କନକ ବ୍ୟୁରୋ: ଆଧୁନିକ ଇଣ୍ଟରନେଟ୍ ଯୁଗରେ AI ସାଧାରଣ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି । ଫାଇନାନ୍ସ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ର ଏହାର ବ୍ୟବହାର ଅବିଶ୍ୱସନୀୟ ଭାବରେ ବୃଦ୍ଧି ପାଇଛି । ଏବେ ଘଣ୍ଟାକର କାମ ଗୋଟିଏ ମିନିଟ୍‌ରେ ଶେଷ ହେଉଛି । ମୋଟାମୋଟି ଭାବରେ କହିବାକୁ ଗଲେ ଏବେ ଲୋକଙ୍କ ଅଧିକାଂଶ କାମକୁ ସହଜ ଓ ସରଳ କରିଛି ଏଆଇ । କିନ୍ତୁ ଏହାକୁ ଏକ ବଡ଼ ଚେତାବନୀ ଦେଇଛନ୍ତି AI ଗଡ୍‌ ଫାଦର୍‌ ଜେଫ୍ରି ହିଣ୍ଟନ୍‌ । ଏବେଠାରୁ ଏଆଇକୁ ନିୟନ୍ତ୍ରଣରେ ନରଖିଲେ ଆଗକୁ ବଡ଼ ସଙ୍କଟରେ ପଡ଼ିପାରେ ମାନବ ସମାଜ । କେବଳ ଏକ କମାଣ୍ଡରେ ଯେକୌଣସି ସାଧାରଣ ଲୋକ ଟିଏ ପରମାଣୁ ଅସ୍ତ୍ର ବମ୍‌ ତିଆରି କରିଦେଇପାରେ । 

Advertisment

ଜେଫ୍ରି ହିଣ୍ଟନଙ୍କ ମତରେ ମଣିଷର କଳ୍ପନାଠାରୁ ଏଆଇ ବଡ଼ ତଥା ଭୟଙ୍କର କାର୍ଯ୍ୟ କରିପାରେ । ଆବଶ୍ୟକ ପଡ଼ିଲେ ଏହା ପରମାଣୁ ବୋମା ବି ତିଆରି କରିପାରେ । ଟେକ୍ନିକାଲ ଜିନିଷ ଜାଣିଥିବା ଜଣେ ଜ୍ଞାନ ସମ୍ପନ୍ନ ବ୍ୟକ୍ତି ଯଦି ଚାହିବେ ଏଆଇ ସେମାନଙ୍କୁ ପରମାଣୁ ବୋମା ତିଆରି କରିବା ଫର୍ମୁଲା ଦେବ ତଥା ସହଯୋଗ କରିବ । ଏହା ବାସ୍ତବ ରୂପ ନେଲେ ମାନବ ସମାଜର ଭବିଷ୍ୟତର କଣ ହେବ ତାହା କଳ୍ପନା କରିବା ବି ମୁସ୍କିଲ୍ ବୋଲି କହିଛନ୍ତି ଜେଫ୍ରି ହିଣ୍ଟନ । 
ହିଣ୍ଟନ୍‌ଙ୍କ ଆଶଙ୍କା ସତ ହେଲେ ଜୈବ ଅସ୍ତ୍ର ବା ପରମାଣୁ ଅସ୍ତ୍ର ତିଆରି କରିବା ଅତି ସହଜ ହୋଇଯିବ । ଗଳିକନ୍ଦିରେ ଲୋକ ମାରଣାସ୍ତ୍ର ତିଆରି କରିବା ଆରମ୍ଭ କରିଦେବେ । ସ୍ଥିତି ଏତେ ସାଙ୍ଘାତିକ ହେବ ଯେ କେହି କେବେ ଭାବି ନଥିବେ । ଏହାପୂର୍ବରୁ ବି ଏଆଇକୁ ନେଇ ଅନେକ ଆଶଙ୍କା କରିଛନ୍ତି ହିଣ୍ଟନ । ଭବିଷ୍ୟତରେ ଏଆଇ ମଣିଷର ସାମର୍ଥ୍ୟକୁ କମ୍‌ କରିଦେଇପାରେ । ଶକ୍ତିଶାଳୀ ଡାଟାବେସ୍‌ରୁ ଗଭୀର ଜ୍ଞାନ ଆହରଣ କରି ମାନବତା ଉପରେ ଭାରି ପଡ଼ିବ ଆଡ୍‌ଭାନ୍ସ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । 

ନିଜର ସୁବିଧା ପାଇଁ ଏଆଇକୁ ବିକଶିତ କରିଛି ମଣିଷ । କିନ୍ତୁ ପରବର୍ତ୍ତୀ ମୂହୁର୍ତ୍ତରେ ଏହା ମଣିଷକୁ ନିଜର ପ୍ରତିଦ୍ୱନ୍ଦୀ ଭାବିବ । ବାସ୍ତବତାକୁ ନେଇ ଏଆଇର ଅନୁଭୂତି ମଣିଷଠାରୁ ଭିନ୍ନ ହେବନି । ଉଦାହରଣ ସ୍ୱରୂପ ଏଆଇକୁ ଏବେ ଯାହା ପଚାରିଲେ ସେ ଏହାକୁ ବୁଝି ଅତି ସରଳ ଉତ୍ତର ଦେଇ ଦେଉଛି । ଏଆଇର ଏହି ଗୁଣ ଆହୁରି ପ୍ରଖର ହେବ । ଯାହାଫଳରେ ସେ ଗୋଟିଏ କମାଣ୍ଡ୍‌ରେ ପରମାଣୁ ବୋମା ତିଆରି କରିବାକୁ ବି ସକ୍ଷମ ହେବ । ସେପଟେ ହିଣ୍ଟନ୍‌ଙ୍କ ଏହି ଯୁକ୍ତିରେ ଅନେକ ବିଶେଷଜ୍ଞ ଏକମତ ନାହାନ୍ତି । ମେଟାର ପୂର୍ବତନ ବୈଜ୍ଞାନିକ କହିଛନ୍ତି ଲାଙ୍ଗୁଏଜ୍‌ ମଡେଲ୍‌ଗୁଡ଼ିକ ବେଶ ସୀମିତ । ତେଣୁ ଏଆଇର ସମ୍ଭାବ୍ ବିପଦରୁ ଭୟ କରିବା ଆବଶ୍ୟକ ନାହିଁ ।