କନକ ବ୍ୟୁରୋ: ଯେଉଁ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ)କୁ ବନାଇ ମଣିଷ ଆଜି ବାହାବା ନେଉଛି, ଦିନ ଆସିବ ସେହି ଏଆଇ ମାନବତାକୁ ସମ୍ପୂର୍ଣ୍ଣ ପୋଛିନେବ । ମଣିଷକୁ ଏକପ୍ରକାର ଅଙ୍ଗୁଳିରେ ନଚାଇବ । ପ୍ରତିଟି କାର୍ଯ୍ୟରେ ପାରଙ୍ଗମ ହୋଇ ମାନବତା ଉପରେ ଭାରି ପଡ଼ିବ । କୌଣସି କ୍ଷେତ୍ରରେ ମଣିଷର ଖୋଜା ପଡ଼ିବ ନାହିଁ । ବିପଦମୁଖୀ ହେବ ମାନବ ସମାଜ । ଆଉ କେହି ନୁହନ୍ତି, ବରଂ ଏଆଇର ‘ଗଡଫାଦର’ ଜେଫ୍ରି ହିଣ୍ଟନ୍ ହିଁ ଏହି ସତର୍କବାଣୀ କରିଛନ୍ତି ।
ନୋବେଲ ପୁରସ୍କାର ବିଜେତା କମ୍ପ୍ୟୁଟର ବୈଜ୍ଞାନିକ ତଥା ପୂର୍ବତନ ଗୁଗଲ୍ କାର୍ଯ୍ୟନିର୍ବାହୀ ହିଣ୍ଟନ ଏଆଇ ବନାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିପାଇଁ ସେ ନିଜକୁ ଗୌରବାନ୍ବିତ ମନେ କରୁଥିଲେ । କିନ୍ତୁ ଆଜି ତାଙ୍କ ଆଭିମୁଖ୍ୟ ବଦଳି ଯାଇଛି । ଏଆଇ ଯେ ମାନବତା ପାଇଁ ଶତ୍ରୁଠାରୁ କମ୍ ନୁହେଁ, ତାହା ସେ କହିବାକୁ ଚାହିଛନ୍ତି । ତାଙ୍କ ମୁତାବକ, କିଛି ପ୍ରଯୁକ୍ତି ପେସାଦାର ଏଆଇକୁ ନିୟନ୍ତ୍ରଣ ଲାଗି ଯେଉଁ ସବୁ ତରିକା ଆପଣାଉଛନ୍ତି, ତାହା ଭୁଲ। ପୂର୍ବରୁ ହିଣ୍ଟନ ଆଶଙ୍କା କରିଥିଲେ କି ମାନବତା ଉପରେ ଏଆଇ ଭାରି ପଡ଼ିବା ଆଶଙ୍କା ୧୦ରୁ ୨୦% ରହିଛି । ଏଆଇ ଉପରେ ମଣିଷର ହାକିମାତି ବଜାୟ ରଖିବା ଲାଗି ବର୍ତ୍ତମାନ କିଛି ଟେକ୍ କମ୍ପାନି ଉଦ୍ୟମ ଚଳାଇଛନ୍ତି । କିନ୍ତୁ ତାହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ହିଣ୍ଟନ । ତାଙ୍କ ମୁତାବକ କମ୍ପାନିଗୁଡ଼ିକର ଏହି ଉଦ୍ୟମ ବିଫଳ ହେବ ।
କାହିଁକି ନା ଏଆଇ ଆମଠାରୁ ଅନେକ ଗୁଣା ବୁଦ୍ଧିମାନ ହେବାକୁ ଯାଉଛି । ପ୍ରତ୍ୟେକ କ୍ଷେତ୍ରରେ ଆମଠାରୁ ଆଗରେ ରହିବା ଲାଗି ଏଆଇ ପାଖରେ ଅନେକ ଉପାୟ ଉପଲବ୍ଧ ହେବ । ନିଜ ଯୁକ୍ତିକୁ ସରଳ ଭାବେ ବୁଝାଇବାକୁ ଯାଇ ହିଣ୍ଟନ କହିଛନ୍ତି, ଛୋଟ ପିଲାଙ୍କୁ ଭଣ୍ଡେଇବାକୁ ଯାଇ ଜଣେ ଲୋକ ଯେମିତି କ୍ୟାଣ୍ଡି ଯଚିଥାନ୍ତି, ସେମିତି ଅତ୍ୟନ୍ତ ସହଜ ଭାବେ ଏଆଇ ଆମ୍ଭମାନଙ୍କୁ ନିୟନ୍ତ୍ରଣ କରିବା ଆଶଙ୍କା ରହିଛି । ଏ ବର୍ଷ ଏମିତି ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି, ଯେଉଁଠି ଏଆଇ ବ୍ୟବସ୍ଥା ନିଜ ଲକ୍ଷ୍ୟ ହାସଲ ଲାଗି ଧୋକା, ଠକେଇ ଓ ଚୋରି କରିବାକୁ ପଛାଇ ନାହିଁ । ଏହିଭଳି ଘଟଣାକ୍ରମେ ଏକ ଏଆଇ ମଡେଲ୍ ଜଣେ ଇଞ୍ଜିନିୟରଙ୍କୁ ବ୍ଲାକ୍ମେଲ୍ କରିବାରେ ସଫଳ ହୋଇଥିଲା। ଇ-ମେଲ୍ରୁ ତାଙ୍କର ଏକ ଲୁଚା ପ୍ରେମ ବ୍ୟାପାର ବାବଦରେ ଜାଣିନେବା ପରେ ଏଆଇ ତାଙ୍କୁ ବ୍ଲାକ୍ମେଲ ଉଦ୍ୟମ କରିଥିଲା। ଏହି ଘଟଣାରେ ଇଞ୍ଜିନିୟର ଜଣକ ହତଚକିତ ହୋଇପଡ଼ିଥିଲେ।
ମଣିଷ ଆଗରେ ମୁଣ୍ଡ ନୁଆଁଇବାକୁ ଏଆଇକୁ ବାଧ୍ୟ କରିବା ପରିବର୍ତ୍ତେ ହିଣ୍ଟନ ଏକ ମଜାଦାର ସମାଧାନ ବାବଦରେ ବତାଇଛନ୍ତି । ତାଙ୍କ ମୁତାବକ ଏ ଆଇ ମଡେଲ୍ରେ ‘ମାତୃ ପ୍ରବୃତ୍ତି’ ବା ମାଆ ଭଳି ଭଲ ପାଉଥିବା ମନୋଭାବକୁ କରାଯିବା ଦରକାର । ଏହାଦ୍ୱାରା ଏଆଇ ମଣିଷକୁ ନିଜ ସନ୍ତାନ ଭାବି କାର୍ଯ୍ୟ କରିବ । ଏହା ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଏବଂ ମଣିଷଠାରୁ ଚାଲାକ ବା ବୁଦ୍ଧିମାନ ହେଲେ ସୁଦ୍ଧା ଏହା କୌଣସି ଅନିଷ୍ଟ କରିବ ନାହିଁ ।