କନକ ବ୍ୟୁରୋ: ପ୍ରକୃତି, ମଣିଷ ଓ କୃଷିର ସମ୍ପର୍କର ପର୍ବ ହେଉଛି ଅଗ୍ନି ଭୈରବଙ୍କ ଝାମୁଯାତ୍ରା ବା ବାଲିଯାତ୍ରା । ଆଶ୍ୱିନ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଏହା ଅନୁଷ୍ଠିତ ହୋଇଥାଏ । ଯାହାକୁ ଦେଖିବାକୁ କଳାହାଣ୍ଡି ସହ ଜିଲ୍ଲା ବାହାରୁ ଲାଗେ ଭକ୍ତଙ୍କ ଭିଡ଼ ।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର । ଏଠାକାର ଆରାଧ୍ୟା ଦେବତା ଅଗ୍ନି ଭୈରବଙ୍କ ଝାମୁଯାତ୍ରା ହେଉଛି କଳାହାଣ୍ଡିର ଅନ୍ୟତମ ଅଲୌକିକ ଆକର୍ଷଣ । ଭାଦ୍ରବ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଦେବୀ ମା’ ମାଣିକେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ବାଲି କଢ଼ାଯାଏ । ଏହି ବାଲିରେ ବିଭିନ୍ନ ଶସ୍ୟ ଗଜା କରି ୯ ଦିନ ପୂଜା ପରେ ପଞ୍ଚମୀ ତିଥିରେ ସର୍ବସାଧାରଣକୁ ଅଣାଯାଏ । ପରେ ମା’ ମାଣିକେଶ୍ୱରୀଙ୍କ କାଳିସୀ ଓ ଭୈରବ ଦେବଙ୍କ କାଳିସୀ ନଗର ପରିକ୍ରମା କରି କଣ୍ଟା ଦୋଳିରେ ଝୁଲିଥାନ୍ତି । ପରିଚ୍ଛାଙ୍କ ଶରୀରରେ ପ୍ରକଟ ହେଇ ଭୈରବ ଦେବ ଅଗ୍ନିରେ ଚାଲି ଭକ୍ତଙ୍କୁ ଦେଖାନ୍ତି ନିଜର ପରାକାଷ୍ଠା ।
ଏହି ପର୍ବ ଦେଖିବା ପାଇଁ କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର ସମେତ ପଡ଼ୋଶୀ ଛତିଶଗଡ଼ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଇଥାଏ । ମାନସିକଧାରୀ ଦେଇଥାନ୍ତି ବିଶ୍ବାସର ବଳି । ଏଥିସହ ଲୋକଙ୍କ ମନୋରଞ୍ଜନ ପାଇଁ ଆୟୋଜିତ ହୋଇଥାଏ ସାଂସ୍କୃତିକ କାର୍ଯ୍ୟକ୍ରମ । ମା’ ମାଣିକେଶ୍ୱରୀ ଶକ୍ତି ରୂପରେ ପୂଜା ପାଉଥିବା ବେଳେ ଶିବ ରୂପରେ ପୂଜା ପାଉଛନ୍ତି ଅଗ୍ନି ଭୈରବ । ତାଙ୍କ ଠାରେ ଝାମୁଯାତ୍ରା ସମ୍ପନ୍ନ ହେବାପରେ ନିକଟରେ ଥିବା ଅନ୍ୟାନ୍ୟ ପୀଠ ମାନଙ୍କରେ ପୂଜା ପାର୍ବଣ କରାଯାଏ ।