କନକ ବ୍ୟୁରୋ: ଏବେ ମାର୍କେଟ୍ରେ ମିଳୁଛି ନକଲି ଫୋନ୍ । ଟିକିଏ ଅସାବଧାନ ହେଲେ ଆପଣ ହଇରାଣ ହୋଇ ପାରନ୍ତି । ସେଇଥି ଲାଗି ତ କୁହାଯାଉଛି ଯେବେ ଆପଣ ଆଇଫୋନ୍ ମୋବାଇଲ କିଣୁଛନ୍ତି ସେବେ ସାବଧାନ ହୋଇ କିଣନ୍ତୁ । ନହେଲେ ଅସୁବିଧାରେ ପଡ଼ିପାରନ୍ତି । କାରଣ ଆଗ୍ରାରୁ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ଜାଣିବା ପରେ ଆଇଫୋନ୍ କିଣୁଥିଲେ ଆପଣ ସାବଧାବ ରୁହନ୍ତୁ । ନଚେତ୍ ଠକାମୀର ଶିକାର ହୋଇପାରନ୍ତି ଆପଣ । ପୋଲିସର କହିବା ଅନୁସାରେ, ପାଖାପାଖି ଦେଢ କୋଟି ଟଙ୍କାର ନକଲି ଆଇଫୋନ୍ ସହ ମୋବାଇଲ ସାମଗ୍ରୀ ଜବତ କରାଯାଇଛି ଏବଂ ୨ ଅଭିଯୁକ୍ତଙ୍କୁ ଅଟକ ମଧ୍ୟ ରଖାଯାଇଛି ।
ଆପଲ କମ୍ପାନୀ ପକ୍ଷରୁ ଦାୟର ହୋଇଥିଲା ମାମଲା
ଚୋରି ସାମଗ୍ରୀ ଜବତ ହେବା ପରେ ପୁରା ସହରରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଇଫୋନ୍ ନାଁରେ ନକଲି ମୋବାଇଲ ଓ ଡିଭାଇସ ଆଦି ବଜାରରେ ମିଳୁଥିବା ନେଇ କମ୍ପାନୀ ପକ୍ଷରୁ ଥାନାରେ ମାମଲା ଦାୟର ହୋଇଥିଲା । ଖାଲି ଏତିକି ନୁହେଁ ବରଂ ସ୍ଥାନୀୟ ଅଂଚଳର କିଛି ଜନତା ମଧ୍ୟ ସମାନ ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ । ଯେଉଁଥି ଲାଗି ବଜାରରେ ମିଳୁଥିବା ଆଇଫୋନ୍କୁ ନେଇ କମ୍ପାନୀ ପକ୍ଷରୁ ଯାଂଚ ମଧ୍ୟ କରାଯାଇଥିଲା ।
ଅଭିଯୋଗ ହେଲା, ପୋଲିସ ରେଡ୍ ମାରିଲା
ବଜାରରେ ମିଳୁଥିବା ଆଇଫୋନ୍ ନକଲି ହୋଇଥିବା ଜଣାପଡ଼ିବା ପରେ ପୋଲିସ ଏନେଇ ତଦନ୍ତ ଆରମ୍ଭ କଲା । ଖାଲି ତଦନ୍ତ ଆରମ୍ଭ କଲା ତାହା ନୁହେଁ ବରଂ ଜାଗା ଜାଗାରେ ଖାନତଲାସୀ ବି କଲା । ଏହି ସମୟରେ ଆପଲର ଇୟର ଫୋନ୍, ବ୍ୟାକ୍ କଭର, ଆଡପ୍ଟର, ମୋବାଇଲ କ୍ୟାମେରା ସହ ଅନେକ ସାମଗ୍ରୀ ନକଲି ହୋଇଥିବା ପୋଲିସ ଜାଣିବାକୁ ପାଇଲା । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୨ ଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଅନ୍ୟ ୩ ଅପରାଧୀ ଏବେ ବି ଫେରାର ଅଛନ୍ତି । ତେବେ ସମସ୍ତ ଅପରାଧୀଙ୍କୁ ଧରିବାକୁ ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ଚଢାଉ ଜାରି ରଖିଥିବା କୁହାଯାଉଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, କେବଳ ଆଇଫୋନ୍ ଆଗ୍ରାରେ ନୁହେଁ ବରଂ ପୁରା ଦେଶରେ ଏମିତି ନକଲିରେ ବିକ୍ରି କରି କମ୍ପାନୀର ନାଁ ଖରାପ କରୁଛନ୍ତି କିଛି ଅପରାଧୀ । ତେଣୁ ସେମାନଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ନେବାକୁ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଛି ।