କନକ ବ୍ୟୁରୋ: ଦୁର୍ଗାପୂଜାକୁ ନେଇ ଉତ୍ସବମୁଖର ସାରା ପରିବେଶ । ଭଳିକି ଭଳି ତୋରଣ । ଆଲୋକ ମାଳାରେ ଝଲସୁଛି ପେଣ୍ଡାଲ । ଲାଗୁଛି ଯେମିତି ପୂଜା କମିଟି ଭିତରେ ଯେମିତି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଆଉ ଏହାରି ଭିତରେ ବଡ ସମସ୍ୟା ସାଜିଛି ଚୋରି । ଭିଡ଼ର ମୌକା ଦେଖି ଚୌକା ମାରିବାକୁ ଚାହିଁ ବସିଥାନ୍ତି ଚୋର ଗୋଷ୍ଠୀ । ଏକୁଟିଆ ମହିଳା କିମ୍ୱା ବୃଦ୍ଧଙ୍କୁ କରନ୍ତି ସଫ୍ଟ ଟାର୍ଗେଟ। ଭିଡର ସୁଯୋଗ ଦେଖିଲେ ଭିଡ଼ି ନିଅନ୍ତି ବେକରେ ଥିବା ସୁନା ଗହଣା । ମୋବାଇଲ ଓ ମନି ପର୍ସ ବି ଲୁଟନ୍ତି । ଏସବୁକୁ ଆଖିରେ ରଖି, ଏଥର ମଣ୍ଡପ ଜଗିବ ଏଆଇ । ପୂଜା ପେଣ୍ଡାଲ ମୁହାଁ ହେଉଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରଥମ ଥର ପାଇଁ ମଣ୍ଡପ ଜଗିଛି ଏଆଇ ।
ସେପଟେ ବିଭିନ୍ନ ପୂଜା ପେଣ୍ଡାଲରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇଛନ୍ତି କମିଟି ସଦସ୍ୟ। ଚୋରି ଓ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ଭଲ୍ୟୁଣ୍ଟର ନିୟୋଜିତ କରାଯାଇଛି । ଏହାସହିତ ସିସିଟିଭି କଣ୍ଟ୍ରୋଲ ରୁମ୍ ଏବଂ ପୁଲିସ ବି ପଇଁତରା ମାରୁଛି । ଏତେସବୁ ବ୍ୟବସ୍ଥା ପରେ, ବି ନିଜ ସୁରକ୍ଷା ନିଜ ହାତରେ ବୋଲି କହିଛନ୍ତି ଶ୍ରଦ୍ଧାଳୁ ।
ବିଗତ ଦିନରେ ବିଭିନ୍ନ ପୂଜା ମଣ୍ଡପରୁ ସୁନା ଗାଏବ ନେଇ ଖବର ପ୍ରସାରଣ ହୋଇଛି । ଏସବୁ ଭିତରେ ସୁନା ଗହଣା ପିନ୍ଧି ପୂଜା ମଣ୍ଡପକୁ ଆସିବାକୁ ବାରଣ କରିଛି ପୁଲିସ । ତେବେ ଅସମ୍ଭାଳ ଭିଡ ଓ ଆଇନଶୃଙ୍ଖଳା ପୁଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।