କନକ ବ୍ୟୁରୋ : ଚାଷୀଙ୍କ ସୁବିଧା ପାଇଁ ନିର୍ମାଣ ହୋଇଥିଲା କୃଷି ବଜାର । ଏହା ଦ୍ବାରା ଚାଷୀ ନିଜର ଉତ୍ପାଦିତ ସାମଗ୍ରୀ କିଣାବିକା କରିପାରିଥାନ୍ତେ । ହେଲେ ମାତ୍ର ବର୍ଷକରେ ଏହାକୁ ବନ୍ଦ କରିଦିଆଯାଇଛି । ଏବେ ନିର୍ମିତ ଘର ଗୁଡ଼ିକ ନଷ୍ଟ ହେବା ସହ ସରକାରଙ୍କ ଲକ୍ଷଲକ୍ଷ ଟଙ୍କାର ରାଜସ୍ବ ନଷ୍ଟ ହେଉଛି । ଗେଟ୍ରେ ଝୁଲୁଛି ତାଲା , ଝରକା କାଚ ଭାଙ୍ଗିଗଲାଣି । କପ୍ତିପଦା ବ୍ଲକ କୁକୁରଡ଼ିମାଠାରେ ଥିବା କୃଷି ବଜାରର ଅବସ୍ଥା ଶୋଚନୀୟ । ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ କିଣାବିକା ପାଇଁ ଲକ୍ଷଲକ୍ଷ ବ୍ୟୟରେ ୬ ବର୍ଷ ତଳୁ ନିର୍ମାଣ ହୋଇଛି । ଏହା ଦ୍ବାରା ନୁଦଡିହା, ପିଙ୍ଗୁ ସମେତ ଅନ୍ୟ ୨ଟି ପଞ୍ଚାୟତର ଶତାଧିକ ଚାଷୀ ଉପକୃତ ହେଉଥିଲେ । ହେଲେ ଖୋଲିବାର ବର୍ଷେ ପରେ ବନ୍ଦ ହୋଇଯାଇଛି ।
କୃଷି ବଜାରରେ ମଣ୍ଡିର ସୁବିଧା ଥିଲା । ପ୍ରାୟ ୩ ବର୍ଷ ହେବ ମଣ୍ଡିକୁ ନୁଦଡ଼ିହା ଗାଁକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଧାନ ରଖିବାକୁ ଜାଗା ନାହିଁ । ତେଣୁ ଅନେକ ସମୟରେ ବର୍ଷାରେ ଓଦା ହୋଇ ଧାନ ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଏନେଇ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ଖୁବଶୀଘ୍ର ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି ଉଦଳା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ । କାହା କଥାରେ କୃଷି ବଜାର ବନ୍ଦ ହେଲା ? କାହିଁକି ମଣ୍ଡି ଠିକଣା ବଦଳାଗଲା? ଏବେ ଏମିତି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ସ୍ଥାନୀୟ ଚାଷୀ ।