କନକ ବ୍ୟୁରୋ: ପୂଜା ପୂର୍ବରୁ ସକ୍ରିୟ ହେଲେଣି ଅପରାଧୀ । ରାଜଧାନୀଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ବୋମାମାଡ଼ କରି ଭୟ ସୃଷ୍ଟି କଲେଣି । ସେହିପରି ବିଭିନ୍ନ ସ୍ଥାନରେ ଲୁଟ୍ କରି ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେଣି । 

Advertisment

ବ୍ରହ୍ମପୁର, ଭଦ୍ରକ, ଭୁବନେଶ୍ୱରର ଘଟଣା ଭୟର ବାତାବରଣ ସୃଷ୍ଟି କରିଛି । କଥା କଥାକେ ଫୁଟୁଛି ବୋମା ।  ଗତ ଗୁରୁବାର ରାତିରେ ବ୍ରହ୍ମପୁର ମହାନଗର ନିଗମ ୯ନଂ ୱାର୍ଡ କର୍ପୋରେଟରଙ୍କ ଘର ଉପରକୁ ହୋଇଛି ବୋମାମାଡ଼ । ୩ ଦୁର୍ବୃତ୍ତ ଗୋଟିଏ ବୁଲେଟରେ ଆସି ବୋମାମାଡ଼ କରିଛନ୍ତି । ସେହିଭଳି ଭଦ୍ରକ ଚରମ୍ପା ବିଷାଣୀଖରିଦା ଅଞ୍ଚଳରେ ସିରିଜ ବୋମାମାଡ଼ ହୋଇଛି । ଦୁର୍ବୃତ୍ତମାନେ ବୋମାମାଡ଼ କରିବା ପରେ ଧମକ ଦେଇ ଯାଇଥିବା ଅଭିଯୋଗ ହୋଇଛି ।  ମଙ୍ଗଳବାର ରାତିରେ ବି ରାଜଧାନୀର ଦୁଇଟି ସ୍ଥାନରେ ସିରିଜ୍ ବୋମାମାଡ଼ ହୋଇଥିଲା । କିଛି ବୋମା ଫୁଟିଥିବାବେଳେ ଆଉ କିଛି ଅଫୁଟା ବୋମା ଉଦ୍ଧାର କରିଥିଲା କମିସନରେଟ୍ ପୁଲିସ । 
 
ଆଗକୁ ପୂଜା ଆସୁଥିବାବେଳେ ଲୁଟ୍‌ ଘଟଣା ବଢ଼ିବାର ଲାଗିଛି । କେନ୍ଦୁଝର ଆନନ୍ଦପୁର ଥାନା ମଠସାହିରେ ଦୁର୍ବୃତ୍ତ ମାନେ ଏକକାଳୀନ ୩ ଜଣଙ୍କ ଘରେ ପଶି ସୁନା ଅଳଙ୍କାର ସହ ଟଙ୍କା ଲୁଟ୍‌ କରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଦାମୀ କାରରେ ଆସି ଛେଳି ଚୋରି କରି ଧରାପଡିଛନ୍ତି ଚୋର । ବାଲେଶ୍ୱର ଜିଲ୍ଲା ସନ୍ତରାଗଡିଆ ବଜାରରେ ବିଳମ୍ବିତ ରାତିରେ ଦୋକାନ ତାଲା କାଟି ଲକ୍ଷାଧିକ ଟଙ୍କାର କଂସା ବାସନ ଲୁଟିନେଇଛନ୍ତି । ସେହିପରି ଭୋଗରାଇ ବ୍ଲକ କମର୍ଦ୍ଦା ବଜାରରେ ଥିବା ବ୍ୟାଙ୍କ ଅଫ୍ ଇଣ୍ତିଆ ଏଟିଏମରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଖବର ସାମନାକୁ ଆସିଛି । ସେହିପରି ଆସ୍କା ମୋହନ କଲୋନିରେ ଜଣେ ଶିକ୍ଷକଙ୍କ ଘରେ ପଶି ପାଖାପାଖି ୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗହଣା ଚୋରି କରିନେଇଛନ୍ତି ଦୁର୍ବୃତ୍ତ । ପୂଜା ପୂର୍ବରୁ ବଢ଼ୁଥିବା ଚୋରି, ଡକାୟତି ଏବଂ ଅପରାଧକୁ ରୋକିବା ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।