କନକ ବ୍ୟୁରୋ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ହେବାକୁ ଥିବା ବ୍ରିହାନ ମୁମ୍ବାଇ ମହାନଗର ନିଗମ (BMC) ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ବିଜେପିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ବିଧାୟକ ଅମିତ ସାଟମଙ୍କୁ ମୁମ୍ବାଇ ବିଜେପିର ନୂଆ ସଭାପତି ଭାବେ ନିଯୁକ୍ତ କରାଯାଇଛି । ସେ ଆଶିଷ ଶେଲାରଙ୍କ ସ୍ଥାନ ନେଇଛନ୍ତି, ଯିଏକି ଫଡ଼ନଭିସ ସରକାରରେ ଜଣେ କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏନେଇ ଘୋଷଣା କରିଛନ୍ତି । ଏବେ ଏହି ପରିବର୍ତ୍ତନର ଅନେକ ରାଜନୈତିକ ଅର୍ଥ ବାହାର କରାଯାଉଛି । ଏହାକୁ ବିଏମସି ନିର୍ବାଚନ ପୂର୍ବରୁ ଦଳକୁ ମଜଭୁତ କରିବା ଏବଂ ଫଡ଼ନଭିସ୍ଙ୍କ ପ୍ରଭାବ ବୃଦ୍ଧି କରିବାର ଏକ ରଣନୀତି ଭାବେ ଦେଖାଯାଉଛି ।
କିଏ ଅମିତ ସାଟମ?
୪୯ ବର୍ଷୀୟ ଅମିତ ସାଟମ ଅନ୍ଧେରୀ ପଶ୍ଚିମ ବିଧାନସଭା ଆସନରୁ ଲଗାତାର ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ଆକ୍ରମଣାତ୍ମକ ରାଜନୈତିକ ଶୈଳୀ ଏବଂ ଲୋକଙ୍କ ପ୍ରସଙ୍ଗରେ ଦୃଢ଼ ମତ ପାଇଁ ଜଣାଶୁଣା । ସାଟମ ପୂର୍ବରୁ ବିଏମସିରେ କର୍ପୋରେଟର ମଧ୍ୟ ରହିସାରିଛନ୍ତି ଏବଂ ତାଙ୍କ ପାଖରେ ସଂଗଠନର ବ୍ୟାପକ ଅଭିଜ୍ଞତା ରହିଛି । ସେ ମୁମ୍ବାଇ ବିଜେପିର ଯୁବ ଶାଖାର ମହାସଚିବ ମଧ୍ୟ ଥିଲେ । ଅମିତ ସାଟମଙ୍କୁ ଦିବଙ୍ଗତ ବିଜେପି ହେବିୱେଟ୍ ଗୋପୀନାଥ ମୁଣ୍ଡେଙ୍କ ନିକଟତର ବୋଲି ବିବେଚନା କରାଯାଉଥିଲା ।
ବିଜେପିରେ ପରିବର୍ତ୍ତନ କାହିଁକି ?
ଆଶିଷ ଶେଲାର ମହାରାଷ୍ଟ୍ର ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ହେବା ପରଠୁ ମୁମ୍ବାଇ ଶାଖା ପାଇଁ ଜଣେ ନୂଆ ସଭାପତିଙ୍କ ନିଯୁକ୍ତି ଜରୁରୀ ହୋଇପଡ଼ିଥିଲା । ଶେଲାର ନିଜେ ମଧ୍ୟ ମନ୍ତ୍ରୀ ଭାବରେ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ଇଚ୍ଛା ପ୍ରକାଶ କରି ପଦ ଛାଡ଼ିବା କଥା କହିଥିଲେ । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ କହିଛନ୍ତି ଯେ ମହାରାଷ୍ଟ୍ର ବିଜେପି ସଭାପତି ରବୀନ୍ଦ୍ର ଚଭନ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ ସାଟମଙ୍କୁ ଏହି ପଦ ପାଇଁ ମନୋନୀତ କରାଯାଇଛି ।
ରାଜନୈତିକ ମହତ୍ତ୍ୱ ଏବଂ ଆହ୍ୱାନ
ମୁମ୍ବାଇ ବିଜେପି ସଭାପତି ଭାବରେ ଅମିତ ସାଟମଙ୍କ ନିଯୁକ୍ତିକୁ ଅନେକ ଦୃଷ୍ଟିକୋଣରୁ ଦେଖାଯାଉଛି:
- ଫଡନଭିସ୍ଙ୍କ ବଢ଼ୁଥିବା ପ୍ରଭାବ: ଆଶିଷ ଶେଲାରଙ୍କୁ ମହାରାଷ୍ଟ୍ରର ଜଣେ ପ୍ରଭାବଶାଳୀ ବିଜେପି ନେତା ଭାବରେ ଗଣାଯାଏ ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀ ଫଡନାଭିସ୍ଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ବୋଲି ମଧ୍ୟ କୁହାଯାଏ । ଶେଲାରଙ୍କ ସ୍ଥାନରେ ସାଟମଙ୍କ ନିଯୁକ୍ତିକୁ ସଂଗଠନ ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବକୁ ମଜବୁତ କରିବାର ପଦକ୍ଷେପ ଭାବରେ ଦେଖାଯାଉଛି ।
- ବିଏମସି ନିର୍ବାଚନ ଉପରେ ନଜର: ଆଗାମୀ କିଛି ମାସ ମଧ୍ୟରେ ବିଏମସି ନିର୍ବାଚନ ହେବାର ସମ୍ଭାବନା ରହିଛି । ବିଜେପିର ଲକ୍ଷ୍ୟ ଏଥର ବିଏମସି ଦଖଲ କରିବା । ସାଟମଙ୍କୁ ସଭାପତି କରି ବିଜେପି ଜଣେ ଶକ୍ତିଶାଳୀ ମରାଠୀ ଚେହେରାକୁ ଆଗକୁ ଆଣିଛି, ଯାହାଙ୍କ ପାଖରେ ତୃଣମୂଳ ସ୍ତରରେ କାମ କରିବାର ଅଭିଜ୍ଞତା ରହିଛି ।
- ଠାକରେ ଭାଇମାନଙ୍କୁ ଜବାବ: ଏହି ନିଯୁକ୍ତିକୁ ଉଦ୍ଧବ ଠାକରେ ଏବଂ ରାଜ ଠାକରେଙ୍କ ମରାଠା ଓ କଠୋର ହିନ୍ଦୁତ୍ୱ ରାଜନୀତିର ମୁକାବିଲା କରିବାର ରଣନୀତି ଭାବରେ ମଧ୍ୟ ଦେଖାଯାଉଛି । ସାଟମ ତାଙ୍କ ଆକ୍ରମଣାତ୍ମକ ଛବି ପାଇଁ ଜଣାଶୁଣା ଏବଂ ଟିପୁ ସୁଲତାନ ନାମକରଣ ଭଳି ବିବାଦରେ ନିଜ ବୟାନ ପାଇଁ ଚର୍ଚ୍ଚାରେ ରହିଥିଲେ ।
ମୁଖ୍ୟମନ୍ତ୍ରୀ ଫଡନାଭିସ୍ ବିଶ୍ୱାସ ପ୍ରକଟ କରିଛନ୍ତି ଯେ ଅମିତ ସାଟମଙ୍କ ନେତୃତ୍ୱରେ ବିଜେପି ଏବଂ ମହାୟୁତି ମେଣ୍ଟ ଆଗାମୀ ବିଏମସି ନିର୍ବାଚନରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବ ଏବଂ କ୍ଷମତା ହାସଲ କରିବାରେ ସଫଳ ହେବ ।