କନକ ବ୍ୟୁରୋ : ଯେତିକି ପାଖଉଛି ବିହାର ବିଧାନସଭା ନିର୍ବାଚନ, ସେତିକି ବଢୁଛି ବୟାନବାଜି ଓ ବିବାଦ । ବିହାର କଂଗ୍ରେସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିବା ପରେ ରାଜ୍ୟ ରାଜନୀତିରେ ତମ୍ବିତୋଫାନ ଦେଖାଦେଇଛି । ଭୋଟ୍ ଚୋରି ଅଭିଯୋଗ ପ୍ରସଙ୍ଗକୁ ନେଇ କଂଗ୍ରେସ ଏହି ଭିଡିଓ ପୋଷ୍ଟ କରିଛି । ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି ବିଜେପି ।
କିଛିଦିନ ପୂର୍ବରୁ ବିହାର ଦରଭଙ୍ଗା ରାଲିରେ ରାହୁଲ ଗାନ୍ଧୀ ଓ ଜଣେ କଂଗ୍ରେସ କର୍ମୀ ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ବିରୋଧରେ ଦେଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା । ବିଦେଶ ଗସ୍ତରୁ ଫେରିବା ପରେ କଂଗ୍ରେସକୁ କଡ଼ା ଶବ୍ଦରେ ଭର୍ତ୍ସନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । କିଛିଦିନ ନଯାଉଣୁ ପୁଣି ହୀରାବେନଙ୍କ ଏଆଇ ଭିଡିଓ ଜାରି କରିଛି। ଏହା କଂଗ୍ରେସର ଭାବମୂର୍ତ୍ତିକୁ ବିଗାଡ଼ିପାରେ ।
ମୋଦୀ ଏବଂ ତାଙ୍କ ମା'ଙ୍କ ଏଆଇ ଭିଡିଓ ତିଆରି କରିବା ଘଟଣାକୁ ନେଇ ପଦ୍ମଶ୍ରୀ ମାଥୁରଭାଇ ସାୱାନୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏପରି ଭିଡିଓ ବିରୋଧରେ ଆପତ୍ତି କରିବା ସହ ପ୍ରଯୁକ୍ତି ବିଦ୍ୟାର ଅପବ୍ୟବହାର ବୋଲି ସାୱାନୀ ଅଭିଯୋଗ କରିଛନ୍ତି । ବିହାର ନିର୍ବାଚନ ପୂର୍ବରୁ ମୋଦୀ ମା’ଙ୍କୁ ନେଇ ଏଭଳି ରାଜନୀତିରୁ ନୂଆ ବିତର୍କ ଆରମ୍ଭ ହୋଇଛି ।