କନକ ବ୍ୟୁରୋ : ବହୁ ଆଡମ୍ବର ସହ ଶେଷ ହୋଇଛି ଯାଜପୁର ବ୍ୟାସନଗର ଗଣପର୍ବ କାଳୀପୂଜା । ୧୬ଟି ପୂଜା ମଣ୍ଡପରେ ବେଶ ଧୂମଧାମରେ ପାଳିତ ହୋଇଥିଲା ମାଆଙ୍କ ପୂଜା । ୧୧ ଦିନର ପୂଜା ପରେ ମେଲାଣି ନେଇଛନ୍ତି ମାଆ ଶ୍ୟାମାକାଳୀ । ପ୍ରତିବର୍ଷ ପରି ଚଳିତବର୍ଷ ମେଢ଼ ଗୁଡିକ କାଳୀ ମେଲଣ ପଡିଆରେ ଏକାଠି ହୋଇଥିଲେ । ମେଲଣ ଉତ୍ସବରେ ୨ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ଏଥରର ମୁଖ୍ୟ ଆକର୍ଷଣ ଥିଲା ଉତ୍ତରପ୍ରଦେଶର ଅଘୋରୀ ନୃତ୍ୟ । 

Advertisment

୧୧ ଦିନ ଧରି ବ୍ୟାସନଗର ଚୋରଦା କାଳୀ ମେଲଣ ପଡ଼ିଆ ଠାରେ ଖୁବ୍ ଆଡ଼ମ୍ବର ସହ ଭସାଣି ଓ ମେଲଣ ଉତ୍ସବ ସମ୍ପନ୍ନ ହୋଇଛି । କହ୍ନେଇପୁର ପଡିଆରେ ନିର୍ମିତ ଜଳାଶୟରେ ମାଙ୍କ ମୃଣ୍ମୟୀ ମୂର୍ତ୍ତୀ ଗୁଡିକୁ ବିସର୍ଜ୍ଜନ କରାଯାଇଛି । ମଣ୍ଡପ ଗୁଡ଼ିକରୁ ଶୋଭାଯାତ୍ରାରେ ବାହାରିଥିଲା ମାଆଙ୍କ ମେଢ଼ । ନାଚଗୀତ ବାଦ୍ୟ ଯନ୍ତ୍ର ସହ ବିରାଟ ପଟୁଆରେ ମାଆଙ୍କୁ ମେଲଣ ପଡ଼ିଆକୁ ନିଆଯାଇଥିଲା । ମାଆଙ୍କୁ ଦେଖିବାକୁ ରାସ୍ତାଘାଟ ସବୁ ଲୋକାରଣ୍ୟ ହୋଇଥିଲା । ଓଡ଼ିଶୀ ନୃତ୍ୟ, ଆଦିବାସୀ ନୃତ୍ୟ, ଘୋଡା ନାଚ, ବଳଦ ନାଚ, ସିଙ୍ଘ ବାଜାରେ କମ୍ପି ଉଠିଥିଲା ପରିବେଶ । 

ଚଳିତବର୍ଷ ସହରର ମେଳଣ ଉତ୍ସବ ୨୭ବର୍ଷରେ ପଦାର୍ପଣ କରିଛି । ପୌର ପ୍ରଶାସନ ଏବଂ ଚଣ୍ଡିକ୍ଲବର ମିଳିତ ଉଦ୍ୟମରେ ବେଶ ଶାନ୍ତି ଶୃଙ୍ଖଳାରେ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏହାସହ ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦବୋସ୍ତ କରାଯାଇଥିଲା ।