ ଭଲ ଦରମା ସହ ଅନ୍ୟାନ୍ୟ ସୁବିଧାସୁଯୋଗ ଏମ୍ସ ଠାରୁ ଭଲ ଥିବାରୁ ଅନୁଭବୀ ଡାକ୍ତର ଏମ୍ସରେ ରହିବାକୁ ଚାହୁନାହାନ୍ତି । ଏଠାରୁ ଚାକିରି ଛାଡ଼ିଦେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ।

୨୦୨୫ ଫେବ୍ରୁଆରୀରେ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ରାଜ୍ୟ ସଭାରେ କହିଥିଲେ, ବିଭିନ୍ନ AIIMSରେ ସ୍ବୀକୃତ ପଦ ପୂରଣ କରିବା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି  । ଖାଲି ପଦବୀ ଗୁଡ଼ିକୁ ଶୀଘ୍ର ପୂରଣ କରିବାକୁ ସରକାର ତତ୍ପର ଅଛନ୍ତି । କିନ୍ତୁ ବାସ୍ତବ କଥା ହେଉଛି ଏବେ ସୁଦ୍ଧା ବିଭିନ୍ନ  AIIMSରେ ଏବେବି ଶହଶହ ଡାକ୍ତର ତଥା ପ୍ରଫେସର ପଦ ଖାଲି ପଡ଼ିଛି , ଯାହାର ସ୍ଥାୟୀ ସମାଧାନ ନିହାତି ଜରୁରି ।