କନକ ବ୍ୟୁରୋ : ବୟସ ବୃଦ୍ଧି ଏକ ପ୍ରାକୃତିକ ପ୍ରକ୍ରିୟା । ସମୟ ସହିତ ମଣିଷର ବୟସ ବଢ଼େ । ପିଲାଠୁ ଯୁବକ,ଯୁବକରୁ ବୃଦ୍ଧ କେତେବେଳେ ତ୍ବଚା କୋମଳରୁ କୁଞ୍ଚନରେ ପରିଣତ ହୁଏ ଜଣାପଡ଼େ ନାହିଁ । ଅପ୍ରିୟ ସତ ହେଲେ ବି ପ୍ରତିଟି ଜୀବ ଜୀବନରେ ଏହି ସମୟଟି ନିଶ୍ଚିତ ଆସେ । କିନ୍ତୁ ବର୍ତ୍ତମାନର ସମୟରେ ଲୋକ ବୃଦ୍ଧ ହେବାକୁ ପସନ୍ଦ କରୁନାହାନ୍ତି । ଯେଉଁଥିପାଇଁ ବିଲିୟନ୍ , ମିଲିୟନ୍ ଡଲାରର କସମେଟିକ୍ ଉଦ୍ୟୋଗ ବଜାରରେ ଆଡ୍ଡା ଜମାଇ ବସିଛନ୍ତି । ବିନା ସର୍ଜରୀ ଏବଂ କମରୁ କମ୍ ସମୟ ମଧ୍ୟରେ ଏହି ସବୁ ଉଦ୍ୟୋଗ ଲୋକଙ୍କୁ ଫିଟ୍ ଏବଂ ସୁନ୍ଦର ଦେଖାଇଥା’ନ୍ତି । କିନ୍ତୁ ସିଙ୍ଗାପୁରରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ଉପରେ ଏସବୁ କସମେଟିକ୍ ବ୍ୟବହାର ନହୋଇ ମଧ୍ୟ ବୃଦ୍ଧାବସ୍ଥାର ଗୋଟିଏ ବି ଗାର ତାଙ୍କ ମୁହଁ ଉପରେ ଦେଖିବାକୁ ମିଳେ ନାହିଁ ।
ସିଙ୍ଗାପୁରର ଫ୍ୟାଶନ୍ ଫଟୋଗ୍ରାଫର ଚୁଆଣ୍ଡୋ ଟେନ୍ ନିଜ ଫିଟନେସ୍ ଏବଂ ସୌନ୍ଦର୍ଯ୍ୟ ପାଇଁ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛନ୍ତି । ଆଶ୍ଚର୍ଯ୍ୟର ବିଷୟ ହେଉଛି ଚୁଆଣ୍ଡୋଙ୍କ ବୟସ ୫୯ ବର୍ଷ କିନ୍ତୁ ତାଙ୍କୁ ବାସ୍ତବରେ ଦେଖିଲେ କେହି ମଧ୍ୟ କହିବେନି ଯେ ତାଙ୍କୁ ୬୦ ପୂରିବାକୁ ଆଉ ବର୍ଷେ ସମୟ ବାକି ଅଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ଟେନ୍ ୧୯୮୦ ଦଶକରେ ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ । ସେ ୧୯୯୦ ଦଶକରେ ଫଟୋଗ୍ରାଫି ଆରମ୍ଭ କଲେ ଏବଂ କିଛି ସମୟ ପପ୍ କଳାକାର ରୂପେ ମଧ୍ୟ ନଜର ଆସିଥିଲେ । ତା’ପରେ ନିଜସ୍ବ ଷ୍ଟୁଡିଓ ଖୋଲି ଫଟୋଗ୍ରାଫି କରିବା ସହ ଫଟୋଗ୍ରାଫରକୁ ତାଲିମ ମଧ୍ୟ ଦେଉଛନ୍ତି । ରିପୋର୍ଟ ଅନୁସାରେ ସେ ୨୦୨୦ରେ ଅଭିନୟ ଜଗତରେ ମଧ୍ୟ ପ୍ରବେଶ କରିଥିଲେ । ପ୍ରିଶିୟସ୍ ଇଜ୍ ଦ ନାଇଟ୍ ନାମକ ଚଳଚ୍ଚିତ୍ରରେ ସେ ନଜର ଆସିଥିଲେ ।
