କନକ ବ୍ୟୁରୋ : ଏଆଇକୁ ନେଇ ଏବେ ଅନେକ ମତ ଆସୁଛି । କିଏ କହୁଛି କି ଏଆଇ ଯୁବପୀଢ଼ିକୁ ବେରୋଜଗାର କରିଦେବ ପୁଣି କିଏ କହୁଛି ଏଆଇ ମାଧ୍ୟମରେ ସମସ୍ତଙ୍କ ବ୍ୟକ୍ତିଗତ ତଥ୍ୟ ଓ ଗୋପନୀୟତାର ଖୋଲାସା ହୋଇଯିବ । ହେଲେ ଏଆଇ ଆମ ପାଇଁ କେତେ ଜରୁରୀ ଓ ଏହା ଆମକୁ କେତେ ଲାଭ ଦେଇପାରେ ତାହାର ଖୋଲାସା କରିଛନ୍ତି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ଅଧ୍ୟକ୍ଷ ରବି ଅଗ୍ରୱାଲ । ସେ ଏକ ସାକ୍ଷାତକାରରେ କହିଛନ୍ତି କି, ଆୟକର ବିଭାଗ ଗତ ୪ ବର୍ଷ ମଧ୍ୟରେ ବିଭିନ୍ନ ଏଆଇ ଉପକରଣ ଉପଯୋଗ କରି ୧ କୋଟିରୁ ଅଧିକ କରଦାତାଙ୍କୁ ସ୍ୱଚ୍ଛତାରେ କର ପୈଠ କରିବାକୁ ପ୍ରୋତ୍ସାହିତ କରିଛି । ଏଥିରୁ ସରକାରଙ୍କୁ ଅତିରିକ୍ତ ୧୧ ହଜାର କୋଟି ଟଙ୍କା ରାଜସ୍ୱ ପ୍ରାପ୍ତି ହୋଇଛି ।
ଅଗ୍ରୱାଲ କହିଛନ୍ତି କି, ଏଆଇ ବିଶ୍ଳେଷଣ ଦୁଇ ଭାଗରେ ବିଭକ୍ତ ହୋଇଛି । ସ୍ୱଂୟ ଏଆଇ ଉପକରଣ, ଓ ଏହାର ଡାଟାବେସ୍ ଯାହାର ବିଶ୍ଳେଷଣ ଉପକରଣକୁ କରିବାକୁ ପଡିଥାଏ । ଏହି ଉପକରଣ ପାଇଁ ବିକ୍ରେତା ନିଯୁକ୍ତ ହୋଇଛନ୍ତି ଯେଉଁ ପ୍ଲାଟଫର୍ମରେ ଏଆଇ ଉପଯୋଗ କରାଯାଉଛି ସେହି ଆଧାରରେ ଉପକରଣର ଉପଲବ୍ଧ ହେଉଛି ।
ସେ କହିଛନ୍ତି କି କର ବିଭାଗ ପାଖାପାଖି ୪୦ କୋଟି ବିଶିଷ୍ଟ କରଦାତାଙ୍କ ପାଇଁ ବାର୍ଷିକ ସୂଚନା ବିବରଣୀ ପ୍ରସ୍ତୁତ କରିଥାଏ । ହେଲେ ତା ମଧ୍ୟରୁ ୯ କୋଟି କରଦାତା ବାସ୍ତବେ କର ପୈଠ କରିଥାନ୍ତି । ଏଆଇ ଟୁଲର ପ୍ରଥମ ପର୍ଯ୍ୟାୟ ଏହା ବିଶ୍ଳେଷଣ କରିଥାଏ କି ବାକି ଥିବା ୩୧ କୋଟି କରଦାତାଙ୍କ ମଧ୍ୟରୁ କେଉଁମାନେ କର ଫେରସ୍ତ କରିବା ଆବଶ୍ୟକ ।
ଅଗ୍ରୱାଲ କହିଛନ୍ତି, ଦ୍ୱିତୀୟ ଉପାଦାନ ହେଉଛନ୍ତି ସେହିମାନେ ଯେଉଁମାନେ ସେମାନଙ୍କ ଟ୍ୟାକ୍ସ ରିଟର୍ନ ଦାଖଲ କରିଛନ୍ତି । ଏବଂ ଏହା ସଠିକ୍ ଭାବେ କରିଛନ୍ତି କି, ନାହିଁ ତାହା ଏଆଇ ଅନୁଧ୍ୟାନ କରୁଛି ।