କନକ ବ୍ୟୁରୋ: ଲଗାଣ ବର୍ଷା ତ ଛାଡ଼ିଗଲା, ବନ୍ୟା ଜଳ ବି କମିଲା। ହେଲେ ଏବେ ବଢ଼ିଯାଇଛି ଦୁର୍ଦ୍ଦଶା। ଅନେକ ସ୍ଥାନରେ ଚାଷ ଜମି ଗୁଡ଼ିକ ପାଣି ଘେରରେ ଥିବା ବେଳେ ଫସଲ ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି। ସେହିପରି ଜୟପୁରର କିଛି ଅଞ୍ଚଳ ଓ ମାଲକାନଗିରି ବଣ୍ଡାଘାଟିରେ ଭାଙ୍ଗିଯାଇଛି ଘର। ଏପରି ସ୍ଥିତିରେ ଚାଷୀ ଓ କ୍ଷତିଗ୍ରସ୍ତ ଲୋକେ ସରକାରଙ୍କୁ ସହାୟତା ଦାବି କରିଛନ୍ତି।

  • ବନ୍ୟା ଗଲା, ଦୁର୍ଦ୍ଦଶା ବଢ଼ିଲା
  • ଏକର ଏକର ଧାନ ଫସଲ ନଷ୍ଟ
  • ଚାଷୀଙ୍କ ମୁଣ୍ଡରେ ଚଡ଼କ

ଲଘୁଚାପଜନିତ ବର୍ଷା ପରେ ବନ୍ୟା। ଆଉ ବର୍ଷା ଛାଡ଼ିବା ପରେ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ପାଣି ଘେରରେ ଏକର ଏକର ଧାନ ଫସଲ। ବିଶେଷକରି କାଲିମେଳା ବ୍ଲକର ଭେଜାଙ୍ଗିବାଡ଼ା ପଞ୍ଚାୟତର ଏମପିଭି-୧୬ ଗ୍ରାମରେ ଶହ ଶହ ଏକର ଚାଷ ଜମି ଜଳମଗ୍ନ । ଚାଷୀମାନେ ଧାର କରଜ କରି ଚଳିତ ବର୍ଷ ଧାନ ଚାଷ କରିଥିଲେ ମଧ୍ୟ ଦୀର୍ଘ ୨ ଦିନ ହେଲା ଜମିରେ ପାଣି ବୁଡ଼ି ରହିଥିବାରୁ ଚିନ୍ତାରେ ଅଛନ୍ତି ଚାଷୀମାନେ । ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଚାଷୀ।

ଲଗାଣ ବର୍ଷା ଯୋଗୁଁ କେଉଁଠି ପୋଲ ଭୁଶୁଡ଼ି ପଡ଼ିଛି ତ, କେଉଁଠି ଘର ଭାଙ୍ଗି ପଡ଼ିଛି। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକର ଦଶମନ୍ତପୁର ପଞ୍ଚାୟତରେ ପ୍ରବଳ ବର୍ଷା ଯୋଗୁଁ ଫସଲ ମଧ୍ୟ ନଷ୍ଟ ସହ କଙ୍କ୍ରିଟ ପୋଲ ଭାଙ୍ଗିଯାଇଛି। ଫଳରେ ୬ଟି ପଞ୍ଚାୟତକୁ ଗମନାଗମନ ବିଚ୍ଛିନ୍ନ ହୋଇଛି। ସେହିପରି ଜୟପୁର କୁନ୍ଦ୍ରା ବ୍ଲକ ଦିଗାପୁର ପଞ୍ଚାୟତରେ ୩୦ରୁ ଅଧିକ ଘର ବନ୍ୟାରେ ନଷ୍ଟ ହୋଇ ଯାଇଛି। ସେପଟେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଣ୍ଡାଘାଟି ଅଞ୍ଚଳ ମଧ୍ୟ ବେଶ୍ ପ୍ରଭାବିତ ହୋଇଛି। ବର୍ଷାରେ ଭୁଶୁଡ଼ି ପଡ଼ିଛି ମାଟି କୁଡ଼ିଆ। ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହେବାରୁ ଫସଲ ପଚି ନଷ୍ଟ ହୋଇଯିବା ଆଶଙ୍କା ଦେଖାଦେଇଛି।

କୋରାପୁଟ ଓ ମାଲକାନଗିରି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଭାଗୀୟ ସଚିବଙ୍କ ଉପସ୍ଥିତିରେ ସମଗ୍ର ଜିଲ୍ଲାରେ ବର୍ଷା ପରର ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ମୋହନ ମାଝୀ। ସେହିପରି ମାଲକାନଗିରିରେ ବନ୍ୟା ସମୀକ୍ଷା କରିଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ଓ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଚିବ ବିଷ୍ଣୁପଦ ସେଠୀ।