୨୦୧୭ ରେ ଏକ ଚାଇନା ୱେବସାଇଟ୍ ଦ୍ବାରା ପ୍ରଚାରିତ ହେବା କାରଣରୁ ତାଙ୍କ ସୋସିଆଲ ମିଡିଆ ଫଲୋଅର୍ସ ସଂଖ୍ୟା ବଢ଼ିଥିଲା ଯେଉଁ କାରଣରୁ ସେ ଲୋକପ୍ରିୟ ହୋଇଗଲେ । ତେବେ ଚୁଆଣ୍ଡୋଙ୍କ ବୟସ ଏବଂ ତାଙ୍କର ଫିଜିକ୍ସ ଉଭୟକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । କେହି କେହି କୁହନ୍ତି ସିଙ୍ଗାପୁର ବାୟୁର ଗୁଣବତ୍ତା,ଉକୃଷ୍ଟ ସ୍ବାସ୍ଥ୍ୟ ସେବା ପ୍ରଣାଳୀ ଏବଂ ଉଚ୍ଚ ଶ୍ରେଣୀର ଖାଦ୍ୟପେୟ ଓ ବ୍ୟାୟାମ କାରଣରୁ ଏତେ ବୟସରେ ମଧ୍ୟ ସେ ୟଙ୍ଗଷ୍ଟରଙ୍କ ଭଳି ଦେଖାଯା’ନ୍ତି । ଏନେଇ ଚୁଆଣ୍ଡୋ କୁହନ୍ତି ଆମେ କ’ଣ ଭାବୁଛେ , କ’ଣ ଖାଉଛେ ଏବଂ ପିଉଛେ ତାର ପ୍ରତିଫଳନ ଆମ ଶରୀର ଏବଂ ସୌନ୍ଦର୍ଯ୍ୟ ଉଭୟ ଉପରେ ପଡ଼ିଥାଏ । ତାଙ୍କ କହିବାନୁସାରେ ମାନସିକ ଏବଂ ଶାରିରୀକ ସ୍ବାସ୍ଥ୍ୟରେ ଭୋଜନର ୭୦% ଯୋଗଦାନ ରହିଥାଏ ଏବଂ ଅନ୍ୟ ଯୋଗଦାନ ଶାରିରୀକ ବ୍ୟାୟାମର ରହିଥାଏ ।
ଅଧିକ ପଢ଼ନ୍ତୁ---ପିଲାଙ୍କୁ ଖାଇବାକୁ ଦେଉଛନ୍ତି କି ବମ୍ବେ ଲଡୁ ? ସାବଧାନ ହୋଇପାରନ୍ତି କ୍ୟାନ୍ସରର ଶିକାର
ତାଙ୍କ ସକାଳ ଜଳଖିଆ ବିନା କେସରର ୨ ଟି ସିଝା ଅଣ୍ଡାରୁ ଆରମ୍ଭ ହୁଏ । ତା’ପରେ ସେ ଜାମୁକୋଳି , ଆଭାକାଡୋ ଟୋଷ୍ଟ୍ ମଧ୍ୟ ଖାଇଥା’ନ୍ତି । ଲଞ୍ଚ ଏବଂ ଡିନରରେ ସେ ଚିକେନ,ଭାତ,ସିଝା ପରିବା,ମାଛ ସୁପ୍ ଖାଇଥା’ନ୍ତି । ଚିଟ୍ ଡେ’ରେ ସେ ଆଇସକ୍ରିମ ଖାଇବାକୁ ଭଲ ପାଆନ୍ତି । ଚା’,କଫି,ମଦ ଆଦିରୁ ଦୂରେଇ ରୁହନ୍ତି କିନ୍ତୁ ପାଣି ପ୍ରବଳ ପିଅନ୍ତି ଚୁଆଣ୍ଡୋ । ସେ ଦିନକୁ ୩ ଘଣ୍ଟା ବ୍ୟାୟାମରେ ଦିଅନ୍ତି । ଖାସ୍ କରି ୱେଟ୍ ଟ୍ରେନିଂ ତାଙ୍କୁ ବହୁତ ଭଲ ଲାଗେ । ଯେହେତୁ ଭିଟାମିନ୍ ସି ଶରୀର ପାଇଁ ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡେଣ୍ଟ୍ ତେଣୁ ସେ ହାଇଡ୍ରେଟେଡ ରହିବା ପାଇଁ ଭିଟାମିନ ସି ସପ୍ଲିମେଣ୍ଟ୍ ନିଅନ୍ତି । ସମୟକୁ ପଛକୁ ନେଇ ବୟସକୁ ମାତ୍ ଦେବାରେ ଚୁଆଣ୍ଡୋଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼େନାହିଁ ବୋଲି କୁହନ୍ତି ଫଟୋଗ୍ରାଫର୍ ଚୁଆଣ୍ଡୋ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/31/young-model-2025-12-31-13-08-04.jpg)