AI in offices Photograph: (KanakNews)
କନକ ବ୍ୟୁରୋ: ରାସନ କାର୍ଡ କିମ୍ବା ଆୟୁଷ୍ମାନ କାର୍ଡ ହେଉ ନାହିଁ କି ? କେଉଁଠି ଅଟକିଛି ? କାହିଁକି ଅଟକିଛି ? ଏସବୁ ପ୍ରଶ୍ନର ଉତ୍ତର ଏବେ ଘରେ ବସି ପାଇପାରିବେ ଆବେଦନକାରୀ । ତାହା ପୁଣି ଇଂରାଜିରେ ନୁହେଁ ଓଡ଼ିଆରେ । ସର୍ଚ୍ଚ ଇଂଜିନରେ ପ୍ରଶ୍ନ ପଚାରି ଓଡ଼ିଆରେ ଉତ୍ତର ପାଇପାରିବେ | ଏଭଳି କିଛି ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର |
ଓଡ଼ିଶା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନୀତି ୨୦୨୫କୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର | ଏହି ନୀତି ଆଣିବାରେ ଦେଶର ପ୍ରଥମ ରାଜ୍ୟ ଓଡ଼ିଶା | ରାଜ୍ୟର ବୈଷୟିକ ବିକାଶକୁ ଏହି ନୀତି ଆହୁରି ସୁଦୃଢ଼ କରିବ | କୃତ୍ରିମ ବୁଦ୍ଧିମତାର ବ୍ୟବହାର ଦ୍ବାରା ପ୍ରାଶାସନିକ ସେବା କ୍ଷେତ୍ରରେ ସୁଫଳ ମିଳିବ ବୋଲି କହିଛନ୍ତି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ। ଏହି ନୀତି ଓଡ଼ିଶାର ପ୍ରଯୁକ୍ତି ବିଦ୍ୟା ବିକାଶ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ ହେବ |
କି ସାହାଯ୍ୟ କରିବ ଏଆଇ ପିଲିସି ?
ରାଜ୍ୟ ସରକାରଙ୍କ ୪୧ଟି ବିଭାଗରେ ସେବା ପହଞ୍ଚାଇବା କ୍ଷେତ୍ରରେ ସହାୟକ ହେବ
ମେଟା ତଥା ଚାର୍ଟ ଜିପିଟିରେ ଏଣିକି ଓଡ଼ିଆରେ ପଚାରି ହେବ ଓ ଉତ୍ତର ମଧ୍ୟ ମିଳିବ
ସାଧାରଣ ଲୋକେ ଓଡ଼ିଆ ଭାଷାରେ କମାଣ୍ଡ ଦେଇ ବିଭିନ୍ନ ପ୍ରସଙ୍ଗରେ ଜାଣିପାରିବେ
ଏଆଇ ଟାସ୍କଫୋର୍ସରେ ଅଭିଯୋଗ ଶୁଣାଣିକୁ ମଧ୍ୟ ସହଜ କରିହେବ
ଅଭିଯୋଗକାରୀଙ୍କ ଷ୍ଟାଟସ୍ ସହ ଉପକୃତ ହେଲେ ନା ନାହିଁ ଜଣାପଡ଼ିବ
ସରକାର ଯୋଗାଉଥିବା ୨୭୦ଟି ସେବାର ଟ୍ରାକିଙ୍ଗ ମଧ୍ୟ କରାଯାଇପାରିବ
ଏଆଇ ଆନୁସଙ୍ଗିକ ଷ୍ଟାର୍ଟଅପ୍କୁ ପ୍ରମୋଟ୍ କରାଯିବ, ଫଳରେ ନୂଆ ନିଯୁକ୍ତି ସୃଷ୍ଟି ହେବ
ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ମହିଳା ଓ ଶିଶୁ ବିକାଶ ଭଳି ବିଭିନ୍ନ କ୍ଷେତ୍ରରେ ଏଆଇର ଉପଯୋଗ ହେବ । ଚଳିତ ଆର୍ଥିକ ବର୍ଷ ବଜେଟରେ ଏଆଇ ନୀତି ପାଇଁ ୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆବଶ୍ୟକ ହେଲେ ବଜେଟ୍ ଅର୍ଥ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।
Follow Us