ଆପଣ କେବେ ପ୍ରେମ କରିଛନ୍ତି? କେମିତି ଥିଲା ସେ ଅନୁଭବ? ମନର ମଣିଷକୁ ଜୀବନସାଥୀ ରୂପେ ପାଇଛନ୍ତି କି? ଏସବୁ କଥା ଶୁଣି ମୁରୁକି ହସୁଥିବେ ନିଶ୍ଚୟ । ପ୍ରେମର ସଂଜ୍ଞା ହିଁ ବଡ଼ ବିଚିତ୍ର ଆଜ୍ଞା । ଏହି ଅନୁଭବକୁ ବୁଝାଇବେ ବା କିପରି! କିଏ ପ୍ରେମକୁ ପାଇ ରାଜା ପାଲଟିଯାଉଛି ତ ଆଉ କିଏ ପ୍ରତିକ୍ଷା , ପରୀକ୍ଷାର ମାର୍ଗ ଦେଇ ମଧ୍ୟ ପ୍ରେମକୁ ହରାଇ ସର୍ବସ୍ୱାନ୍ତ ହୋଇପଡୁଛି । ବୋଧହୁଏ ସବୁକିଛି ପାଇ ସବୁକିଛି ହରାଇବାର ଆନନ୍ଦମୟ ପୀଡ଼ାକୁ ହିଁ ପ୍ରେମ କୁହାଯାଏ । ଯାହାର ବାଟରେ ବୟସର ତାରତମ୍ୟ ନଥାଏ । ଆଜି ଆମେ ଏମିତି ହିଁ ଜଣେ ପ୍ରେମିକଙ୍କ ଦୁଃଖଭରା ପ୍ରେମକାହାଣୀ କହିବାକୁ ଯାଉଛୁ ଯାହାଙ୍କ କଥା ଶୁଣିଲେ ଆଖି ଜକେଇ ଆସିବ । 

Love
କାହାଣୀଟି ଆରମ୍ଭ ହୁଏ ସୁଦୂର ଜାପାନରୁ । ୧୨ ବର୍ଷ ତଳେ ଜାପାନରେ ଏକ ବଡ଼ ଧରଣର ସୁନାମୀ ଆସିଥିଲା ଯେଉଁଥିରେ ଅନେକ ଲୋକ ମୃତ୍ୟୁବରଣ କରିଥିଲେ । ସେହି ମୃତକଙ୍କ ମଧ୍ୟରେ ଥିଲେ ୪୭ ବର୍ଷୀୟ ୟୁକୋ । ପ୍ରାଣପ୍ରିୟା ପତ୍ନୀଙ୍କୁ ନପାଇ ପାଗଳ ପ୍ରାୟ ହୋଇପଡ଼ିଥିଲେ ସ୍ୱାମୀ ୟାସୁଓ ତାକାମାସୁ । ତା’ପରେ ଆରମ୍ଭ ହେଲା ୟୁକୋଙ୍କୁ ଖୋଜିବାର ମିଶନ୍ । ଅଣ୍ଡରୱାଟର ଡାଇଭିଂ ଶିଖି ୟୁକୋଙ୍କୁ ଖୋଜିବା ଆରମ୍ଭ କଲେ ୟାସୁଓ । ଆଜିର ସମୟରେ ୟାସୁଓଙ୍କ ବୟସ ୬୭ ବର୍ଷ । ହେଲେ ଏଯାବତ୍ ସମୁଦ୍ର ଭିତରେ ୟୁକୋଙ୍କ ଶେଷ ସମୟର ସନ୍ତକକୁ ଖୋଜୁଛନ୍ତି ସ୍ୱାମୀ ୟାସୁଓ । ଏହାରି ଭିତରେ ଜାପାନ ପ୍ରଶାସନର ସହାୟତାରେ ସେ ଅଢେଇ ହଜାରରୁ ଅଧିକ ଲୋକଙ୍କ ଶେଷ ସମୟର ସନ୍ତକକୁ ଖୋଜିବାରେ ସଫଳ ହୋଇଛନ୍ତି । କିନ୍ତୁ ନିଜ ପତ୍ନୀଙ୍କ କୌଣସି ସାମଗ୍ରୀ ଏଯାଏଁ ତାଙ୍କୁ ମିଳିନାହିଁ । ପ୍ରତିଦିନ ସେ ମନରେ ଅସୁମାରୀ ଆଶା ନେଇ ସମୁଦ୍ରକୁ ଓହ୍ଲାନ୍ତି ଯେ କାଳେ ୟୁକୋଙ୍କ କିଛି ସନ୍ତକ ତାଙ୍କୁ ମିଳିଯିବ । କିନ୍ତୁ ଆଶା କେବଳ ଆଶାରେ ହିଁ ରହିଯାଏ । 

