କନକ ବ୍ୟୁରୋ: AI ଜଗିବ ପୁରୀ ଓ ଉତ୍ତରା ଛକଠାରୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ, ପୁରୀରୁ କୋଣାର୍କ ଯାଏଁ ସମସ୍ତ ଗତିବିଧି ଉପରେ ନଜର ରଖିବ AI କ୍ୟାମେରା । ଏହି ସମସ୍ତ ସ୍ଥାନ ସିସିଟିଭି ସର୍ଭେଲାନ୍ସରେ ରହିବ । ଯେଉଁ ସ୍ଥାନରେ ଗହଳି ଅଧିକା ହେବ ବା ଭିଡ଼ ହେଉଥିବା ସ୍ଥାନର ଭିଡିଓ ଉତ୍ତୋଳନ କରିବ AI । ଏହାଦ୍ୱାରା ସେଠାରେ ମୁତୟନ ଥିବା ପୁଲିସଙ୍କୁ ଭିଡ଼ ନିୟନ୍ତ୍ରଣ ପାଇଁ ପଠାଯାଇ ପାରିବ । ଡ୍ରୋନ୍ ଏବଂ ଆଣ୍ଟି ଡ୍ରୋନ୍ ଦୁଇଟି ଯାକ ପୁରୀରେ ନିୟୋଜିତ କରାଯାଇଛି । ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ସମସ୍ତ ପ୍ରସ୍ତୁତି କରାଯାଇଛି ।
ଓଡ଼ିଶା ପୁଲିସର ସ୍ୱତନ୍ତ୍ର ବୁଲେଟପ୍ରୁଫ୍ ରକ୍ଷକ ଏଥିରେ ସାମିଲ ହେବ । ଯୁଦ୍ଧ ଯାନ ‘ରକ୍ଷକ’ ପୁରୀ ସହର ସାରା ପଇଁତରା ମାରିବ । ପୁରୀ ସହରରେ ରକ୍ଷକ ସହ ସେଣ୍ଟ୍ରାଲ ଏଜେନ୍ସି ଫୋର୍ସ ମୁତୟନ କରାଯାଇଛି । ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଆପ୍ ପ୍ରସ୍ତୁତ କରାଯାଇଛି ଓ ଯେଉଁଥିରେ ରଥଯାତ୍ରା ବେଳେ ପୁରୀକୁ ଯାଉଥିବା ସମସ୍ତ ଭକ୍ତ, ରାସ୍ତା ଉପରେ ଗତିବିଧି ସହ ଟ୍ରାଫିକ ସମସ୍ୟା ବାବଦରେ ଅବଗତ ହୋଇ ପାରିବେ ଓ ଭିଡ଼ ଥିଲେ, କେମିତି ପୁରୀକୁ ଯିବେ ଏବଂ କେଉଁ ରାସ୍ତା ଦେଇ ଯିବାକୁ ପଡ଼ିବ ସେସବୁ ତଥ୍ୟ ଏହି ଆପ୍ଲିକେସନରେ ପାଇ ପାରିବେ ଶ୍ରଦ୍ଧାଳୁ ଓ କେଉଁ ପାର୍କିଂରେ ଗାଡ଼ି ରଖିବେ ତାହା ମଧ୍ୟ ଜାଣି ପାରିବେ ଜନ ସାଧାରଣ ।
ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଗୁରୁତ୍ବ ଦେଇଛନ୍ତି ସରକାର । ରଥଯାତ୍ରା ବେଳେ ବିଶୃଙ୍ଖଳା କଲେ ଗିରଫ କରିବାକୁ ନିର୍ଦ୍ଦେଶ ରହିଛି । ଅଣସେବାୟତ ରଥ ଉପରେ ଚଢ଼ିଲେ ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗତକାଲି(ଶନିବାର) ରଥ ଉପରେ ମୋବାଇଲ ମନା ବୋଲି ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା । ଯଦି କେହି ଅଣସେବାୟତ ଚିହ୍ନଟ ହୁଅନ୍ତି, ତେବେ ସେମାନଙ୍କ ବିରୋଧରେ ଏତଲା ଦିଆଯିବ । ଏପରିକି ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ମଧ୍ୟ କୁହାଯାଇଥିଲା । ଆଜି ବିଶୃଙ୍ଖଳା କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଖୋଦ ଆଇନ ମନ୍ତ୍ରୀ । ପ୍ରତିବର୍ଷ ରଥଯାତ୍ରାରେ ବିଶୃଙ୍ଖଳା ଘଟଣା ପାଇଁ ସରକାରଙ୍କୁ ବଦନାମ ମୁଣ୍ଡାଇବାକୁ ପଡ଼େ । ଗତବର୍ଷ ରଥ ଉପରୁ ପ୍ରଭୁ ବଳଭଦ୍ର ଖସି ପଡ଼ିବା, ଏବଂ ରଥରେ ଅଣସେବାୟତ ଚଢ଼ିବା ଘଟଣାକୁ ନେଇ ବିବାଦ ହୋଇଥିଲା । ତେଣୁ ଚଳିତ ରଥଯାତ୍ରାରେ ଯେପରି କୌଣସି ବିଭ୍ରାଟ ନହୁଏ ସେଥିପ୍ରତି ଏବେଠୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।