କନକ ବ୍ୟୁରୋ: ବଦଳି ଯିବ ରାଜଧାନୀ ଭୁବନେଶ୍ୱରର ରୂପରେଖ । ସାମ୍ନାକୁ ଆସିଲା ଅବାକ୍ କରିଦେଲା ଭଳି ଫଟୋ । ଦେଖିଲେ ବିଶ୍ୱାସ କରି ପାରିବେନି ସାଧାରଣ ଲୋକେ । ଅତ୍ୟାଧୁନିକ ଟେକ୍ନୋଲୋଜିରେ ଗଢା ହୋଇପାରେ ସ୍ମାର୍ଟସିଟି । ଆଗାମୀ ଦିନରେ ଭୁବନେଶ୍ୱର କିଭଳି ଦେଖାଯିବ ପୂର୍ବାନୁମାନ କଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏଆଇ ମୁତାବକ ଭୁବନେଶ୍ୱରରେ ଆଗାମୀ ଦିନରେ ଫ୍ୟୁଚରିଷ୍ଟିକ୍ ସିଲ୍କ୍ ରୋଡ ଦେଖିବାକୁ ମିଳିବ ।
ମନ୍ଦିରମାଳିନୀ ସହର ଭୁବନେଶ୍ୱର । ଆଧୁନିକ ସମୟରେ ବି ଏହାର ପ୍ରାଚୀନ ସ୍ଥାପତ୍ୟ ବଖାଣୁଛି ସାଂସ୍କୃତିକ ଐତିହ୍ୟ । ଯାହା ଫଳରେ ଏଠାକୁ ଟାଣି ହୋଇ ଆସନ୍ତି ପର୍ଯ୍ୟଟକ । ହେଲେ ବର୍ତ୍ତମାନ ଏଆଇ ଯେଉଁ ପୂର୍ବାନୁମାନ କରିଛି, ତାହା ଭୁବନେଶ୍ୱରର ପ୍ରାଚୀନ ସଂସ୍କୃତିକୁ ଆହୁରି ସମୃଦ୍ଧ କରିବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମୁତାବକ ଆଗାମୀ ଦିନରେ ଭୁବନେଶ୍ୱର ଏକ ଇକୋ ଫ୍ରେଣ୍ଡଲୀ ସ୍ମାର୍ଟ ଗ୍ରୀନ୍ ସିଟିରେ ପରିଣତ ହେବ । ଏଠାରେ ଗାଡିଗୁଡିକ କ୍ଲିନ୍ ଗ୍ରୀନ ଏନର୍ଜି ଦ୍ୱାରା ଚାଲିବ । ଧୀରେଧୀରେ ଏଠାରେ ପ୍ରଦୂଷଣ କମିବ । ପ୍ରଦୂଷଣ ଭୁବନେଶ୍ୱରର ଏକ ସ୍ମୃତି ପାଲଟିବ ।
ଏହି କ୍ରମରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର କିଭଳି ଦେଖାଯିବ । ଭୁବନେଶ୍ୱର ରେଳ ଷ୍ଟେସନ କିଭଳି ଦେଖାଯିବ ତାହାକୁ ନେଇ ପୂର୍ବାନୁମାନ କରିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଖାଲି ସେତିକି ନୁହେଁ ଭୁବନେଶ୍ୱରରେ ଆଖପାଖ ଅଞ୍ଚଳରେ ଥିବା ନଦୀଗୁଡିକ ସ୍ୱଚ୍ଛ ହେବ । ଏହାର ପ୍ରଭାବ ଲୋକଙ୍କ ଉପରେ ପଡିବ । ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳରେ ନିର୍ମାଣ ହେବ ନୂଆ ଭୁବନେଶ୍ୱର । ପରିବହନ ବ୍ୟବସ୍ଥା ଆହୁରି ସରଳ ଓ ସୁବିଧାଜନକ ରହିବ । ପୁନଃନବୀକରଣ ଶକ୍ତି ଦ୍ୱାରା ପରିଚାଳିତ ହେବ ପୂରା ରାଜଧାନୀ । ଦୀର୍ଘସ୍ଥାୟୀ ସହରୀକରଣର ଏକ ମଡେଲ ପାଲଟିବ ରାଜଧାନୀ । ଯାହା କେହି କେବେ ବିଶ୍ୱାସ କରିନଥିବେ ।
ବିଗତ ୧୦ ବର୍ଷ ମଧ୍ୟରେ ରାଜଧାନୀ ଭୁବନେଶ୍ୱରର ଅନେକ ପରିବର୍ତ୍ତନ ଦେଖିଛି । ତେବେ ଏଭଳି ବିକଶମୁଖୀ ପରିବର୍ତ୍ତନ ଜାରି ରହିଲେ, ଭୁବନେଶ୍ୱରକୁ ନେଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପୂର୍ବାନୁମାନକୁ ଏଡାଇ ଦିଆଯାଇନପାରେ । ଭୁବନେଶ୍ୱରର ଫ୍ୟୁଚରିଷ୍ଟିକ ଫଟୋ ଭାଇରାଲ ହେବାପରେ ଏହାକୁ ନେଇ ନେଟିଜେନ୍ସଙ୍କ ମଧ୍ୟରେ ସକରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇଛି । କାରଣ ଏଭଳି ବିକାଶ ହେଲେ ରାଜଧାନୀବାସୀଙ୍କୁ ମିଳିବ ଅତ୍ୟାଧୁନିକ ସୁବିଧା ।