123
ଆପଣଙ୍କୁ ଏଠାରେ କହିରଖୁଛୁ କି ୨୦୧୧ ମସିହାରେ ୭୦୦ କି.ମି ପ୍ରତି ଘଣ୍ଟାରେ  ୧୩୩ ଫୁଟ୍ ଲମ୍ବ ଲହଡି ସହ ଜାପାନର ଉତ୍ତରପୂର୍ବ ଉପକୂଳକୁ ଦୋହଲାଇ ରଖିଥିଲା ଏହି ସୁନାମୀ । ଯେଉଁଥିରେ ୧୫ ହଜାର ଲୋକଙ୍କ ମୃତ୍ୟୁବରଣ ହୋଇଥିଲା ଏବଂ ପାଖାପାଖି ୨ ଲକ୍ଷ ୩୦ ହଜାର ଲୋକ ଜୀବନ ବଂଚାଇବା ପାଇଁ ଭିଟାମାଟି ଛାଡ଼ିଥିଲେ । 


ୟାସୁଓ ତାକାମାସୁଙ୍କ ପତ୍ନୀ ଜଣେ କର୍ମଜୀବୀ ମହିଳା ଥିଲେ , ଯେ ବ୍ୟାଙ୍କରେ ଚାକିରି କରୁଥିଲେ । ସେ ଯେଉଁଠାରେ କାମ କରୁଥିଲେ ଉକ୍ତ ସ୍ଥାନ ଏକ ପାହାଡ଼ର ପଛ ଭାଗରେ ଥିବାରୁ ୟାସୁଓଙ୍କୁ ସେତେଟା ଚିନ୍ତା ନଥିଲା । କିନ୍ତୁ ବ୍ୟାଙ୍କ୍ କର୍ମଚାରୀଙ୍କୁ ବିପଦରେ ନ ପକାଇବା ପାଇଁ ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତର କରିଥିଲା । ହେଲେ ସୁନାମୀର ତୀବ୍ରତା ଏତେ ବିକଟାଳ ଥିଲା ଯେ ଅନେକ କର୍ମଚାରୀ ପାଣିରେ ବୁଡ଼ିଗଲେ । ଯେଉଁଥିରେ ୟୁକୋ ମଧ୍ୟ ଥିଲେ । ପ୍ରିୟ ପତ୍ନୀଙ୍କ ବୁଡ଼ିଯିବାର ଖବର ପାଇ ୟାସୁଓ ତାଙ୍କୁ ଖୋଜିବା ଆରମ୍ଭ କରିଦେଲେ ଯାହାର ପ୍ରଚେଷ୍ଟା ଏଯାବତ୍ ସେ କରୁଛନ୍ତି । ଶେଷଥର ଯେତେବେଳେ ସେ ୟୁକୋଙ୍କ ସହ କଥା ହୋଇଥିଲେ ସେ କହିଥିଲେ , ବ୍ୟାଙ୍କ୍ ରେ କାମ କରି ସେ ଥକିଗଲେଣି । ଆରାମ୍ କରିବାକୁ ଘରକୁ ଆସୁଛନ୍ତି । ୟାସୁଓ ୟୁକୋଙ୍କ ଶେଷ କଥାକୁ କେବେ ଭୁଲିନାହାନ୍ତି । ସେ କୁହନ୍ତି , ୟୁକୋ ଥକିଯାଇଥିଲେ ; ଆରାମ୍ କରିବାକୁ ଯାଇଛନ୍ତି । ଏକ ଦଶକ ପରେ ମଧ୍ୟ ମୁଁ ତାଙ୍କୁ ଖୋଜୁଛି କାରଣ ମୁଁ ୟୁକୋଙ୍କୁ ଘରକୁ ନେଇଯିବି । ଆଉ କାମ କରିବାକୁ ଛାଡ଼ିବି ନାହିଁ । ମୃତ୍ୟୁ ପର୍ଯ୍ୟନ୍ତ ମୁଁ ମୋ ପ୍ରେମିକା , ପତ୍ନୀ , ବାନ୍ଧବୀ ୟୁକୋଙ୍କ ସନ୍ଧାନରେ ସମୁଦ୍ରର କୋଣ ଅନୁକୋଣ ଖୋଜିବୁଲିବି ।